Latest Odisha News

BREAKING NEWS

ଆସୁଛି ବାତ୍ୟା; ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେଉଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମତ୍ସ୍ୟଜୀବୀମାନଙ୍କୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି।

ଆଇଏମଡି ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଗାମୀ କିଛି ଦିନ ମଧ୍ୟରେ ଏକ ଭୀଷଣ ବାତ୍ୟାର ରୂପ ନେଇପାରେ ଏବଂ ତାମିଲନାଡୁ-ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ। ଏହାର ପ୍ରଭାବରେ ନଭେମ୍ବର ୧୬ ତାରିଖରୁ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ରେ ପାଗ ଖରାପ ରହିବା ସହ ପବନର ବେଗ ଘଣ୍ଟା ପ୍ରତି ୩୫ ରୁ ୬୫ କିଲୋମିଟର ରହିବାର ସମ୍ଭାବନା ରହିଛି।

ଏହି ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସହ ନଭେମ୍ବର ୧୭ ତାରିଖରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୦-୮୦ କିଲୋମିଟର ଏବଂ ପରବର୍ତ୍ତୀ ସମୟରେ ୯୦-୧୧୦ କିଲୋମିଟର (ଝଟକା ସହ ୧୨୦ କିଲୋମିଟର) ପର୍ଯ୍ୟନ୍ତ ପହଞ୍ଚିପାରେ। IMD ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ନଭେମ୍ବର ୧୮ ଏବଂ ୧୯ ତାରିଖରେ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପରିସ୍ଥିତି ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇପାରେ, ଯେଉଁ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦-୧୬୫ କିଲୋମିଟର (ଝଟକା ସହ ୧୮୫ କିଲୋମିଟର) ପର୍ଯ୍ୟନ୍ତ ରହିପାରେ।

ଏହି ସମୟ ମଧ୍ୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ଯେଉଁ ମତ୍ସ୍ୟଜୀବୀମାନେ ବର୍ତ୍ତମାନ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କୁ ତୁରନ୍ତ ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ଏବଂ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରର ଚିହ୍ନିତ ଅଞ୍ଚଳଗୁଡ଼ିକ ମଧ୍ୟକୁ ନ ଯିବାକୁ କୁହାଯାଇଛି।

Leave A Reply

Your email address will not be published.