ଇନସୋମ୍ନିଆ
ନିଖିଳେଶ ମିଶ୍ର
ଯଥେଷ୍ଟ ହୁଏନାଇଁ ଜମା।
ଶୋଷକୁ ପାଣି,
ଚିତ୍କାରକୁ ପ୍ରତିଧ୍ୱନି,
ସ୍ୱପ୍ନକୁ ନିଦ,
କି ମୋ’ ଅଭିମାନକୁ ତମ ଭଲପାଇବା –
ଜମାରୁ ଯଥେଷ୍ଟ ହୁଏନାଇଁ।
ତମେ ଯେବେ ଶୋଇପଡ଼,
ତମ ଶେଯ ପାଖରେ ଧୀମା ସ୍ୱରରେ
କଥା ହୁଅନ୍ତି ଏମାନେ ସବୁ –
ମୋ’ ଶୋଷ, ମୋ’ ଚିତ୍କାର, ମୋ’ ସ୍ୱପ୍ନ,
ଆଉ ଅଭିମାନ ମୋ’ର,
ଭାବନ୍ତି ତମକୁ ଉଠେଇବେ କି ନା ନିଦରୁ,
ଉଠାନ୍ତିନି, ଫେରି ଆସନ୍ତି।
ସକାଳକୁ ତମେ ଭାରି ଚିଡ୍ ଚିଡ୍ ହୁଅ,
କୁହ କେମିତି ନିଦ ହେଲାନି ରାତିସାରା,
କେମିତି ସାରାରାତି ଶୁଭୁଥିଲା ପାଟିତୁଣ୍ଡ
କେଜାଣି କାହାର। ସକାଳକୁ
କେଜାଣି କାଇଁକି ତମେ
ମତେ ଦୋଷ ଦିଅ।
ତମେ କଣ ଜାଣିନ ଏଯାଏଁ –
ଯୋଉମାନଙ୍କ କଥାବାର୍ତ୍ତାରେ
ଚହଲିଯାଏ ନିଦ ତମର, ସେମାନେ ସମସ୍ତେ
ତମରି ସ୍ୱପ୍ନ, ତମରି ଅଭିମାନ, ତମରି
ଚିତ୍କାର, ତମରି ଶୋଷ।
ଦିନେ କେବେ ପଠେଇ ଦିଅ ସେମାନଙ୍କୁ
ମୋ ପାଖକୁ।
ଠିକଣା ତ ମନେଥିବ ମୋ’ର!
ସେମିତି ବି ମତେ
ଆଜିକାଲି
ଜମା ନିଦ ହୁଏନାଇଁ।
Comments are closed.