Latest Odisha News

BREAKING NEWS

ସ୍ତନ ପୁନର୍ଗଠନ ସଚେତନତା ଉପରେ ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ଗୁରୁତ୍ୱ

ଭୁବନେଶ୍ୱର: ନୂତନ ଶଲ୍ୟ ଚିକିତ୍ସା ଦ୍ୱାରା ମହିଳାଙ୍କ ସ୍ତନ ପୁନର୍ଗଠନ ଦିଗରେ ସଚେତନତା ନେଇ ବିଶ୍ୱର ଅଗ୍ରଣୀ ପ୍ଲାଷ୍ଟିକ୍ ସର୍ଜନ ଡକ୍ଟର ଦାମିର୍ କୋସୁଟିକ୍ ଗୁରୁତ୍ୱ ଆରୋପ କରିଛନ୍ତି ।

ଯଦି ଜଣେ ମହିଳା ସ୍ତନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟଙ୍କୁ ତାଙ୍କ ସ୍ତନର କେତେକ ଅଂଶ ଅଥବା ଦୁଇଟି ଯାକ ସ୍ତନକୁ କାଢ଼ିବାକୁ ପଡ଼ିଥାଏ । ଏହାହିଁ ହେଉଛି ଚିକିତ୍ସାର ପଦ୍ଧତି । ଏହାଦ୍ୱାରା ରୋଗୀର ମନସ୍ତତ୍ୱ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ୟୁନାଇଟେଡ୍ କିଙ୍ଗଡମ୍, ମାଂଚେଷ୍ଟର ସ୍ଥିତ କ୍ରିଷ୍ଟି ହସ୍ପିଟାଲ୍ର ସିନିୟର ପ୍ଲାଷ୍ଟିକ୍ ସର୍ଜନ ଡଃ କୋସୁଟିକ୍ କହିଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ‘ପୋଷ୍ଟ-ମାସ୍ଟେକ୍ଟୋମୀ ବ୍ରେଷ୍ଟ ରିକନ୍ଷ୍ଟ୍ରକ୍ସନ୍’ ଶୀର୍ଷକ ଆଲୋଚନା ଚକ୍ରରେ ଭାଷଣ ଦେଇ ଡଃ କୋସୁଟିକ୍ ଏହି ମତ ରଖିଛନ୍ତି ।

ନୂତନ ଚିକିତ୍ସା ପଦ୍ଧତି ଫଳରେ ସ୍ତନ ପୁନର୍ଗଠନ ପ୍ଲାଷ୍ଟିକ୍ ସର୍ଜରୀର ସାହାଯ୍ୟରେ ସମ୍ଭବ ହୋଇପାରିବ । ବିଭିନ୍ନ ପଦ୍ଧତିରେ ଏହା କରାଯାଇପାରିବ ବୋଲି ସେ କହିଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମାଇକ୍ରୋ ଭାସ୍କୁଲାର୍ ସର୍ଜରୀ ପଦ୍ଧତିରେ ତଳି ପେଟରୁ ଟିସ୍ୟୁଗୁଡ଼ିକ ଆଣି ପ୍ରତ୍ୟାରୋପଣ କରିବା । ଏହା ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ସ୍ତନ ଭଳି ଦେଖାଯାଏ ଏବଂ ଏହାଦ୍ୱାରା ରୋଗୀର ମାନସିକ ସ୍ଥିତିରେ ଉନ୍ନତି ହୋଇଥାଏ ।

ତେଣୁ ଏଭଳି ସର୍ଜରୀ କରାଇବା ଦିଗରେ ସଚେତନତା ସୃଷ୍ଟି କରାଇବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା କି ମହିଳାମାନେ ହରାଇ ବସୁଥିବା ସ୍ତନ ପୁନର୍ଗଠନ କରାଇପାରିବ ବୋଲି ସେ କହିଛନ୍ତି । ତେବେ ଏ ଦିଗରେ ବ୍ରେଷ୍ଟ କ୍ୟାନ୍ସର ରୋଗରେ ପୀଡିତ ହେଉଥିବା ମହିଳା ରୋଗୀମାନଙ୍କୁ ସଚେତନ କରାଇବା ନିମନ୍ତେ ସେମାନଙ୍କୁ ଚିକିତ୍ସା କରୁଥିବା ଅଙ୍କୋ ସର୍ଜନମାନଙ୍କର ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ବର୍ନସ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଡଃ କୋସୁଟିକ୍ଙ୍କୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବର୍ନସ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗର ମୁଖ୍ୟ ଡଃ ଜୟନ୍ତ କୁମାର ଦାସ ମଧ୍ୟ ତାଙ୍କର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.