ନୂଆପଡ଼ା:ଜୀବନ୍ତ ବଜ୍ରକାପ୍ତା ଡିଲ୍ ବେଳେ ବନବିଭାଗ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚଢାଉ । ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଖଡ଼ିଆଳ ବନବିଭାଗ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଏହି ଚୋରା ଚାଲାଣ କାରବାରରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ବନବିଭାଗ ପକ୍ଷରୁ ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବଜ୍ରକାପ୍ତାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବଜ୍ରକାପ୍ତାର ଓଜନ ୭.୦୯୮ କିଲୋଗ୍ରାମ ।
ସୂଚନାନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଵିଭାଗରେ ଅନ୍ତର୍ଗତ ରାଣୀମୁଣ୍ଡା ପଲମା ଗାଁର ଏକ ପାନୀୟ ଜଳପମ୍ପ ହାଉସ ନିକଟରୁ ବନବିଭାଗ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଗତକାଲି ସନ୍ଧ୍ୟାରେ ପଲମାଗାଁର ବାଳକୃଷ୍ଣ ହାତୀ ଓ ସୋନୁହାତୀ ଗାଁ ନିକଟସ୍ଥ ପମ୍ପହାଉସରେ ଏକ ବଜ୍ରକାପ୍ତାକୁ ବିକ୍ରିପାଇଁ ରଖିଥିଲେ । ଛତିଶଗଡ଼ ଦେଭୋଗ ପିଠାପରା ଗାଁର ରୋଶନ ଠାକୁରଙ୍କୁ ବଜ୍ରକାପ୍ତା ଡିଲ୍ ପାଇଁ ପଲମା ଗାଁକୁ ଡାକିଥିଲେ । ଏନେଇ ଖଡ଼ିଆଳ ବନବିଭାଗର ସ୍ୱତନ୍ତ୍ର ଟିମ୍ ଖବର ପାଇ ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ିବସିଥିଲା ।

