ଭୁବନେଶ୍ବର : ବିଜେପୁରରେ ପ୍ରାର୍ଥୀ ରିପିଟ୍ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡିରୁ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ସନତ ଗଡତିଆ । ଦିନେ କଂଗ୍ରେସର ଗଡ ରହିଥିଲା ବିଜେପୁର । କଂଗ୍ରେସରୁ ସୁବଳ ସାହୁ ତିନି ତିନି ଥର ବିଜେପୁରରୁ ବିଜୟୀ ହୋଇଥିଲେ । ତେବେ ୨୦୧୮ରେ ତାଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଆଉ ବିଜେଡିର ଏହି ଗୋଟି ସଫଳତା ବି ଆଣିଥିଲା । ରୀତା ସାହୁ ବିଜୟୀ ହୋଇଥିଲେ ।
୨୦୧୯ରେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୫୭ହଜାରରୁ ଅଧିକ ବ୍ୟବଧାନରେ ବିଜେପିର ସନତ ଗଡତିଆଙ୍କୁ ହରାଇ ବିଜୟୀ ହୋଇଥିଲେ ନବୀନ । ତେବେ ନବୀନ ବିଜେପୁର ଆସନ ଛାଡିବା ପରେ ସେଠାରୁ ଉପନିର୍ବାଚନରେ ପୁଣି ବିଜୟୀ ହୋଇଥିଲେ ରୀତା ସାହୁ । ବିଜେପିରୁ ସନତ ଗଡତିଆଙ୍କୁ ପ୍ରାୟ ଲକ୍ଷେ ଭୋଟ ବ୍ୟବଧାନରେ ହରାଇଥିଲେ । ଏଥର ବିଜୟର ହ୍ୟାଟ୍ରିକ ଲଗାଇବାକୁ ରଣନୀତି କରୁଛନ୍ତି ରୀତା ସାହୁ ।
ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜେପୁରରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଉଭୟ ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ରହିଛି। ରୀତା ସାହୁଙ୍କୁ କିଛି ବିଜେଡି ନେତା ଓ କର୍ମୀ ବିରୋଧ କରୁଛନ୍ତି ତ ସନତ ଗଡତିଆଙ୍କୁ ନେଇ ବି ବିଜେପିରେ ଅସନ୍ତୋଷ ରହିଛି । ସେପଟେ କଂଗ୍ରେସ ଏଥର ନୂଆ ଚେହେରା ଭାବେ କିଶୋର ଦଫାଦାରଙ୍କୁ ପ୍ରାର୍ଥୀ କରିଛି ।
Comments are closed.