ନୂଆଦିଲ୍ଲୀ: ଆମେରିକା ବନାମ ୟୁରୋପ। ଟ୍ରମ୍ପଙ୍କ ନୀତି ବଦଳାଇବ କି ବିଶ୍ବର କ୍ଷମତା ସମୀକରଣ? ୟୁରୋପ ଖୋଜୁଛି ନୂଆ ନେତା । କାନାଡା, ମେକ୍ସିକୋ ଭଳି ପଡୋଶୀ ଦେଶ ବି ଅସନ୍ତୁଷ୍ଟ । ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ବିଶ୍ବ କ୍ଷମତା ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ଗୋଟେପଟେ ଆମେରିକା, ଋଷ, ବେଲାରୁସ, ଇରାନ, ଉତ୍ତରକୋରିଆ ପରି ଦେଶ ରହିଛନ୍ତି ତ ଅନ୍ୟପଟେ ୟୁକ୍ରେନ ସହ ଅଛନ୍ତି ଅଧିକାଂଶ ୟୁରୋପୀୟ ଦେଶ । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରାୟ ୭୫ବର୍ଷ ପୁରୁଣା ବିଶ୍ବ ସମୀକରଣ ବଦଳୁଥିବା ଦେଖାଯାଉଛି ।
କାହିଁକି ୟୁରୋପ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ?
ଆମେରିକା ଫାଷ୍ଟ ଓ ମେକ୍ ଆମେରିକା ଗ୍ରେଟ୍ ଏଗେନ ନାରା ଲଗାଇ କ୍ଷମତାକୁ ଆସିଥିବା ଟ୍ରମ୍ପଙ୍କ ମୁଖ୍ୟ ଏଜେଣ୍ଡା ଟାରିଫ ଓ ଟ୍ରେଡ୍ । ଟ୍ରମ୍ପଙ୍କ ମତରେ, ଆମେରିକା ପାଇଁ ୟୁରୋପକୁ ଲାଭ ହେଉଛି ହେଲେ ୟୁରୋପ ପାଇଁ ଆମେରିକାକୁ କୌଣସି ଲାଭ ମିଳୁନି। ଯୁଦ୍ଧ ନାଁରେ ୟୁକ୍ରେନକୁ ଆମେରିକା ୩୫୦ବିଲିୟନ ଡଲାର ସହାୟତା ଦେଇଛି। ହେଲେ ୟୁରୋପ ସାମୁହିକ ଭାବେ ଏପର୍ଯ୍ୟନ୍ତ ୧୦୦ବିଲିୟନ ଡଲାର ଦେଇଛି । ଏହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ୟୁରୋପ ଆମେରିକାର କୃଷି ଉତ୍ପାଦକୁ ଉଚିତ ଦରରେ କିଣୁନଥିବା କହୁଛନ୍ତି । ଆଉ ସେଥିପାଇଁ ୟୁରୋପ ଉପରେ ୨୫ପ୍ରତିଶତ ଟାରିଫ ଲଗାଇବାକୁ ମନସ୍ଥିର କରୁଛନ୍ତି ଟ୍ରମ୍ପ । ଏହାସହ ଆମେରିକା ପ୍ରଥମ ନୀତି ଆଧାରରେ ତାଙ୍କ ସ୍ବପ୍ନ ପୂରଣ କରିବାକୁ ନୂଆ ସାଥୀ ବନାଉଛନ୍ତି ଟ୍ରମ୍ପ । ଆଉ ସେଥିପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ହୋଇଥିବା ନିୟମ ଓ ମେଣ୍ଟକୁ ଲଗାତର ଭାଙ୍ଗୁଛନ୍ତି ।
ସମୀକରଣ ବଦଳାଉଛି ଋଷ-ୟୁକ୍ରେନ ଯୁଦ୍ଧ
ବାଇଡେନଙ୍କ ଜାଗାରେ ଥିଲେ ଋଷ-ୟୁକ୍ରେନ ଯୁଦ୍ଧ ହୋଇନଥାନ୍ତା ବୋଲି ପୂର୍ବରୁ ବି କହିଥିଲେ ଟ୍ରମ୍ପ । ହେଲେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଯୁଦ୍ଧରେ ଆମେରିକାର ସମର୍ଥନ ବି ବଦଳିଛି । ପୂର୍ବରୁ ୟୁକ୍ରେନ ସହ ଠିଆ ହୋଇଥିବା ଆମେରିକା ଏବେ ଋଷ ସହ ହାତ ମିଳାଇଛି । ଯୁଦ୍ଧ ରୋକିବାକୁ ସାଉଦି ଆରବରେ ବୈଠକ ହେଲା, ହେଲେ ୟୁକ୍ରେନକୁ ଡକାଗଲାନି । ଏଥିରୁ ଯୁଦ୍ଧକୁ ନେଇ ଋଷ ପ୍ରତି ଆମେରିକାର ଏକପାଖିଆ ମନୋବୃତ୍ତି ସ୍ପଷ୍ଟ ହେଲା । ଏହାପରେ ହ୍ବାଇଟ୍ ହାଉସରେ ଜେଲେନସ୍କିଙ୍କ ସହ ଟ୍ରମ୍ପଙ୍କ ଯୁକ୍ତିତର୍କ ୟୁକ୍ରେନ ସହ ଆମେରିକାର ସଂପର୍କକୁ ଆହୁରି ବିଗାଡିଛି ।
ପୁଟିନ ଦେବେ ଆମେରିକାର ସାଥ୍ !
ପୁରୁଣା ବିଶ୍ବ ସମୀକରଣରେ ଆମେରିକା କ୍ଷତି ସହୁଥିବା ଭାବୁଛନ୍ତି ଟ୍ରମ୍ପ । ଆଉ ସେଥିପାଇଁ ପାରମ୍ପରିକ ଭାବେ ଆମେରିକାର ମିତ୍ର ରାଷ୍ଟ୍ର ରହିନଥିବା ଦେଶ ଆଡକୁ ବନ୍ଧୁତାର ହାତ ବଢାଉଛନ୍ତି । ପୂର୍ବରୁ ଆମେରିକାର ନିକଟତର ରହିଥିବା ଦେଶ ପ୍ରତି ଏବେ ଅବିଶ୍ବାସ ବଢିଛି । ଚଳିତ ବର୍ଷ ଋଷରେ ହେବାକୁ ବ୍ରିକ୍ସ ସମିଟ୍ ହେବାକୁ ଯାଉଥିବା ବେଳେ ନୂଆ ବିଶ୍ବ ସମୀକରଣ ପ୍ରସ୍ତୁତ କରିବାକୁ କହିସାରିଛନ୍ତି ପୁଟିନ । ତେଣୁ ଚର୍ଚ୍ଚା ହେଉଛି, ୟୁରୋପୀୟ ଦେଶକୁ କାଉଣ୍ଟର କରିବାକୁ ନୂଆ ସମୀକରଣ କରିପାରନ୍ତି ପୁଟିନ । ସେପଟେ ହ୍ବାଇଟ୍ ହାଉସରେ ଜେଲେନସ୍କି ଓ ଟ୍ରମ୍ପଙ୍କ ଯୁକ୍ତିତର୍କ ପରେ ଶାନ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଦେଇ ଉଭୟଙ୍କୁ ପୁଟିନ ଚେତାଇଛନ୍ତି ।
ଆମେରିକା ବିରୋଧରେ ୟୁରୋପ ଫ୍ରଣ୍ଟ !
ଟ୍ରମ୍ପଙ୍କ ସହ ବାକଯୁଦ୍ଧ ପରେ ଜେଲେନସ୍କିଙ୍କୁ ଖୋଲା ସମର୍ଥନ କରିଛନ୍ତି ୟୁରୋପୀୟ ଦେଶ । ଆମେରିକାରୁ ସିଧା ବ୍ରିଟେନରେ ପହଞ୍ଚିଥିବା ଜେଲେନସ୍କିଙ୍କୁ ସ୍ବାଗତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର । ୟୁକ୍ରେନ ସମର୍ଥନରେ ୟୁରୋପୀୟ ସଂଘ ଜରୁରୀକାଳୀନ ବୈଠକ ଡାକିଥିଲେ । ୟୁରୋପୀୟ ସଂଘର ଉପାଧ୍ୟକ୍ଷ କାଜା କଲାସ ପୂର୍ବରୁ ଦୁନିଆକୁ ନୂଆ ନେତାର ଆବଶ୍ୟକତା ଥିବା କହିଥିଲେ । ସେପଟେ ଟ୍ରମ୍ପ କ୍ଷମତାକୁ ଆସିବା ପରଠୁ ଆମେରିକାର ପଡୋଶୀ ଦେଶ କାନାଡା ଓ ମେକ୍ସିକୋ ସହ ସଂପର୍କ ଖରାପ ହୋଇଛି । କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବା ନେଇ ଟ୍ରମ୍ପ କହିବା ପରଠୁ ଦେଶ ଖୋଲାଖୋଲି ୟୁରୋପକୁ ସମର୍ଥନ କରିଛି । ତେବେ ପ୍ରଶ୍ନ ଉଠୁଛି, ୟୁକ୍ରେନକୁ ନେଇ ୟୁରୋପ ଆମେରିକାକୁ ଖୋଲାଖୋଲି ବିରୋଧ କରିବ କି? ଯଦି ଏଭଳି ହୁଏ ତେବେ ଏହାର ନେତୃତ୍ବ କେଉଁ ଦେଶ ନେବ?
Comments are closed.