Latest Odisha News

BREAKING NEWS

ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ

ମଶହାଦ (ଇରାନ): ଆକାଶମାର୍ଗରେ ଉଡ଼ାଣ ଭରୁଥିବା ବେଳେ ହଠାତ୍ ଯଦି ବିମାନର ଛାତ ଖସିପଡ଼େ, ତେବେ ଯାତ୍ରୀଙ୍କ ଅବସ୍ଥା କ’ଣ ହେବ ତାହା ଆପଣ କଳ୍ପନା କରିପାରୁଥିବେ । ଠିକ୍ ଏମିତି ଏକ ଛାତିଥରା ଘଟଣା ଘଟିଛି ଇରାନରେ। ଇରାନର ‘ସେପେହରାନ ଏୟାରଲାଇନ୍ସ’ର ଏକ ବୋଇଂ-୭୩୭ ବିମାନ ଜରୁରୀକାଳୀନ ଅବତରଣ କରିବା ସମୟରେ ଏହାର କ୍ୟାବିନ୍ ଛାତର ଏକ ବଡ଼ ଅଂଶ ଯାତ୍ରୀଙ୍କ ଉପରେ ଖସି ପଡ଼ିଥିଲା । ଏହି ଘଟଣାର ଏକ ଲୋମଟାଙ୍କୁରା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯାତ୍ରୀମାନେ ଭୟରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ଘଟିନାହିଁ ।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ବିମାନଟି ଇରାନର ମଶହାଦ ବିମାନବନ୍ଦରରୁ କେରମାନଶାହ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଟେକ୍-ଅଫ୍ କରିବାର ମାତ୍ର କିଛି ସମୟ ପରେ ବିମାନର ଲ୍ୟାଣ୍ଡିଂ ଗିୟରରୁ ଗୋଟିଏ ଟାୟାର ଫାଟି ଯାଇଥିଲା। ଏହା ଫଳରେ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବା ସହ ପୂରା ବିମାନଟି ଭୟଙ୍କର ଭାବେ ଥରିବାକୁ ଲାଗିଥିଲା। ସ୍ଥିତି ବିଗିଡ଼ୁଥିବା ଦେଖି ପାଇଲଟ୍ ତୁରନ୍ତ ଏମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଏବଂ ବିମାନଟିକୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ପୁଣିଥରେ ମଶହାଦ ବିମାନବନ୍ଦର ଆଡ଼କୁ ମୁହାଁଇଥିଲେ ।

ଇରାନ ନ୍ୟୁଜ୍ ଏଜେନ୍ସି ‘ଆଖରିନ୍ ଖବର’ ଦ୍ୱାରା ଜାରି କରାଯାଇଥିବା ଏବଂ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନଟି ଜରୁରୀ ଅବତରଣ କରିବା ବେଳେ ପ୍ରବଳ କମ୍ପନ ଯୋଗୁଁ ଯାତ୍ରୀବାହୀ କ୍ୟାବିନ୍‌ର ଭିତର ଛାତ ଖୋଲି ଯାଇଥିଲା । ଛାତର ପ୍ୟାନେଲ୍ ଏବଂ ଅନ୍ୟାନ୍ୟ ସରଞ୍ଜାମ ଯାତ୍ରୀଙ୍କ ଉପରେ ଖସିପଡ଼ିଥିଲା। ଫଳରେ ବିମାନର ଆଭ୍ୟନ୍ତରୀଣ ଢାଞ୍ଚା ପଦାକୁ ଦିଶୁଥିଲା । ଏହି ସମୟରେ ଭୟଭୀତ ହୋଇ ଯାତ୍ରୀମାନେ କାନ୍ଦିବା ସହ ପ୍ରାଣ ବିକଳରେ ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

ବିମାନଟି ସୁରକ୍ଷିତ ଭାବେ ରନୱେରେ ଲ୍ୟାଣ୍ଡ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ’ ସଦସ୍ୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ଏୟାରଲାଇନ୍ସ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ଏହି ଜରୁରୀ ଅବତରଣ ଯୋଗୁଁ ମଶହାଦ ବିମାନବନ୍ଦରର ରନୱେକୁ କିଛି ସମୟ ପାଇଁ ବନ୍ଦ ରଖାଯାଇ ପରେ ଖୋଲାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ମାତ୍ର କିଛି ସପ୍ତାହ ତଳେ ଅଗଷ୍ଟ ୨୫ ତାରିଖରେ ଏହି ସମାନ ବିମାନବନ୍ଦରରେ ସେପେହରାନ ଏୟାରଲାଇନ୍ସର ଆଉ ଏକ ବୋଇଂ-୭୩୭ ବିମାନ ଲ୍ୟାଣ୍ଡିଂ ବେଳେ ରନୱେରୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କ୍ରମାଗତ ଭାବେ ଇରାନର ବିମାନଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପଛରେ ଆମେରିକାର କଡ଼ା କଟକଣା ଏକ ବଡ଼ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହି କଟକଣା ଯୋଗୁଁ ଇରାନକୁ ବିମାନର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆବଶ୍ୟକ ନୂତନ ଯନ୍ତ୍ରାଂଶ ମିଳିପାରୁନାହିଁ ।

Leave A Reply

Your email address will not be published.