Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସଚିବମାନଙ୍କ ସହିତ ଆଲୋଚନା କରିଥିଲେ ।

ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ୍ ସେବା, ବିଦ୍ୟୁତ୍ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ବାତ୍ୟା ପରେ ପରେ ଶିକ୍ଷାନୁଷ୍ଠାନଗୁଡିକ ଚାଲୁକରିବା ସଂପର୍କରେ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ବାତ୍ୟା ହେଲେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ତୁରନ୍ତ ଯୋଗାଇବା ପ୍ରମୁଖ ଆହ୍ୱାନ ହୋଇଥାଏ । ସେହିଭଳି ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଆବଶ୍ୟକ ଡିଜି/ଜେନେରେଟର ସେଟ୍ ସବୁବେଳେ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ସ୍ଥିତି ଉପରେ ନଜର ରଖି ୨୩ ଓ ୨୪ ତାରିଖରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ଓଭରହେଡ୍ ପାଣି ଟାଙ୍କି ଗୁଡିକ ଶତ ପ୍ରତିଶତ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶକ୍ତି ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଭାଗ ଏବଂ ଅନ୍ୟ ବିଭିନ୍ନ ସେବା ପାଇଁ ସମନ୍ୱୟ ରଖି ଆବଶ୍ୟକ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେନେରେଟର ସେଟ୍ ଗୁଡିକର ସଚଳ ରହିବା ପାଇଁ ଯାନ୍ତ୍ରିକ ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ ସମସ୍ତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି ।

ଜେନେରେଟର ସେଟ୍ ଗୁଡିକ ଡିଜେଲ ସହ ପ୍ରସ୍ତୁତ ରଖିବା ସହିତ ଯଥା ଶୀଘ୍ର ସେଗୁଡିକ ଟ୍ରାଏଲ ରନ୍ ( ପରୀକ୍ଷା କରି ପ୍ରସ୍ତୁତ ରଖିବାକୁ) ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ଆବଶ୍ୟକ ହେଉଥିବା ସ୍ଥାନ ଓ ଅଂଚଳ ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ଯଥେଷ୍ଟ ପ୍ରସ୍ତୁତି କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ଜଳ ସଂଚୟ ରଖିବା, ବାତ୍ୟା ସମୟରେ ଓ ବାତ୍ୟା ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଜଳର ଉପଯୁକ୍ତ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Leave A Reply

Your email address will not be published.