ଭୁବନେଶ୍ଵର: ହିନ୍ଦୁ ଧର୍ମରେ ମେହେନ୍ଦୀ ଲଗାଇବାକୁ ଶୁଭ ବୋଲି ବିବେଚନା କରାଯାଏ। ବିବାହିତ ମହିଳାମାନେ ହାତରେ ବହୁତ ଉତ୍ସାହର ସହିତ ମେହେନ୍ଦୀ ଲଗାଇଥାନ୍ତି । ମେହେନ୍ଦି ବିନା ସୁହାଗ ସହ ଜଡିତ ଉପବାସ ପର୍ବ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ଗର୍ଭବତୀ ମହିଳା ମାନଙ୍କୁ ହାତରେ ମେହେନ୍ଦୀ ଲଗାଇବାକୁ ମନାକରିଥାନ୍ତି ଘରର ବୟସ୍କ ମାନେ । ଗର୍ଭାବସ୍ଥାରେ ଅନେକ ପ୍ରକାର କାର୍ଯ୍ୟକୁ ନିଷିଦ୍ଧ ବୋଲି ବିବେଚନା କରାଯାଏ । କାରଣ ଗର୍ଭାବସ୍ଥାରେ ଏହି ସବୁ କାମ କରିବା ଦ୍ୱାରା ଗର୍ଭସ୍ଥ ଶିଶୁର କ୍ଷତି ହୋଇପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି ମେହେନ୍ଦୀ ଲଗାଇବା। କିନ୍ତୁ ଏହା ପଛର କାରଣ ଅନେକ ଲୋକ ଜାଣନ୍ତି ନାହିଁ । ଏହା ପଛରେ ଉଭୟ ଶାସ୍ତ୍ରୀୟ ଏବଂ ବୈଜ୍ଞାନିକ କାରଣ ଅଛି ।
ନିକଟରେ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଗର୍ଭାବସ୍ଥାରେ ମେହେନ୍ଦୀ ଲଗାଇବା ଦ୍ୱାରା ଜନ୍ମିତ ଶିଶୁର ଶରୀରରେ ଚିହ୍ନ ରହିପାରେ। ଯାହାକୁ ନେଇ ଚର୍ଚ୍ଚା ବଢିଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଦାବି ଯୁକ୍ତି ଯୁକ୍ତ ନୁହେଁ । ମେହେନ୍ଦୀ ଏକ ପ୍ରାକୃତିକ ରଙ୍ଗ । ଏହା କେବଳ ଚର୍ମର ବାହ୍ୟ ସ୍ତରରେ ଦାଗ କରେ । ଶରୀର ଭିତରେ ଏହାର ରଙ୍ଗ ପହଞ୍ଚିପାରେ ନାହିଁ । ତେଣୁ ଶିଶୁର ଚର୍ମରେ କୌଣସି ଚିହ୍ନ ହୁଏ ନାହିଁ।
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥାରେ ମେହେନ୍ଦୀ ଲଗାଇବା ସମୟରେ ମହିଳାମାନେ ଧ୍ୟାନ ରଖିବା ଉଚିତ ଯେ ଏଥିରେ କୌଣସି ରାସାୟନିକ ପଦାର୍ଥ ନଥାଏ । ଯଦି ଆପଣ ଗର୍ଭାବସ୍ଥାରେ ମେହେନ୍ଦୀ ଲଗାଉଛନ୍ତି ତେବେ ଏହି ସମୟରେ ଅପମିଶ୍ରିତ ମେହେନ୍ଦୀ ବ୍ୟବହାର କରିବା ଉଚିତ ନୁହେଁ । କୃତ୍ରିମ କିମ୍ବା ରାସାୟନିକ ଭିତ୍ତିକ ମେହେନ୍ଦୀ ଲଗାଇବା ଦ୍ୱାରା ଚର୍ମ ପ୍ରତିକ୍ରିୟା ବା ଆଲର୍ଜି ହୋଇପାରେ, ଯାହା ଗର୍ଭାବସ୍ଥା ପାଇଁ କ୍ଷତିକାରକ ଅଟେ । ତେଣୁ ଏହି ସମୟରେ ପ୍ରାକୃତିକ ମେହେନ୍ଦୀ ବ୍ୟବହାର କରିବା ଉଚିତ। ପ୍ରାକୃତିକ ମେହେନ୍ଦୀ ଲଗାଇବା ଦ୍ୱାରା ଗର୍ଭରେ ବଢୁଥିବା ଶିଶୁ ଉପରେ ଏହାର କୌଣସି ପ୍ରଭାବ ପଡିନଥାଏ ।
Comments are closed.