ଇନ୍ଦୋର: ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ମୁକାବିଲା ଇନ୍ଦୋରରେ ଖେଳିବ । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଏହା ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ହୋଲକର ଷ୍ଟାଡିୟମ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଏହା ଏକ ହାଇ ସ୍କୋରିଂ ମ୍ୟାଚ ହେବ ବୋଲି ଆଶା କରାଯାଉଛି । ଭାରତର ପଲା ଏଠାରେ ସର୍ବଦା ଭାରୀ ରହିଛି । ଦିିନିକିଆ କ୍ରିକେଟରେ ଏ ପର୍ଯ୍ୟନ୍ତ ହୋଲକରରେ ଭାରତ ଅପରାଜେୟ ରହିଛି । ଏଠାରେ ଓଭରାଲ ଭାରତ ୭ଟି ମ୍ୟାଚ ଖେଳିଛି ଏବଂ ସମସ୍ତ ମୁକାବିଲାରେ ବିଜୟ ହାସଲ କରିଛି ।
୨୦୦୬ରେ ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ଭାରତ ଆରମ୍ଭ କରିଥିବା ବିଜୟ ଅଭିଯାନ ଏବେ ବି ବଳବତର ରହିଛି । ୨୦୨୩ରେ ଶେଷ ଥର ଭାରତ ଏଠାରେ ଅଷ୍ଟ୍ରେଲିଆକୁ ହରାଇଥିଲା । ପିଚ ସ୍ପିନରଙ୍କୁ ସର୍ବଦା ସୁହାଇଛି । ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଏହି ପିଚ ସର୍ବଦା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଏଠାରେ ଦ୍ୱିଶତକ ମାରିଥିଲେ । ଶୁଭମନ ଗିଲ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କଠାରୁ ପ୍ରଶଂସକମାନେ ନିଶ୍ଚିତ ଭାବେ ଏକ ବଡ ଇନିଂସ ଆଶା କରିବେ ।