Latest Odisha News

BREAKING NEWS

ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା

ଆମ୍‌ଷ୍ଟେଲଭିନ୍‌: ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ଭାରତୀୟ ପୁରୁଷ ହକି ଟିମ୍ ୨୦୨୬ ୱାର୍ଲ୍ଡ କପ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିସାରିଛି । ହେଲେ ସେମିଫାଇନାଲ ପଥ ଭାରତ ପାଇଁ ଅତ୍ୟନ୍ତ କଠିନ ହୋଇପଡ଼ିଛି । ଶନିବାର ଆମ୍‌ଷ୍ଟେଲଭିନ୍‌ର ୱାଗେନର ଷ୍ଟାଡିୟମ୍‌ରେ ଭାରତର ମୁକାବିଲା ଗ୍ରୁପ୍‌-ଟପର୍ ତଥା ଅଲିମ୍ପିକ୍ ଚାମ୍ପିଅନ୍ ନେଦରଲ୍ୟାଣ୍ଡସ ସହ ହେବ । ଏହି ମ୍ୟାଚ୍‌ରେ ସାମାନ୍ୟ ଭୁଲ୍ ବି ଭାରତକୁ ବିଶ୍ୱକପ୍ ଦୌଡ଼ରୁ ବାହାର କରିପାରେ । ପ୍ରଥମାର୍ଦ୍ଧରେ ଆଗୁଆ ରହିବା ପରେ ମ୍ୟାଚ୍ ଉପରୁ ନିୟନ୍ତ୍ରଣ ହରାଇବା ଭାରତର ବଡ଼ ସମସ୍ୟା ପାଲଟିଛି । ପାକିସ୍ତାନ ବିପକ୍ଷରେ ୩-୦ ଏବଂ ୪-୧ରେ ଆଗୁଆ ଥାଇ ବି ଦଳ ପ୍ରତିପକ୍ଷକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଥିଲା । ସେହିପରି ଇଂଲଣ୍ଡ ବିପକ୍ଷରେ ୨-୧ ଗୋଲ୍‌ରେ ଆଗୁଆ ଥାଇ ଶେଷରେ ୨-୪ରେ ପରାଜିତ ହୋଇଥିଲା । ଚଳିତ ବିଶ୍ୱକପ୍‌ରେ ଡଚ୍ ଟିମ୍ ନିଜର ସମସ୍ତ ୩ଟି ଯାକ ଗ୍ରୁପ୍ ମ୍ୟାଚ୍ ଜିତି ଅପରାଜେୟ ରହିଛି । ସେମାନେ ନ୍ୟୁଜିଲ୍ୟାଣ୍ଡକୁ ୫-୧, ଆର୍ଜେଣ୍ଟିନାକୁ ୩-୧ ଏବଂ ଜାପାନକୁ ୪-୧ ଗୋଲ୍‌ରେ ହରାଇଛନ୍ତି ।

  ଆମ୍‌ଷ୍ଟେଲଭିନ୍ ଗ୍ରାଉଣ୍ଡ ଡଚ୍ ଟିମ୍ ପାଇଁ ଭାଗ୍ୟଶାଳୀ ରହିଛି, ଯେଉଁଠି ୧୯୭୩ରେ ସେମାନେ ଭାରତକୁ ହରାଇ ନିଜର ପ୍ରଥମ ୱାର୍ଲ୍ଡ କପ୍ ଟ୍ରଫି ଜିତିଥିଲେ । ଜୁନରେ ଖେଳାଯାଇଥିବା ପ୍ରୋ ଲିଗ୍‌ରେ ଭାରତ ୩-୨ ଗୋଲ୍‌ରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଥିଲା । ସେହି ମ୍ୟାଚ୍‌ରେ ଗୋଲ୍ ଦେଇଥିବା ଜୁଗରାଜ ସିଂହ, ଅଭିଷେକ ଏବଂ ରାଜିନ୍ଦର ସିଂହ ସମସ୍ତେ ବର୍ତ୍ତମାନର ଦଳରେ ସାମିଲ ଅଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ଅଭିଷେକ ଏବଂ ଅଧିନାୟକ ହରମନପ୍ରୀତ ସିଂହ (ସର୍ବାଧିକ ୫ ଗୋଲ୍) ଚମତ୍କାର ଫର୍ମରେ ଅଛନ୍ତି । ଅଧିନାୟକ ହରମନପ୍ରୀତ ସିଂହ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେମିଫାଇନାଲ ପହଞ୍ଚିବାକୁ ହେଲେ ଡିଫେନ୍ସର ଭୁଲ୍‌ଗୁଡ଼ିକୁ ତୁରନ୍ତ ସୁଧାରିବାକୁ ପଡ଼ିବ । ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ, କାରଣ ସାମାନ୍ୟ ସୁଯୋଗ ପାଇଲେ ବି ଡଚ୍ ଟିମ୍ ମ୍ୟାଚ୍ ଛଡ଼ାଇ ନେବାରେ ସିଦ୍ଧହସ୍ତ ।

Leave A Reply

Your email address will not be published.