Latest Odisha News

BREAKING NEWS

ଠିକାଦାରଙ୍କୁ ଦଣ୍ଡିତ କରିବା ବଦଳରେ ଲୋକଙ୍କୁ ନାଲି ଆଖି ଦେଖାଉଛନ୍ତି ସରକାର: ବିରୋଧୀ

ଭୁବନେଶ୍ୱର: ନୂଆ ପିଚୁ ପଡିଥିବା ରାସ୍ତାକୁ ମାସକ ଭିତରେ ଯିଏ ଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ ଏଭଳି ଚେତାବନୀ ଦେବା ପରେ ଏହାକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଲୋକେ ରାସ୍ତା କାମର ମାନ ଜାଣିବାକୁ ଚାହିଁଲେ ଏ ସରକାର ନାଲି ଆଖି ଦେଖାଇ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଉଛି। କିନ୍ତୁ ଯେଉଁ ଠିକାଦାର ନିମ୍ନ ମାନର କାମ କରୁଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ଏ ସରକାର ଉଁ କି ଚୁଁ କହୁ ନାହାନ୍ତି।

ବିଜେପି ନେତା ପ୍ରଦୀପ ପୂରୋହିତ କହିଛନ୍ତି, ଯନ୍ତ୍ରୀଙ୍କର ଏପରି ନିର୍ଦ୍ଦେଶନାମା ଠିକାଦାରଙ୍କ ସୁରକ୍ଷା ପାଇଁ ହୋଇଛି । ବିଭିନ୍ନ ସ୍ଥାନରେ ଟେଣ୍ଡର ଫିକ୍ସି ହେଉଛି, ନିମ୍ନ ମାନର ରାସ୍ତା କାମ ହେଉଛି । ଏହା ସବୁ ଲୋକ ଜାଣନ୍ତି । ରାସ୍ତା କାମ ବେଳେ ପିଚୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯେଉଁ ପରିମାଣରେ ମିଶାଇବା କଥା ମିଶାଉ ନାହାନ୍ତି । ଶାସକ ଦଳର ନେତା ଏବଂ ମନ୍ତ୍ରୀ ଠିକାଦାରଙ୍କ ଦ୍ୱାରା ବୋଧହୁଏ ଚାନ୍ଦା ଆଦାୟ କରୁଛନ୍ତି । ତେଣୁ ଠିକାଦାରଙ୍କୁ ସୁରକ୍ଷା ଦେବାକୁ ଯାଇ ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି, ରାଜଧାନୀରେ ପୋଲ ଭୁଶୁଡି ପଡିଲା କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । ଲୋକେ ନିମ୍ନ ମାନର କାମ ହୋଇଥିବା ହୃଦବୋଧ କରି ଖୋଳିଲେ । ଏଥିରେ କାର୍ଯ୍ୟାନୁଷ୍ଠାନ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି କାମ ନିମ୍ନ ମାନର ହୋଇଥିବ ତାହେଲେ ସେଇ ରାସ୍ତା ତିଆରି କରିଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଗଲାନି, ବରଂ ଓଲଟା ଲୋକଙ୍କୁ ନାଲି ଆଖି ଦେଖାଇଲ । ପୂର୍ବରୁ ପିସି କାରବାର ବନ୍ଦ ହୋଇଗଲା ବୋଲି ଏ ସରକାର କହିଲେ । ଅନେକ ପ୍ରଶଂସା ଏ ସରକାର ସାଉଁଟିଲେ । ହେଲେ ଏବେ ଦେଖନ୍ତୁ ପିସି କାରବାର ବହୁତ ବଢିଛି । ନିମ୍ନ ମାନର କାମ ହେବାର ମୂଳ କାରଣ ହେଉଛି ପିସି କାରବାର ।

ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ନିମ୍ନ ମାନର କାମ ହେଉଛି ବୋଲି ନୁହେଁ, ଅନେକ କାମ କରିବା ବେଳେ ମଧ୍ୟ ଏପରି ହେଉଛି । ପାଣି ସଂଯୋଗ ପାଇଁ କାମ କରିବା ବେଳେ ମଧ୍ୟ ଏପରି ହେଉଛି । ତେଣୁ ଯନ୍ତ୍ରୀ ଏପରି ନିର୍ଦ୍ଦେଶ ଦେଇଥାଇପାରନ୍ତି ।

ତେବେ ଏପରି ନିର୍ଦ୍ଦେଶନାମା ଜାରି କରିଥିବା ଯନ୍ତ୍ରୀ ପ୍ରଦୀପ କୁମାର ସାମଲ କହିଛନ୍ତି, ନୂଆ ପିଚୁ ରାସ୍ତା ତିଆରି ହେବାର ମାସକ ଭିତରେ ରାସ୍ତା ଖୋଳା ହେଉଥିବାର ଅନେକ ନଜିର ରହିଛି । ଏହା ଏବେ ସବୁଠି ଦେଖିବାକୁ ମିଳିଛି । ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।

Comments are closed, but trackbacks and pingbacks are open.