ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……
ଗତ ସପ୍ତାହରେ ମୁଣ୍ଡଳୀ ବ୍ୟାରେଜଠାରେ ଗଜ ଉଦ୍ଧାର ଅପରେସନ ସମୟରେ ଯେଉଁ ମଟର ବୋଟ ଦୁର୍ଘଟଣା ଘଟିଗଲା ତାହା ଥିଲା ଯେତିକି ହୃଦୟବିଦାରକ ସେତିକି ଚାଞ୍ଚଲ୍ୟକର। ଗଜ ଉଦ୍ଧାରକାରୀ ଓଡ୍ରାଫ ଦଳ ସହ ଅପ୍ରତ୍ୟାଶିତ ଭାବେ ଯୋଡି ହୋଇଯାଇଥିଲେ ଗଣମାଧ୍ୟମର ଦୁଇଜଣ ସଦସ୍ୟ, ନିଜର କ୍ୟାମେରା ଓ ଅନ୍ୟାନ୍ୟ ଉପକରଣ ସହ । ଉଦ୍ଧାର ପ୍ରକ୍ରିୟାର ଅତି ନିକଟରୁ ଭିଡ଼ିଓ ଚିତ୍ର ଉତ୍ତୋଳନ କରିବା ସହ ହୁଏତ ଚଳନ୍ତି ଘଟଣା ପରିବେଷଣ କରିବାକୁ। ଦୁର୍ଭାଗ୍ୟ କ୍ରମେ ବୋଟଟି ମହାନଦୀର ଜଳ ଭଉଁରୀ ଭିତରକୁ ଟାଣି ହୋଇଗଲା ଓ ପେଷାଦାର ତଥା କୁଶଳୀ ଓଡ୍ରାଫ ସଦସ୍ୟଙ୍କ ଉପସ୍ଥିତି ସତ୍ତ୍ୱେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ଏଡାଇ ହେଲା ନାହିଁ। ଦଳର ଅନେକେ ଆହତ ହେବା ସଙ୍ଗେ ସଙ୍ଗେ ଦୁର୍ଘଟଣାରେ ଚାଲିଗଲା ଦୁଇଟି ଅମୁଲ୍ୟ ଜୀବନ: ଜଣେ ଥିଲେ ଗଣ ମାଧ୍ୟମର ରିପୋର୍ଟର ଅରିନ୍ଦମ ଦାସ ଓ ଅନ୍ୟଜଣେ ଥିଲେ ଓଡ୍ରାଫ ସଦସ୍ୟ ସୀତାରାମ ମୁର୍ମୁ। ଉଭୟେ ନିଜ ନିଜ କ୍ଷେତ୍ରରେ ଭଲ କାମ କରି ସୁନାମ ଅର୍ଜନ କରି ଆସିଥିଲେ। ତେଣୁ ସେମାନଙ୍କ ଅକାଳ ମୃତ୍ୟୁ ଓଡ଼ିଶାର ଜନମାନସକୁ କ୍ଷୁବ୍ଧ କରି ପକାଇଲା।
ଦିବଂଗତ ଟିଭି ସାମ୍ବାଦିକ ଅରିନ୍ଦମ ଥିଲେ ଦୁଇ ଜଣଙ୍କ ଭିତରୁ ଅଧିକ ଜଣାଶୁଣା। ବିପଦପୂର୍ଣ୍ଣ ଘଟଣା ସବୁ ଘଟୁଥିବା ସ୍ଥାନମାନଙ୍କରେ ଉପସ୍ଥିତ ରହି ସେ ସେଠାକାର ଆଖିଦେଖା ଚଳନ୍ତି ଦୃଶ୍ୟ ଦର୍ଶକଙ୍କ ପାଖରେ ପହଞ୍ଚାଇ ଘରେ ଘରେ ପରିଚିତ ହୋଇଯାଇଥିଲେ। ହାତୀ ଉଦ୍ଧାର କାର୍ଯ୍ୟକୁ ନିକଟରୁ ଦର୍ଶାଇବା ପାଇଁ ସେ ଏହି ଦୁଃସାହସିକ ଅଭିଯାନରେ ନିଜକୁ ସାମିଲ କରିପକାଇଥିଲେ ଓ ଦୁର୍ଯୋଗକୁ ଅଭିଯାନଟିର ଦୁଃଖଦ ଅନ୍ତ ଘଟିଲା। ଅରିନ୍ଦମଙ୍କ ଅପମୃତ୍ୟୁ ପରେ ପରେ ମୁଖ୍ୟସ୍ରୋତର ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମ ଶ୍ରଦ୍ଧାଞ୍ଜଳି ସହ ବିଭିନ୍ନ ଆଲୋଚନା ସମାଲୋଚନାରେ ଭରି ଗଲା। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ଅଭିଯାନରେ କିଏ ଓ କାହିଁକି ସାମିଲ କଲା, କ୍ୟାମେରାରେ ଦୂରରୁ ମଧ୍ୟ ସ୍ପଷ୍ଟ ଭିଡିଓ ଚିତ୍ର ଉତ୍ତୋଳନ କରି ହେଉଥିବା ବେଳେ ନିଜ ଜୀବନକୁ ବିପନ୍ନ କରି ବୋଟରେ ମହାନଦୀର ପାଣିକୁ ଯିବା କଣ ଦରକାର ଥିଲା, ପୁଲିସ କାହିଁକି ପୋଲ ଉପରୁ ଲୋକଙ୍କୁ ହଟାଇଲା ନାହିଁ, ଯାହା ଫଳରେ ହାତୀଟି ବିଭ୍ରାନ୍ତ ହୋଇ କୂଳକୁ ଆସିଲା ନାହିଁ ଇତ୍ୟାଦି ଇତ୍ୟାଦି ବିଷୟରେ ଆଲୋଚନାରେ ଗଣମାଧ୍ୟମ ଗୁଡିକ ଉଠିଲା ପଡିଲା। କିଏ କହିଲା ତଦନ୍ତ ହେବା ଦରକାର, କିଏ କହିଲା ଏହା ଅମୁକ ବିଭାଗର ଅପାରଗତା, ଆଉ କିଏ କହିଲା ଦୁର୍ଘଟଣା ପଛରେ ରହିଥିଲା ଟିଭି କାର୍ଯ୍ୟକ୍ରମର ଯେନ ତେନ ପ୍ରକାରେଣ ଲୋକପ୍ରିୟତା ବଢାଇବାର ଦୁର୍ବାର ପ୍ରଚେଷ୍ଟା।
ଯଦିଓ ଏ ସମସ୍ତ ଆଲୋଚନା ସମାଲୋଚନାକୁ ଅବାନ୍ତର ବୋଲି କହି ପ୍ରତ୍ୟାଖ୍ୟାନ କରି ହେବ ନାହିଁ, ସେଗୁଡିକର ଛାନ ଭିନ କରିବା କିନ୍ତୁ ମୋର ଏହି ଆଲେଖ୍ୟର ଅଭିପ୍ରାୟ ନୁହେଁ। ମୋର ଲେଖାର ଉଦ୍ଦେଶ୍ୟ ଆମର ଗଣମାଧ୍ୟମ (ସାମାଜିକ ଗଣ ମାଧ୍ୟମ ସହିତ) ଗୁଡିକର ଅବକ୍ଷୟମାନ ନୈତିକତା ଓ ବ୍ୟକ୍ତି ବିଶେଷର ଗୋପନୀୟତା ପ୍ରତି ଅସମ୍ମାନ ବିଷୟରେ ସୂଚାଇ ଦେବା। ଗଣମାଧ୍ୟମ ଗୁଡିକରେ ଘଟଣା ଓ ତା’ ପରବର୍ତ୍ତୀ ଦିନମାନଙ୍କରେ ଘଟଣାର ଯେମିତି ସବୁ ଭିଡିଓ ଚିତ୍ରମାନ ପ୍ରଦର୍ଶିତ ହେଲା, କିମ୍ବା ଯେମିତି ଭାଷା ପ୍ରୟୋଗ କରି ଲେଖା ସବୁ ବାହାରିଲା ସେଗୁଡିକ ଅପବାଦ ବା ଚାଞ୍ଚଲ୍ୟ ସୃଷ୍ଟି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଛଡା ଆଉ କିଛି ନ ଥିଲା। ଯେଉଁ ଲୋକପ୍ରିୟତା ବା ଟିଆରପି ପାଇଁ ଯୁବ ସାମ୍ବାଦିକଙ୍କର ଜୀବନ ଗଲା ବୋଲି ଗଣମାଧ୍ୟମ ଓ ଜନତା କହୁଥିଲେ ଏହି ଚିତ୍ର ସବୁ ଦେଖାଇ ବା ପରୋକ୍ଷ ଓ ଦ୍ୱିଅର୍ଥପୂର୍ଣ୍ଣ ଲେଖା ପ୍ରକାଶ କରି ସେମାନେ ନିଜେ ସେହି ଲୋକପ୍ରିୟତାର ଆକୁଳ ଆକାଂକ୍ଷୀ ବୋଲି ପ୍ରମାଣିତ କରିଦେଲେ।
ସବୁ ମଣିଷର ନିଜସ୍ୱ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ରହିଛି, ଏକାନ୍ତ ନିଜସ୍ୱ ପରିଧିର ଆବଶ୍ୟକତା ରହିଛି। ଜଣେ ଯେତେ ବଡ଼ କୀର୍ତ୍ତିମାନ ବ୍ୟକ୍ତିତ୍ୱ ହୋଇଥାଉନା କାହିଁକି ଲୋକପ୍ରିୟତାର ଉଜ୍ଜଳ ଆଲୋକ ଭିତରୁ ବାହାରି ଆସି ବେଳେ ବେଳେ ଏକାନ୍ତରେ ବା ନିଜ ଆପଣାର ଲୋକଙ୍କ ସାଙ୍ଗରେ ସମୟ କାଟିବା ତାର ହକ। ଏହି ମୁହୂର୍ତ୍ତ ଗୁଡିକରେ ଅନ୍ୟକେହି ତାର ଗୋପନୀୟତା ରେ ଉଙ୍କି ମାରୁ ଏହା ଗ୍ରହଣଯୋଗ୍ୟ ନୁହେଁ। ଏମିତି ଲୋକପ୍ରିୟ ବ୍ୟକ୍ତିଟିର ମୃତ୍ୟୁ ହେଲା ପରେ ସେମିତି ଏକ ଏକାନ୍ତତା ଉଭୟ ପରଲୋକଗତ ବ୍ୟକ୍ତି ଓ ତାଙ୍କର ପରିବାରର କାମ୍ୟ। ବରଂ ମୃତ୍ୟୁ ପରର ଶୋକାକୁଳ ପରିବେଶ ଏହି ଏକାନ୍ତତାକୁ ଅଧିକ ଅର୍ଥପୂର୍ଣ୍ଣ କରି ତଳେ। ଦୁଃଖର କଥା ଆଜିର ସମ୍ବେଦନହୀନ ଜନତା ଓ ଗଣମାଧ୍ୟମମାନେ ଏହି ବିରାଟ ଆବଶ୍ୟକତାକୁ ହତାଦର କରିଚାଲିଛନ୍ତି। ଶାଳୀନତା ବାହାରକୁ ଯାଇ ତଥ୍ୟ ଓ ଚିତ୍ର ପ୍ରଦର୍ଶନ କରି ସେମାନେ ଶୋକ ସନ୍ତପ୍ତ ପରିବାରକୁ କେତେଯେ ଶୋକାକୁଳ କରୁଛନ୍ତି ହୁଏତ ତାହା ଚିନ୍ତା କରିବାର ଶକ୍ତି ସେମାନେ ହରାଇ ବସିଲେଣି।
ଅରିନ୍ଦମ ଦାସଙ୍କ ମୃତ୍ୟୁ ପରବର୍ତ୍ତୀ କୋଳାହଳ ଭିତରେ ସମ୍ବେଦନହୀନତାର ଗୋଟିଏ ଦୃଷ୍ଟାନ୍ତ ଅନ୍ୟ ସମସ୍ତ ଉଲ୍ଲଙ୍ଘନକୁ ଟପି ଯାଇଛି। ତାହା ହେଲା ଯୁବ ରିପୋର୍ଟର ଦୁର୍ଘଟଣାଗ୍ରସ୍ତ ବୋଟର ଗୋଟିଏ ଅଂଶକୁ ଧରି ଜୀବନ ବଞ୍ଚାଇବାର ଶେଷ ଚେଷ୍ଟା କରୁଥିବା ଓ ଶେଷରେ ପରାଜିତ ହୋଇ ମୃତ୍ୟୁ ମୁଖକୁ ଠେଲି ହୋଇଯିବାର ଦୃଶ୍ୟ। ଜୀବନର ଶେଷ ସଂଗ୍ରାମର ସେ ଦୃଶ୍ୟ କ’ଣ ସାରା ବିଶ୍ୱକୁ ଦେଖାଇବାର କିଛି ଆବଶ୍ୟକତା ଥିଲା ? ସେ ଦୃଶ୍ୟରେ ମୃତ୍ୟୁ ହୋଇଗଲା ଏକ ପ୍ରଦର୍ଶନୀ ବା ଏକ ତାମସା। କିଛି ବର୍ଷ ତଳ ପର୍ଯ୍ୟନ୍ତ ସଞ୍ଜମତାର ସହ କାର୍ଯ୍ୟ କରୁଥିବା ଭାରତୀୟ ଗଣମାଧ୍ୟମ ମୃତ୍ୟୁର ବିଭିଷୀକାମୟ ଦୃଶ୍ୟ ଦେଖାଇବା କିମ୍ବା ମୃତ ବ୍ୟକ୍ତି ବିଷୟରେ ଉଦ୍ବେଗହୀନ ମନ୍ତବ୍ୟ ପ୍ରକାଶ କରିବାକୁ ଅନୈତିକ କାର୍ଯ୍ୟ ବୋଲି ବିଚାର କରୁଥିଲା। ବିଶ୍ୱର ପୁରୁଣା ଓ ସୁନାମଧନ୍ୟ ସମ୍ବାଦ ପରିବେଷଣ ସଂସ୍ଥା ବିବିସି ଆଜି ଯାଏଁ ସଞ୍ଜମତାର ସହ କାର୍ଯ୍ୟ କରିବାର ନଜିର ରହିଛି। ଜଣେ ବ୍ୟକ୍ତି ର ମୃତ୍ୟୁ ଘଟୁଥିବା ବେଳେ ତା’ର ପ୍ରଦର୍ଶନ ବିଷୟରେ ବିବିସିର ନୀତି କହେ, “କାହାର ମୃତ୍ୟୁ ଦୃଶ୍ୟ ପ୍ରସାରଣର ଆବଶ୍ୟକତାକୁ ଉଚିତ ସାବ୍ୟସ୍ତ କରିବାର ଅବସର କ୍ଵଚିତ ମିଳିବ।” ଏହା ମାନସିକ ପୀଡା ଓ ବେଦନା ସୃଷ୍ଟି କରିଥାଏ ବୋଲି ସଂସ୍ଥା ବିଚାର କରିଥାଏ।
ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ରାଜନେତା ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ପରେ ପରେ ଅରିନ୍ଦମ ଦାସଙ୍କ ମୃତ୍ୟୁକୁ ତାମସା ରୂପ ଦେଇ ଭାରତୀୟ ଓ ଓଡ଼ିଆ ଗଣମାଧ୍ୟମ ନୈତିକ ଅଧୋପତନର ସୂଚନା ଦେଉଛି।
(ମୋବାଇଲ: ୯୪୩୭୦୮୯୬୫୫)
Comments are closed.