Latest Odisha News

BREAKING NEWS

ପୁଣି ବାଂଲାଦେଶ ଅଶାନ୍ତ; ଶେଖ୍ ହାସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡ

ଢାକା: ପୁଣି ଅଶାନ୍ତ ହେଲା ବାଂଲାଦେଶ। ଶେଖ୍ ହାସିନାଙ୍କ ଭାଷଣ ନେଇ ତୁମୁଳକାଣ୍ଡ। ଅନ୍‌ଲାଇନ୍‌ରେ ବିବାଦୀୟ ଭାଷଣକୁ ନେଇ ଟାର୍ଗେଟରେ ହାସିନା। ଶେଖ୍ ହାସିନାଙ୍କ ବାପା ମୁଜିବୁର ରେହମାନ୍‌ଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ। ଘରେ ପଶି ଭଙ୍ଗାରୁଜା କଲେ ହଜାର ହଜାର ଆନ୍ଦୋଳନକାରୀ।

ହାସିନାଙ୍କ ଦଳ ଆୱାମୀ ଲିଗ୍‌ ବ୍ୟାନ୍‌ କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି। ବାଂଲାଦେଶରେ ଏକ ବିଦ୍ରୋହ ପରେ କ୍ଷମତାକୁ ଆସିଥିବା ମହମ୍ମଦ ୟୁନୁସଙ୍କ ଶାସନରେ, ଦଙ୍ଗାକାରୀମାନେ ଖୋଲାଖୋଲି ଭାବେ ରକ୍ତପାତ ଏବଂ ହିଂସାକାଣ୍ଡରେ ଲିପ୍ତ ଥିବା ଦେଖାଯାଉଛି। ବୁଧବାର ଦିନ ପ୍ରଦର୍ଶନକାରୀମାନେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଧାନମଣ୍ଡି-୩୨ ବାସଭବନରେ ଆକ୍ରମଣ ଏବଂ ଭଙ୍ଗାରୁଜା କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସୋସିଆଲ ମିଡିଆରେ ‘ବୁଲଡୋଜର ରାଲି’ ଘୋଷଣା ପରେ ଏହି କାଣ୍ଡ ଘଟିଛି।

ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ କିଛି ସୁରକ୍ଷା ବାହିନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ଯେଉଁମାନେ ଉତ୍ତ୍ୟକ୍ତ ଜନତାଙ୍କୁ ସ୍ଥାନ ଛାଡିବାକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ବିକ୍ଷୋଭକାରୀ ଜାରି ରଖିଥିଲେ ପ୍ରଦର୍ଶନ। କୁହାଯାଉଛି ଯେ କିଛି ଦୁର୍ବୃତ୍ତ ବାସଭବନ ଏବଂ ସଂଗ୍ରହାଳୟରେ ମଧ୍ୟ ପ୍ରବେଶ କରିଥିଲେ। ଏହା ପରେ ସେମାନେ ବାଲକୋନି ଉପରକୁ ଚଢ଼ି ଭଙ୍ଗାରୁଜା କରିଥିଲେ। ଏପରିକି ଘରକୁ ମଧ୍ୟ ନିଆଁ ଲଗାଇ ଦେଲେ। ଏହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ସୂଚନା ଥାଉକି ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ି ପଳାୟନ କରିଛନ୍ତି ଶେଖ୍ ହସିନା। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଅନଲାଇନରେ ଏକ ଭାଷଣ ଦେଇଥିଲେ। ବାଂଲାଦେଶରେ ଏହା ବିରୁଦ୍ଧରେ ପ୍ରତିବାଦ ହୋଇଥିଲା। ଏଥିରେ, ପ୍ରତିବାଦକାରୀମାନେ ଧାନମଣ୍ଡି-୩୨ରେ ବୁଲଡୋଜର ରାଲି ବାହାର କରିବାକୁ ଘୋଷଣା କରିଥିଲେ। ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ପ୍ରତିବାଦକାରୀମାନେ ଘୋଷଣା କରିଛନ୍ତି ଯେ ଏହି ଘର ଏକଛତ୍ରବାଦ ଏବଂ ଫାସିବାଦର ପ୍ରତୀକ। ପ୍ରଦର୍ଶନ ସମୟରେ ଶେଖ ହାସିନାଙ୍କୁ ଫାଶୀ ଦେବାକୁ ମଧ୍ୟ ଦାବି କରାଯାଇଛି। ଅନେକ ଆକ୍ରମଣକାରୀ ଘରର ଦ୍ୱିତୀୟ ମହଲାକୁ ଚଢ଼ି ଯାଇଥିଲେ। ଏହି ସମୟରେ, ହାତୁଡ଼ି, କାଠ ପଟା ସାହାଯ୍ୟରେ ବାଂଲାଦେଶର ପ୍ରତିଷ୍ଠାତାଙ୍କ ଫଟୋ ଏବଂ ଘରର ଅନ୍ୟାନ୍ୟ ଅଂଶ ନଷ୍ଟ କରାଯାଇଛି।

 

Comments are closed.