Latest Odisha News

BREAKING NEWS

ଗୋଟିଏ ଗୋଡ଼ରେ ଏଭରେଷ୍ଟ: ଦୁର୍ଘଟଣା ବଦଳାଇ ଦେଲା ଜୀବନ 

ଉତ୍ତରପ୍ରଦେଶ: ସାହାସୀ ସେହି ବ୍ୟକ୍ତି ଯିଏ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ପ୍ରସ୍ତୁତ ଥାଏ ସବୁ ସ୍ଥିତିର ମୁକାବିଲା କରିବାକୁ । ସେ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥାଆନ୍ତୁ ନା କାହିଁକି । ଯଦି ମାନସିକ ସ୍ତରରେ ସୁଦୃଢ, ତାଙ୍କୁ କେହି ବି ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରିପାରିବେ ନାହିଁ । ଏଭଳି ଜଣେ ପ୍ରେରଣାଦାୟୀ ମାଉଣ୍ଟେନର ହେଲେ ଅରୁଣିମା ସିନହା । ଯିଏ ଜଣେ ଦିବ୍ୟାଙ୍ଗ ହୋଇ ବି ଚଢିପାରିଥିଲେ ସର୍ବୋଚ୍ଚ ଗିରିସୃଙ୍ଗ ଏଭରେଷ୍ଟ । 

ଗୋଟିଏ ଗୋଡ ନଥିଲା । ହେଲେ ଥିଲା ହଜାର ହଜାର ମାଇଲ ଚାଲିବାର ଶକ୍ତି । ମନରେ ଥିଲା ଅସୁମାରୀ ସ୍ବପ୍ନ, ଧର୍ଯ୍ୟ ଓ ସାହାସ । ଆଉ ଏସବୁକୁ ବଳ କରି ଆଗେଇ ଚାଲିଥିଲେ ଦିବ୍ୟାଙ୍ଗ ପର୍ବତାରୋହୀ ଅରୁଣିମା ସିନହା । 

ଅରୁଣିମାଙ୍କ ଜନ୍ମ ଉତ୍ତରପ୍ରଦେଶ ଆମ୍ବେତକର ନଗରରେ ହୋଇଥିଲା । ଏବେ ଭଳି ସେ ପର୍ବତାରୋହୀ ନଥିଲେ । ଅଞ୍ଚଳର ଜଣେ ଶ୍ରେଷ୍ଠ ଭଲିବଲ୍ ପ୍ଳେୟାର ଭାବେ ଲୋକ ତାଙ୍କୁ ଜାଣୁଥିଲେ । ପୂର୍ବରୁ ସେ ଦିବ୍ୟାଙ୍ଗ ବି ନଥିଲେ । ଏକ ଦୁର୍ଘଟଣା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ଏକ ନାଟକୀୟ ଢଙ୍ଗରେ । 

୧୨ ଏପ୍ରିଲ ୨୦୧୧ ମସିହା କଥା । ଅରୁଣିମାଙ୍କୁ ସେତେବେଳକୁ ୨୩ ବର୍ଷ ବୟସ ହୋଇଥାଏ । କୌଣସି କାମ ପାଇଁ ଲକ୍ଷ୍ନୌ ରେଲୱେ ଷ୍ଟେସନରୁ ପଦ୍ମାବତୀ ଏକ୍ସପ୍ରେସରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥାନ୍ତି । ଚଳନ୍ତା ଟ୍ରେନରେ କିଛି ଦୁର୍ବୃତ୍ତ ଅରୁଣିମାଙ୍କୁ ଏକା ଦେଖି ତାଙ୍କ ଚେନ୍ ଟାଣିିବାକୁ ଚେଷ୍ଟା କରନ୍ତି । ଆଉ ବିଫଳ ହେବା ପରେ ତାଙ୍କୁ ଟ୍ରେନରୁ ଧକ୍କା ଦିଅନ୍ତି । ଏହି ଦୁର୍ଘଟଣାରେ ଅରୁଣିମା ଗୋଟିଏ ଗୋଡ଼ ହରାଇ ବସନ୍ତି । 

ଗୋଟିଏ ଗୋଡ ହରେଇବା ପରେ ବି ଅରୁଣିମାଙ୍କ ମନୋବଳ ଦୃଢ ଥିଲା । ଚିକିତ୍ସା ଚାଲିଥିବା ବେଳଠୁ ହିଁ ସେ ନିଷ୍ପତ୍ତି ନେଇଥିଲେ ଭଲିବଲ ଛାଡି, ପର୍ବତାରୋହଣ କରିବେ । ଏହି ନିଷ୍ପତ୍ତି ଶୁଣି ଅନେକ ଅରୁଣିମାଙ୍କୁ ତାତ୍ସଲ୍ୟ କରିଥିଲେ । କେହି କେହି ଭାବିଲେ ଅରୁଣିମା ପାଗଳ ହୋଇ ଗଲେଣି । ହେଲେ ଅରୁଣିମା ନିଜ ନିଷ୍ପତ୍ତିରେ ଅଟଳ ଥିଲେ । ହସ୍ପିଟାଲରୁ ଭଲ ହୋଇ ସିଧା ଯାଇଥିଲେ ଭାରତର ପ୍ରଥମ ମହିଳା ମାଉଣ୍ଟ ଏଭରେଷ୍ଟ ବିଜେତା ବଚୈନ୍ଦ୍ରୀ ପାଲଙ୍କ ପାଖକୁ । ସେ ତାଙ୍କଠାରୁ ପ୍ରଶିକ୍ଷଣ ନେବା ଆରମ୍ଭ କଲେ । ଦିନ ରାତି ଏକ କରି ପରିଶ୍ରମ କଲେ । ଆଉ ଦିନେ ସମର୍ଥ ହୋଇଗଲେ ତାଙ୍କ କଳ୍ପାକୁ ବାସ୍ତବ ରୂପ ଦେବାକୁ । ସ୍ବପ୍ନକୁ ସତ କରିବାକୁ । ୨୧ ମେ ୨୦୧୩ରେ ନିଜ ଟିମ୍ ସହ ବିଶ୍ବର ସର୍ବୋଚ୍ଚ ଗିରି ସୃଙ୍ଗ ଚଢିଲେ ଅରୁଣିମା । ଆଉ ରଚିଦେଲେ ଏକ ନୂଆ ଇତିହାସ । 

ଯେଉଁ ଯାଗାକୁ ବଡ ବଡ ମାଉଣ୍ଟେନର ଯିବାକୁ ପଛ ଘୁଞ୍ଚା ଦିଅନ୍ତି । ଯେଉଁ ଯାଗାକୁ ଯାଇ ଲୋକ ଫେରିବାର ଆଶା ଛାଡି ଦିଅନ୍ତି । ସେହି ଯାଗାକୁ ଅରୁଣିମା ଗୋଟିଏ ଗୋଡରେ ଚଢି ଫେରିକି ଆସିଛନ୍ତି । ଆଉ ସମସ୍ତଙ୍କୁ ଦେଖାଇ ଦେଇଛନ୍ତି ମଣିଷ ଦିବ୍ୟାଙ୍ଗ ଶାରୀରିକ ଭାବେ ଥାଏ, ମାନସିକ ଭାବେ ନୁହେଁ । ସ୍ବାର୍ଥପର ଏ ସମାଜକୁ ଜଣାଇ ଦେଇଛନ୍ତି ଗୋଟିଏ ଦିବ୍ୟାଙ୍ଗର ଶକ୍ତି କେତେ । କାହାକୁ ବିଶ୍ବାସ ହେଉନଥାଏ ଅରୁଣିମା ପ୍ରଥମ ଦିବ୍ୟାଙ୍ଗ ମହିଳା, ଯିଏ ଏତେ ବଡ ସଫଳତା ନିଜ ହାତ ମୁଠାକୁ ଆଣିଥିଲେ । 

୨୦୧୫ମସିହାରେ ଏହି ସାହାସୀ ଯୁବତୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ଲିଖିତ ‘ବର୍ଣ୍ଣ ଅଗେନ ଅନ ଦ ମାଉଣ୍ଟେନ’ ଲଞ୍ଚ କରିଥିଲେ । ଅରୁଣିମା କେବଳ ନିଜକୁ ଅସହାୟ ଭାବୁଥିବା ସେହି ଦିବ୍ୟାଙ୍ଗମାନଙ୍କ ପାଇଁ ଆଦର୍ଶ ନୁହେଁ, ସେ ସମଗ୍ର ମାନବ ଜାତି ପାଇଁ ଏକ ଉଦାହରଣ । 

Leave A Reply

Your email address will not be published.