Latest Odisha News

ଆଇଓସିଏଲ୍ ଭଦ୍ରକରେ ପ୍ରତିଷ୍ଠା କରିବ ‘ଟେକ୍ସଟାଇଲ୍ ପାର୍କ’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିସନ ପୂର୍ବୋଦୟକୁ ସଫଳ କରିବା ପାଇଁ ପୂର୍ବ ଭାରତର ବିକାଶ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାରେ ପ୍ରାକୃତିକ ସମ୍ପଦ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଥିଲେ ମଧ୍ୟ, ଏହା କେତେକ କ୍ଷେତ୍ରରେ ପୂର୍ବ ଭାରତର ଅନ୍ୟ ରାଜ୍ୟ ତୁଳନାରେ ପଛୁଆ ରହିଯାଇଛି । କେନ୍ଦ୍ର ସରକାର ରାଜ୍ୟର ବିକାଶ ଦିଗରେ ସମସ୍ତ ପ୍ରୟାସ କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ବିକାଶ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଆମକୁ ଏହି ସୁଯୋଗର ହାତଛଡା ନ କରି ଏହାର ସଦୁପଯୋଗ କରିବା ଆବଶ୍ୟକ ବୋଲି ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ“ଆଓସିଏଲରେ ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଏବଂ ବୟନ ଶିଳ୍ପରେ ବିନିଯୋଗ ସୁଯୋଗ” ବିଷୟବସ୍ତୁ ଉପରେ ଆୟୋଜିତ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଓସିଏଲ୍‌ର ମାନବସମ୍ବଳ ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର କହିଛନ୍ତି ।

ସେ କହିଥିଲେ ଯେ, ”ଆଓସିଏଲ୍ ବହୁ ବ୍ୟକ୍ତି ବିଶେଷଙ୍କ ପ୍ରୟାସ ଦ୍ୱାରା  ସମ୍ଭବ ହୋଇପାରିଛି । ବର୍ତ୍ତମାନ ରାଷ୍ଟ୍ରକୁ ଏବଂ ସମାଜକୁ କିଛି ଫେରାଇବାର ସମୟ । ଦେଶର ସିଂହଭାଗ ଲୁହାପଥର, କୋଇଲାଖଣି ଆମ ପାଖରେ କିନ୍ତୁ ଆମେ କାହିଁକି ପଛରେ ? ଆମକୁ ଆହ୍ୱାନକୁ ଗ୍ରହଣ କରିବାକୁ ପଡିବ ଏବଂ ବିକାଶ ପଥରେ ଆଗେଇବାକୁ ପଡିବ । ଓଡିଶାବାସୀ ପାଇଁ ଭଦ୍ରକରେ ଖୁବ୍‌ଶୀଘ୍ର ବୟନ ଶିଳ୍ପର ଏକ ପାର୍କ କରିବାକୁ ଆମେ ପ୍ରସ୍ତୁତ ହେଉଛୁ ।”

ଏହି ୱେବିନାରରେ ଆଓସିଏଲର ବିଡି, ପେଟ୍ରୋକେମିକାଲ୍ସ ଧନଞ୍ଜୟ ସାହୁ ଆଓସିଏଲରେ ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଏବଂ ବୟନ ଶିଳ୍ପରେ ବିନିଯୋଗ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଏକ ପ୍ରେଜେଣ୍ଟେସନ ପ୍ରଦାନ କରି ସେ ଆଇଓସିଏଲର ପାରାଦୀପ ପ୍ଲାଷ୍ଟିକ ପାର୍କ, ଭଦ୍ରକରେ ବୟନ ଶିଳ୍ପ ପାର୍କ ବିଷୟରେ ଆଲୋଚନା କରିଥିଲେ । ଏହି  ବୟନ ଶିଳ୍ପ ପାର୍କ ୨୦୨୩-୨୪ ରେ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଛନ୍ତି ।

ଆଓସିଏଲ୍ ର ପେଟ୍ରୋକେମିକାଲ୍ସ ସିଜିଏମ ଏ.ଭି ରଘୁନନ୍ଦନ କହିଥିଲେ, ”ଆମ ଦେଶ ତଥା ରାଜ୍ୟରେ ବୟନ ଶିଳ୍ପ ଏବଂ ପ୍ଲାଷ୍ଟିକ ଶିଳ୍ପ କ୍ଷେତ୍ରରେ ବହୁଳ ସୁଯୋଗ ରହିଛି । ଆଗାମୀ ବର୍ଷମାନଙ୍କରେ ଏହାର ଚାହିଦା ୨୦-୨୫ ପ୍ରତିଶତ ବୃଦ୍ଧି ପାଇବ । ଏହି ଚାହିଦାକୁ ପୂରଣ କରିବା ପାଇଁ ଡାଉନଷ୍ଟ୍ରିମ୍‌ରେ ସୁଯୋଗ ମଧ୍ୟ ସେହିଭଳି ଭାବେ ହେବା ଆବଶ୍ୟକ । ଭଦ୍ରକରେ ହେବାକୁ ଥିବା ବୟନ ଶିଳ୍ପ ପାର୍କ ନିଶ୍ଚିତ ଭାବରେ ବିଭିନ୍ନ ସୁଯୋଗ ସୃଷ୍ଟି କରିପାରିବ । ଏହି ବିଶ୍ୱସ୍ତରୀୟ ସୁବିଧା ଆମେ କିପରି ଆଗକୁ ନେଇ ପାରିବା ସେ ଦିଗରେ ଆମକୁ ଭାବିବା ଆବଶ୍ୟକ ।”

ପେଟ୍ରୋକେମିକାଲ୍ସ , ସିଜିଏମ୍ ଧନଞ୍ଜୟ ଶ୍ରୀବାସ୍ତବ କହିଥିଲେ ଯେ ପ୍ଲାଷ୍ଟିକ୍ ପାର୍କ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ବହୁ ସୁବିଧାମାନ ରହିଛି । ସେ ଏ ବିଷୟରେ ବିସ୍ତୃତଭାବେ ବ୍ୟାଖ୍ୟା କରିଥିଲେ ।  ଅମ୍ନାୟ କର୍ପୋରେସନର ବୋର୍ଡ ସଦସ୍ୟ ପାର୍ଥସାରଥୀ ମିଶ୍ର ଏହି ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ ।

Comments are closed.