ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯୋଗ୍ୟ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବାକୁ ବୀମା କମ୍ପାନୀ ଗୁଡିକ ସହ ପରାମର୍ଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ । ଏହା ସହ ଏଥିରେ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ଡ଼ ପାଢ଼ୀ ସ୍ପଷ୍ଟ କରିଛନ୍ତି ।
ଏଥିସହିତ, ଅଦିନିଆ ବର୍ଷାଯୋଗୁଁ କଟା ହୋଇ ଜମିରେ ଥିବା ଧାନ ଫସଲର କ୍ଷତି ହୋଇଥିଲେ, କ୍ଷତିପୂରଣ ବାବଦରେ ସୂଚନା ଦେବା ନିମନ୍ତେ କୃଷି ରକ୍ଷକ ହେଲ୍ପଲାଇନ ନମ୍ବର ୧୪୪୪୭ କିମ୍ବା କୃଷି ରକ୍ଷକ ଆପ୍ କିମ୍ବା କ୍ରପ୍ ଇନସୁରାନ୍ସ ଆପ୍ ଅଥବା PMFBY ହ୍ବାଟସଆପ୍ ନମ୍ବର୍ ୭୦୬୫୫୧୪୪୪୭ରେ ତୁରନ୍ତ ଯୋଗାଯୋଗ କରିବା ପାଇଁ ଚାଷୀଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପାଢୀ ।
ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସୂଚନା ଦେବାର ଅବଧିକୁ ୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଢ଼ାଇଛନ୍ତି ।
ସୂଚନାଯୋଗ୍ୟ, ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ ପାଇଁ ଆଜି ବୀମା କମ୍ପାନୀ ମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଓ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଉପସ୍ଥିତ ଥିଲେ ।
Comments are closed.