Latest Odisha News

BREAKING NEWS

ପାଟଣାଗଡ ହସ୍ପିଟାଲରୁ ଚୋରି ନବଜାତ ଶିଶୁ ଉଦ୍ଧାର, ୨ ଗିରଫ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ହସ୍ପିଟାଲରୁ ମାର୍ଚ୍ଚ ୬ ତାରିଖରେ ଚୋରି ହୋଇଥିବା ନବଜାତ ଶିଶୁକୁ ଶନିବାର ଦିନ ପୋଲିସ ଉଦ୍ଧାର କରିବା ସହ ୨ ଜଣକୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ନବଜାତ ଶିଶୁ ଚୋରି ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏହି ଫୁଟେଜରେ ଉକ୍ତ ଶିଶୁ ଜଣେ ମହିଳା ବାଇକରେ ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ପୋଲିସ ଉକ୍ତ ବାଇକର ପଞ୍ଜିକରଣ ନମ୍ବରକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା ।

ଉଦ୍ଧାର କରାଯାଇଥିବା ନବଜାତ ଶିଶୁକୁ ତାର ପିତାମାତାଙ୍କୁ ହସ୍ତାନ୍ତର କରିଦିଆଯାଇଛି ।

ସୂଚନାଯୋଗ୍ୟ, ତେଲନପଲ୍ଲୀ ଅଞ୍ଚଳର ଜଣେ ମହିଳା ରବିବାର ଦିନ ଉକ୍ତ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମେଡିକାଲରେ ଉଭୟ ମା’ ଓ ନବଜାତକ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ଜଣେ ଅଜଣା ମହିଳା ଆଶାକର୍ମୀ ବେଶରେ ସେମାନଙ୍କ ପାଖକୁ ଯାଇ ଶିଶୁକୁ ଧରିଥିଲେ ଏବଂ ଛୁଆଟି ସୁନ୍ଦର ହୋଇଛି ବୋଲି କହି ଖୁସିରେ ସମ୍ପୃକ୍ତ ମା’ଙ୍କୁ ୧୦୦ଟଙ୍କା ଦେଇଥିଲେ । କିଛି ସମୟ ଯାଏଁ ନବଜାତକକୁ ଧରିବା ପରେ ଅଚାନକ ମହିଳା ଜଣକ ଶିଶୁଟିକୁ ଧରି ଦୌଡି ପଳାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ରୁଦ୍ରମଣି ଓ ତାଙ୍କ ପରିବାର ସଦସ୍ୟ ପାଟଣାଗଡ-ବଲାଙ୍ଗିର ରାସ୍ତାକୁ ଅବରୋଧ କରିଥିଲେ । ପରବର୍ତ୍ତୀ ସମୟରେ ପାଟଣାଗଡ ଏଏସଆଇ ଘଟଣାସ୍ଥଳରେ ପହଞ୍ଚି ରୁଦ୍ରମଣିଙ୍କୁ ପିଟିଥିଲେ, ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲେ ।

ଏହି ଘଟଣା ସମ୍ପର୍କରେ ଖବର ପାଇ ବଲାଙ୍ଗିର ଏସପି ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୁଦ୍ରମଣିଙ୍କ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇ କହିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାର ତଦନ୍ତ କରି ଏଏସଆଇଙ୍କୁ ନିଲମ୍ବିତ କରାଯାଇଥିଲା ।

Leave A Reply

Your email address will not be published.