ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୨
ମୌଖିକ ପରୀକ୍ଷା ଭାରି ମଜାଦାର। ପାଠ ସହ ଟିକିଏ ହସଖୁସି ରହିବା ବାଞ୍ଛନୀୟ। ପଢାବହିରୁ ସାଧାରଣ ଜ୍ଞାନ ମିଶେଇ ପ୍ରଶ୍ନ ପଚରାଯାଏ।ଓରାଲ ମ । ସବୁ ଉତ୍ତର କ’ଣ ଠିକ୍ ଥାଏ ? କିଛି ଉତ୍ତର ଅବାନ୍ତର ଥାଏ।ଆଉ କିଛି …ହଜିଯାଇଥିବା କଥା ମନ ଭିତରକୁ ପଶିଆସି ହଇରାଣ କରେ।
:ଦିଦି ପଚାରିଲେ ଔଷଧ କେତେବେଳେ ଖିଆଯାଏ?
:ସକାଳେ,ଦ୍ବିପହରେ ଆଉ ରାତିରେ,ଚଟାପଟ କହିଲା ଶୈଳଜା। ଦିଦି ହସିଲେ ଆଖି ନଚେଇ।
: ସୂର୍ଯ୍ୟାସ୍ତ ସମୟରେ ଛାଇ କୋଉଆଡେ ପଡେ, ଆଗପଟେ ନା ପଛପଟେ?
: ନିରୁତ୍ତର ରହିଲା ଶୈଳଜା।
ସୂର୍ଯ୍ୟ ଭାରି ରାଗି।ବଡ କଷ୍ଟ ଦିଏ।ଝାଳବୁହାଏ, ଘିମିରି ହୁଏ।ପଙ୍ଖା ନ ବୁଲିଲେ ନିଦ ପଳାଏ। ୟା କଥା ପୁଣି ମଣିଷ କହିବ।ମନେମନେ ଏତକ କହି ଓଲଟା ପଚାରିଲା, ‘ସୂର୍ଯ୍ୟ ନଥିଲେ ଛାଇ ପଡିବନି ନା…!’ଦିଦି ରାଗ ଚାପି ଆଉ ଗୋଟିଏ ପ୍ରଶ୍ନ ଆଡକୁ ଗଲେ।
: ଗୁଡ କିପରି ତିଆରି ହୁଏ?
: ଶର୍କରା ଗଦ୍ୟରୁ ଆସିଚି ଭାବି କହିଲା ,ଆଖୁ ପ୍ରଣାଳୀରେ।
ଦିଦି କହିଲେ, ‘ବସ ଏଇଠି। ଆଉଜଣେ ସାଙ୍ଗ ତୋ’ର ଆସୁ, ସେ ଉତ୍ତର ଦେଲେ ଶୁଣିବୁ। କିଛି ପଢୁନୁ। ସବୁ ବହି ରେ ଅଛି।ପଢିଲେ ସିନା ଜାଣିବୁ।’ ଦିଦିଙ୍କ ଆଖିର ସେଇ ଗଧି ଆଜି ଡାକ୍ତରାଣୀ ଆମେରିକାରେ। ବୋକି ବୋଲି ବାରମ୍ବାର ପ୍ରମାଣିତ ହେଉଥିବା ଝିଅ, ବୁଦ୍ଧିମତୀ ହୋଇଗଲା ସମୟ ଅନୁସାରେ ।
ଗରମ ପରଟା ସହିତ ଗୁଡ ଲଗେଇ ଖାଇଲାବେଳେ ଏକଥା ମନେପଡେ ଅମୃତାର ।ଏକା ହସେ ନୀରବରେ । ଏକର ଏକର ଜମିରେ ଆଖୁଚାଷ। ସେଇଠି ଦିନେ ପରିଆ ମାଆ ଶୋଇଯାଇଥିଲା ସବୁଦିନ ପାଇଁ। ପରିଆ ସେଦିନରୁ ଏକୁଟିଆ। କାରଣ ଖୋଜିଲେ ଲୋକେ, ତନାଘନା ହେଲା, ତାପରେ ସବୁ ଚୁପ୍। ପରିଆ ପାଠ ସେଇଠୁ ବନ୍ଦ। ବୋଲହାକ କଲା ଗାଁ ଲୋକଙ୍କର, ପେଟ ପୋଷିଲା ସେଇଥିରେ।
ଆଖୁ କିଆରୀ ଡରାଏ ତା’କୁ। ଶୁଣିବାକଥା, ଭେଟଣା ହୋଇଗଲା ତା’ ମାଆକୁ। କିଏ କହିଲା ରାତିରେ ସେ ମୁଣ୍ଡ ତଳକୁ ଗୋଡ ଉପରକୁ କରି ବାହାରେ ଚରିବାକୁ , ତଳିପା ଉପରେ ଦୀପଟେ ଥୋଇ, କିଛି ବାଧା ବିଘ୍ନ ହେବାରୁ ପ୍ରାଣ ଗଲା। ଗଲାତ ଯିଏ ଗଲା, ରହିବା ଲୋକ ମଲା। ବାପା ଛେଉଣ୍ଡ ପିଲା, ଏକାଥରେ ସବୁଥିରୁ ବଞ୍ଚିତ ହୋଇଗଲା। ମଣିଷ ନା ସେ ପୋକଟିଏ। ଝାଡୁମାରି ଫିଙ୍ଗି ଦିଅ ଅଳିଆଗଦାକୁ ତା’କୁ । ଝିଞ୍ଜଟିଆ ଜୀବନ ସତରେ। କୋଉଠି କେତେବେଳେ କିଏ ଆଁ କରି ବସିଚି ଯେ ,ବୁଝିବା କଷ୍ଟକର ହୋଇପଡେ।ନା ଅଛି ଟିକିଏ ଶ୍ରଦ୍ଧା ନା ଆଦର, ସବୁଠି ଏବେ ଅନାସ୍ଥା ଭାବ କେବଳ ।
ଶୈଳଜା ପିଲାଦିନେ କେମିତି ଥିଲା ସତରେ! ଅନ୍ୟମନସ୍କ ସବୁବେଳେ। ଆଉଳି ଟେ। ପାଠ କି ଶାଠ ସବୁରେ ଶୂନ ସେ। ତା’ ସରଳ ମନର ତରଳ ଭାବନା ଲୁଚକାଳି ଖେଳନ୍ତି ଯାହା ବେଳ ଅବେଳରେ । ପରିଆ ସେ ତୁଳନାରେ ଢେର ଭଲ ପଢୁଥିଲା ।ବହୁତ ଭଲ ଖେଳୁଥିଲା। ଜଣେ ଆଜି ଗାଁ ରେ ମୂଲିଆ ଆଉଜଣେ ଆମେରିକାରେ ଡାକ୍ତରାଣୀ।କେତେ ବିଚିତ୍ର ଏ ଜୀବନ! କେତେ ଅସମଞ୍ଜସ।ଅସମାହିତ ଏସବୁ କାଳେ କାଳେ।
କ୍ରମଶଃ …..