ନୂଆଦିଲ୍ଲୀ: କରୋନା ଭ୍ୟାକସିନକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବର୍ତ୍ତମାନ ଯୁବକଙ୍କଠାରେ ହୃଦଘାତର ଆଶଙ୍କା ଅଧିକ ଦେଖାଦେଇଛି । ଯାହାକି କୋଭିଡ୍ ଭ୍ୟାକସିନ୍ ନେବା ପରଠାରୁ ଅଧିକ ହେଉଥିବା କୁହାଯାଉଛି । ଏନେଇ ପୂର୍ବରୁ ଦାବି ହେଉଥିବା ବେଳେ ଏବେ କର୍ଣ୍ଣାଟକ ସରକାର ଏହାକୁ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ କ’ଣ ସତରେ କୋଭିଡ୍ ଟୀକା ବର୍ତ୍ତମାନ ହାର୍ଟଆଟାକର ମୁଖ୍ୟ କାରଣ ପାଲଟୁଛି ? କ’ଣ କୋଭିଡ୍ ଟୀକା କିଛି ଏମିତି ଉତ୍ପାଦ ରହିଛି ଯାହା ହୃଦଘାତଜନିତ ରୋଗକୁ ଆହୁରି ବୃଦ୍ଧି କରିଛି? କାରଣ ରିପୋର୍ଟ କହୁଛି, ୨୦୧୯ରୁ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ୫ ହଜାର ଲୋକ ବାର୍ଷିକ ହୃଦଘାତରେ ଜୀବନ ହାରୁଥିଲେ । କିନ୍ତୁ ୨୦୨୦ ପରଠାରୁ ଏହାର ସଂଖ୍ୟା ଆକସ୍ମିକ ଭାବେ ବୃଦ୍ଧି ପାଇଛି । ୨୦୨୦ରୁ ୨୦୨୧ ମଧ୍ୟରେ ଏହି ସଂଖ୍ୟା ୧୭ ହଜାରକୁ ବୃଦ୍ଧି ହୋଇଥିଲା । ଆଉ ୨୦୨୨ରେ ୩୨ ହଜାର ଟପିଥିଲା ହୃଦଘାତ ରୋଗୀଙ୍କ ସଂଖ୍ୟା । ଯାହାକି ଲଗାତାର ବାର୍ଷିକ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ କୋଭିଡ୍ ୧୯ ଭ୍ୟାକସିନ ନେବା ପରଠାରୁ ହିଁ ହଠାତ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଅନେକ ରିପୋର୍ଟରେ ଦାବି କରାଯାଇଛି ।
କ’ଣ କହିଲେ ସିଦ୍ଧରମୈୟା ସରକାର?
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ଯୁବକମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପଛରେ କୋଭିଡ୍-୧୯ ଟିକାର ଶୀଘ୍ର ଅନୁମୋଦନ ଏବଂ ବଣ୍ଟନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଗତ ମାସରେ କେବଳ ରାଜ୍ୟର ହାସନ ଜିଲ୍ଲାରେ ହୃଦଘାତ ଯୋଗୁଁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ମଧ୍ୟରେ ସିଦ୍ଧରମୈୟା ଏହି ଅଭିଯୋଗ ଆଣିଛନ୍ତି । ରାଜ୍ୟରେ ହୃଦଘାତ ଜନିତ ମୃତ୍ୟୁ ସହିତ କୋଭିଡ୍ ଟୀକା ଲିଙ୍କ୍ ହୋଇପାରେ ବୋଲି ସେ କହିଛନ୍ତି । ସେ କୋଭିଡ୍-୧୯ ଟିକାର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନ କରିବା ପାଇଁ ଏକ ପ୍ୟାନେଲ୍ ଗଠନ କରିବାର ମଧ୍ୟ ଘୋଷଣା କରିଛନ୍ତି ।
ଖଣ୍ଡନ କଲା ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ
ସିଦ୍ଧାରମୈୟାଙ୍କ ଏପରି ଅଭିଯୋଗ ପରେ ଏହାକୁ ଖଣ୍ଡନ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କୋଭିଡ୍ ଟୀକାକରଣକୁ ହଠାତ୍ ମୃତ୍ୟୁ ସହିତ ଯୋଡିଥିବା ବିବୃତ୍ତି ମିଥ୍ୟା ଏବଂ ବିଭ୍ରାନ୍ତିକର । ଏହା ବୈଜ୍ଞାନିକ ସହମତି ଦ୍ୱାରା ସମର୍ଥିତ ନୁହେଁ। । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଏବଂ AIIMS ଦ୍ୱାରା କରାଯାଇଥିବା ବ୍ୟାପକ ଅଧ୍ୟୟନ ନିଷ୍କର୍ଷ ଭାବରେ କରୋନା ଭାଇରସ୍ ଟୀକା ଏବଂ କୋଭିଡ୍-୧୯ ପରେ ବୟସ୍କଙ୍କ ମଧ୍ୟରେ ହଠାତ୍ ଅକାଳ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ସ୍ଥାପନ କରେ ନାହିଁ ବୋଲି ଦାବି କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ କୋଭିଡ୍-୧୯ ଟୀକା ଏବଂ ଯୁବ ବୟସ୍କଙ୍କ ଠାରେ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏଥିସହିତ ମନ୍ତ୍ରଣାଳୟ ଏହା ବି ସ୍ପଷ୍ଟ କରିଛି ଯେ ବିଶେଷକରି ୧୮ ରୁ ୪୫ ବର୍ଷ ବୟସ୍କ ଯୁବକମାନଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ସହିତ ଜଡିତ କାରଣ ଜେନେଟିକ୍ସ, ଜୀବନଶୈଳୀ, ପୂର୍ବ ଅବସ୍ଥା ଏବଂ କୋଭିଡ୍ ପରବର୍ତ୍ତୀ ଜଟିଳତା ସମେତ ବିଭିନ୍ନ କାରଣରୁ ହୋଇପାରେ ।
ଏଥିସହିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସିଦ୍ଧରମୈୟାଙ୍କ ଦାବିରେ ଏହାବି କହିଛି ଯେ, ନିର୍ଣ୍ଣାୟକ ପ୍ରମାଣ ବିନା ଅନୁମାନିକ ଦାବିଗୁଡ଼ିକ ଟୀକା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ହ୍ରାସ କରିବାର ଆଶଙ୍କା ସୃଷ୍ଟି କରେ, ଯାହା ମହାମାରୀ ସମୟରେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପରି ଭିତ୍ତିହୀନ ରିପୋର୍ଟ ଏବଂ ଦାବି ଦେଶରେ ଟୀକା ପ୍ରତି ଦ୍ୱିଧା ସୃଷ୍ଟି କରିବାରେ ଦୃଢ଼ ଭୂମିକା ଗ୍ରହଣ କରିପାରେ, ଯାହା ଦ୍ୱାରା ସାଧାରଣ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ବିବୃତ୍ତିରେ କୁହାଯାଇଛି ।
Comments are closed.