ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଶୁକ୍ରବାର କାର୍ଯ୍ୟକ୍ରମର ଉଦ୍ଘାଟନୀ ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ନିଜର ଅଭିଭାଷଣରେ ମନ୍ତ୍ରୀ ସୂରଜ ସମସ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଓଡ଼ିଶୀ ନୃତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ।
ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ କହିଥିଲେ ଯେ, ଓଡ଼ିଶୀ ନୃତ୍ୟକୁ ନେଇ ଆମେ ଓଡ଼ିଆମାନେ ଗର୍ବିତ। ଓଡ଼ିଶୀ ନୃତ୍ୟ ଆଜି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ଏଥିସହ ଆଇ.ଆଇ.ଟି ଭୁବନେଶ୍ୱର ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓଡ଼ିଶୀ ନୃତ୍ୟକୁ ବିଟେକ୍ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ସହ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ମଧ୍ୟ ଓଡ଼ିଶୀ ସେଣ୍ଟର ସ୍ଥାପିତ ହୋଇଛି।
ଉଦ୍ଘାଟନୀ ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ନୃତ୍ୟଶିଳ୍ପୀମାନେ “ମଙ୍ଗଳା ଚରଣ” ପରିବେଷଣ କରିଥିଲେ। ଉଦ୍ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲା ବିଶିଷ୍ଟ ନୃତ୍ୟଶିଳ୍ପୀ ଗୁରୁ ବିଷ୍ଣୁତତ୍ତ୍ୱ ଦାସଙ୍କ ଓଡ଼ିଶୀ ନୃତ୍ୟ। ଜୟଦେବଙ୍କ ରଚିତ “ଗୀତଗୋବିନ୍ଦର ଶେଷ ଅଷ୍ଟପଦୀ”କୁ ଗୁରୁ ବିଷ୍ଣୁତତ୍ତ୍ୱ ଦାସ ସୁନ୍ଦର ଭାବେ ନିଜ ନୃତ୍ୟରେ ପ୍ରଦର୍ଶିତ କରିଥିଲେ। ଏଥିସହ ନୃତ୍ୟଶିଳ୍ପୀ ଅର୍ପିତା ପାଣି, ତୁଲିକା ତ୍ରିପାଠୀ, ପ୍ରଶାନ୍ତି ଜେନା, ପ୍ରଭୁତୋଷ ପଣ୍ଡା ଏକକ ଓଡ଼ିଶୀ ନୃତ୍ୟ, ନୃତ୍ୟଶିଳ୍ପୀ ତନ୍ମୟ ସମାଦାର ଏବଂ ଫର୍ଜନା ଜାସ୍ମିନ, ଜି. ସଞ୍ଜୟ ଏବଂ ଡ଼ାଏନା ଘୋଷ ଦ୍ୱୈତ୍ୟ ଓଡ଼ିଶୀ ନୃତ୍ୟ ଏବଂ ସଂକଳ୍ପ ଫାଉଣ୍ଡେସନର ନୃତ୍ୟଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶୀ ନୃତ୍ୟକୁ ଆଧାର କରି ନିର୍ମିତ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଚିତ୍ରକଳା ପ୍ରଦର୍ଶନୀର ଶୀର୍ଷକ ରହିଛି “ଚିତ୍ର, ନୃତ୍ୟ ଓ ସଂଗୀତର ଉତ୍ସବ”, ଯେଉଁଥିରେ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଓଡ଼ିଶୀ ନୃତ୍ୟର ଚିତ୍ରକଳାକୁ ସ୍ଥାନିତ କରାଯାଇଛି। ଏଥିସହ ମନ୍ତ୍ରୀ ସୂରଜ ଓଡ଼ିଶୀ ନୃତ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ବାଲୁକା ଚିତ୍ରକଳାର ଭୂୟସୀ ପ୍ରଶଂସା କରିଥିଲେ।
ଚଳିତ ବର୍ଷର ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ “ମୋ ଓଡ଼ିଶୀ” ନାମରେ ଏକ ସେଲ୍ଫି ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଇଛି ଯାହାକି ଯୁବ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଛି। ଏଥିସହ ରବୀନ୍ଦ୍ର ମଣ୍ଡପ ପରିସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ ରହିବା ସହ ମିଲେଟ ଫୁଡ଼ ଷ୍ଟଲ ମଧ୍ୟ ରହିଛି।
ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରାୟ ୩୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ଭାରତ ବାହାରୁ ପ୍ରାୟ ୧୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ଛତିଶଗଡ଼ ଆଦି ରାଜ୍ୟ ସହ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ମାଲେସିଆ ଆଦି ଦେଶର ନୃତ୍ୟଶିଳ୍ପୀମାନେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି।
ଉଦ୍ଘାଟନୀ ସମାରୋହରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ସମସ୍ତ ନୃତ୍ୟଶିଳ୍ପୀମାନଙ୍କୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।