Latest Odisha News

ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ନୂଆପଡା : ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆଣିଲେ ରଜନା ପଂଚାୟତ ବାସୀ । ୮୮୬ ହିତାଧିକାରୀଙ୍କ ଚାଉଳ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ପଂଚାୟତ ଚାରି ଗୋଟି ଗାଁକୁ ନେଇ ଗଠିତ । ଏହି ପଂଚାୟତର ଅଧିବାସୀ ତିଖାଲି ଡ୍ୟାମ ନିର୍ମାଣରେ କ୍ଷତିଗ୍ରସ୍ତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥଳେ  ମାସ ମାସ ଧରି PDS ଚାଉଳ ନମିଳିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା।

ରଜନା ପଞ୍ଚାୟତର ରଜନା,  ମାଠିଆ ପଦର, ବେଳପଡା ଓ କାଳିମାଟି ଗାଁର ପ୍ରାୟ ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରଙ୍କ ପିଡିଏସ ଚାଉଳ ଉପରେ ନିର୍ଭର କରିଥାନ୍ତି । ହେଲେ ଆଜକୁ ଛଅ ମାସ ହେବ ଟଙ୍କିକିଆ ଚାଉଳ  ଏଠିକାର ୮୮୬ ଜଣ କାର୍ଡ ଧାରୀ ପାଉନଥିବାରୁ ପରିବାର ମାନ ଚଳିବା କାଠିକର ପାଠ ହୋଇଯାଇଛି । ବାରମ୍ବାର ଯୋଗାଣ ସହାୟକଙ୍କ ଠାରୁ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରୁଥିଲେ ହେଁ ଚାଉଳ ଆସିନାହିଁ ଆଜି କାଲି କହି ଲୋକଙ୍କୁ ଠକି ଚାଲିଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ।

ଶେଷରେ ମାଠିଆପଦର ଗାଁର ଶହଶହ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲା ପ୍ରଶାସନ ନୂଆପଡା ସିଏସଓ ଏବଂ କୋମନା ବିଡ଼ିଓଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ରଜନା ପଂଚାୟତ ଆସି ତଦନ୍ତ କରିଛନ୍ତି । ତଦନ୍ତ ପରେ ସ୍ଥାନୀୟ ଯୋଗାଣ ସହାୟକ ଚାଉଳକୁ ହେରଫେର କରିଥିବା ଜାଣିବାକୁ ପାଇଥିଲେ । ତେବେ ଛଅ ମାସ ଧରି ହିତାଧିକାରୀ ଚାଉଳ ପାଉନଥିବା ବେଳେ ସ୍ଥାନୀୟ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନ କାହିଁକି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେଲେ ତାହା ଏବେ ସନ୍ଦେହ ଘେରରେ ରହିଛି ।

ଗୋଟିଏ ପଟେ ହିତାଧିକାରୀ ଯଥାଶୀଘ୍ର ନିଜର ହକ ଚାଉଳ ପାଇବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  । ଅପରପକ୍ଷରେ ଆସନ୍ତା ଦୁଇ ଦିନ ଭିତରେ ଦୁଇ ମାସର ଚାଉଳ ଦିଆ ଯିବା ସହ ବାକି ଚାରି ମାସର ଚାଉଳ ଏକ ମାସ ମଧ୍ୟରେ ଯୋଗାଣ ସହାୟକ ଭରଣ କରିବେ ଅନ୍ୟଥା ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆପଡା ସିଏସଓ ତଥା କୋମନା ବିଡ଼ିଓ ପ୍ରକାଶ କରିଛନ୍ତି ।

Comments are closed.