ନୂଆଦିଲ୍ଲୀ : ଟ୍ରେନରେ ଯଦି ଯାଉଛନ୍ତି ଏଣିକି ହୋଇଯାଆନ୍ତୁ ସାବଧାନ । ଉଚ୍ଚସ୍ବରରେ କଥାବାର୍ତ୍ତା ଓ ଉଚ୍ଚ ଶବ୍ଦରେ ବିନା ଇୟର ଫୋନରେ ସଂଗୀତ ଶୁଣିବା ହେଲା ବ୍ୟାନ । ରେଳଯାତ୍ରାକୁ ଅଧିକ ଆରାମଦାୟକ କରିବା ଲାଗି ଏବେ କଡ଼ା କଟକଣା ଲଗାଇଛି ରେଳବାଇ । ଏଣିକି ଟ୍ରେନରେ ଯାତ୍ରାବେଳେ ଅଧିକ ଶବ୍ଦରେ କଥା ହେଲେ ଏବଂ ଅଧିକ ଶବ୍ଦ ଦେଇ ସଂଗୀତ ଶୁଣିଲେ ଦଣ୍ଡ ଭୋଗିବାକୁ ପଡ଼ିବ । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ରେଳବାଇ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯଦି କୌଣସି ଟ୍ରେନରେ ଏହି ସବୁ କାରଣ ଲାଗି ଯାତ୍ରୀମାନେ ଅସୁବିଧା ଭୋଗନ୍ତି, ଏଥିପାଇଁ ଟ୍ରେନରେ ମୁତୟନ ଥିବା କର୍ମଚାରୀ ଦାୟୀ ହେବେ । ସେହିପରି ଦଳବଦ୍ଧ ହୋଇ ଯାଉଥିବା ଯାତ୍ରୀମାନେ ଏଣିକି ବିଳମ୍ବିତ ରାତି ଯାଏ କଥାବାର୍ତ୍ତା ହୋଇପାରିବେ ନାହିଁ । ରାତି ୧୦ଟା ପରେ କେବଳ ନାଇଟ୍ ଲାଇଟକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଲାଇଟ୍ ଅଫ୍ କରାଯିବ । ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀଙ୍କ ସମସ୍ତ ସୁବିଧା ପ୍ରତି ଦୃଷ୍ଟି ଦେବାକୁ ଆରପିଏଫ, ଟିକେଟ୍ ଯାଞ୍ଚକାରୀ, କୋଚ ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଯାତ୍ରୀମାନେ ବିନା ଇୟର ଫୋନରେ ମ୍ୟୁଜିକ ନ ଶୁଣିବାକୁ ପରାମର୍ଶ ଦିଆଯାଇଥିବା ବେଳେ, ଫୋନରେ ଅଧିକ ସ୍ବରରେ କଥାବାର୍ତ୍ତା ନ ହେବାକୁ କୁହାଯାଇଛି । ଏହାସହ ଟ୍ରେନ ଯାତ୍ରା ସମୟରେ ଶାଳୀନତା ରକ୍ଷା କରିବାକୁ କୁହାଯାଇଛି । ଏଥିଲାଗି ସ୍ପେଶାଲ ଡ୍ରାଇଭ କରାଯାଇ ଲୋକଙ୍କୁ ସଚେତନ କରାଯିବ । ଟ୍ରେନ ଯାତ୍ରା ସମୟରେ ଲୋକମାନେ ଉଚ୍ଚ ସ୍ବରରେ କଥାହେବା, ମଜା କରିବା, ସଂଗୀତ ଶୁଣିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ଅନେକ ଅଭିଯୋଗ ହେବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
Comments are closed.