ମୁମ୍ବାଇ: ନାରୀ ପ୍ରମାଣିତ କରିଛି, କେଉଁ ଗୁଣରେ ବି ସେ କାହାଠୁ କମ୍ ନୁହେଁ । ପୁରୁଷ ପ୍ରଧାନ ସମାଜରେ ନାରୀ ଆଜି ଆତ୍ମନିର୍ଭରଶୀଳ । ପ୍ରତ୍ୟେକ ବୃତ୍ତି ପ୍ରତ୍ୟେକ ସ୍ଥିତିରେ ନିଜକୁ ଖାପ ଖୁଆଇବାରେ ସାମର୍ଥ୍ୟ । ଏଭଳି ଜଣେ ମହିଳା ହେଉଛନ୍ତି ମହାରାଷ୍ଟ୍ରର ଶାନ୍ତିବାଇ ଯାଦବ ।
ଯେଉଁ ବ୍ୟବସାୟ କେବେ ଭାରତରେ ପୁରୁଷଙ୍କ ବୋଲି କୁହାଯାଉଥିଲା ତାକୁ ପ୍ରଥମ ମହିଳା ଭାବେ ଆପଣେଇଛନ୍ତି ଏହି ବୃଦ୍ଧା । ଶାନ୍ତିବାଇ ଏକ ସେଲୁନ ଦୋକାନ କରି ନିଜ ରୋଜଗାରର ମାଧ୍ୟମ କାଢିବା ସହ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।
ଶାନ୍ତିବାଇ ହେଉଛନ୍ତି ଭାରତର ପ୍ରଥମ ମହିଳା ବାରିକ । ଯିଏ ଆଜକୁ ୪୦ ବର୍ଷ ହେବ ଏହି କାମ କରି ଆସୁଛନ୍ତି । ସ୍ବାମୀଙ୍କ ଦେହାନ୍ତ ପରେ ଏକ ଫାର୍ମରେ ଶ୍ରମିକ ଭାବେ କାମ ଆରମ୍ଭ କରିଥିଲେ ଶାନ୍ତି । ପୁରା ଦିନ କାମ କରିବା ପରେ ମିଳୁଥିଲା ୫୦ ପଇସା । ଏତିକି ପଇସାରେ ୫ ପ୍ରାଣୀ କୁଟୁମ୍ବ ଚଳାଇବା କାଠିକର ପାଠ ଥିଲା । ଏତିକି ବେଳେ କାମକୁ ଆସିଥିଲା ଗାଁର ସଭାପତି ହରିଭାଉ କଡୁକ୍କରଙ୍କ ପରାମର୍ଶ ।
ହରିଭାଉ ଶାନ୍ତିବାଇଙ୍କୁ କହିଥିଲେ ଏକ ସେଲୁନ ଦୋକାନ ଖୋଲିବାକୁ । ଏହି କଥା ଶାନ୍ତିବାଇଙ୍କ ମନକୁ ପାଇଲା । ସେ ଆଉ ଡେରି କଲେନି । ନିଜ ଘରେ ଆରମ୍ଭ କଲେ ଏକ ସେଲୁନ ଦୋକାନ । ତାଙ୍କର ପ୍ରଥମ କଷ୍ଟମର ହରିଭାଉ ହିଁ ଥିଲେ । ଧିରେ ଧିରେ ଶାନ୍ତିବାଇଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ଜମିଲା । ମଜା କଥା ସେ ସମୟରେ ଲୋକ ସେଭିଂ ବଦଳରେ ପଇସା ଦେଉନଥିଲେ । ଦେଉଥିଲେ ଧାନ ଚାଉଳ । ଆଉ ଏଥିରେ ଶାନ୍ତିବାଇଙ୍କ ପରିବାର ଆରାମରେ ଚଳିଯାଉଥିଲା ।
କାମ ବଢିବା ସହ ଶାନ୍ତିବାଇଙ୍କ ଆତ୍ମବିଶ୍ବାସ ବଢିଲା । ଆଖାପାଖ ଗାଁ ଲୋକ ବି ବାରିକ କାମ ପାଇଁ ଶାନ୍ତିଙ୍କୁ ଡାକିଲେ । ଏହି ପଇସାରେ ଶାନ୍ତି ଏକ ଘର ତିଆରି କଲେ ଆଉ ନିଜ ୪ ଝିଅଙ୍କ ବାହାଘର ବି କରାଇଲେ ।
ଶାନ୍ତିଙ୍କୁ ଏବେ ୮୦ ବର୍ଷରୁ ଅଧିକ ହେଲାଣି । ଶାନ୍ତିବାଇଙ୍କ ଭଳି ଜଣେ ମହିଳା କେବଳ ଯେ ସମାଜ ପାଇଁ ଗୋଟିଏ ଉଦାହରଣ ତା ନୁହଁ । ଶାନ୍ତି ସମସ୍ତ ଜାତି ପାଇଁ ଜଣେ ଆଦର୍ଶ ଯାହାଙ୍କ ଦୃଢ ମନୋବଳ ନାରୀଙ୍କୁ ସବୁବେଳେ ମୁଣ୍ଡ ଟେକି ଠିଆ ହେବାକୁ ସାହାସ ଯୋଗାଇବ ।
Comments are closed.