Latest Odisha News

BREAKING NEWS

ବିହାରରେ ଆଗୁଆ ନିର୍ବାଚନ !

ନୂଆଦିଲ୍ଲୀ: ନୀତିଶଙ୍କ ପ୍ରଗତି ଯାତ୍ରା, ମୋଦିଙ୍କ ଗସ୍ତ । ବିହାରରେ ଆଗୁଆ ହେବ କି ଭୋଟ୍? ବିହାରରେ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଜୋରଦାର ଚର୍ଚ୍ଚା ହେଲାଣି। ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ ବି, ରାଜନେତାଙ୍କ ଘନଘନ ଗସ୍ତକୁ ନେଇ ଅନୁମାନ କରାଯାଉଛି । କେବଳ ଏନଡିଏ ନୁହେଁ ମହାଗଠବନ୍ଧନ ନେତା ବି ଗ୍ରାଉଣ୍ଡରେ ନଜର ଆସିଲେଣି । ଚର୍ଚ୍ଚା ସତ ହେଲେ, ଏପ୍ରିଲ, ମେରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ । ଏହାପରେ ଖରା ବଢିବା ସହ ବର୍ଷା ଦିନ ଆରମ୍ଭ ହେବ । ତେଣୁ ଏପ୍ରିଲ, ମେରେ ଭୋଟ୍ ହେଲେ ଭଲ ଭୋଟର ଟର୍ଣ୍ଣଆଉଟ୍ ହୋଇପାରେ ।

ନୀତିଶଙ୍କ ପ୍ରଗତି ଯାତ୍ରା

ବିହାର ବାଲ୍ମିକୀନଗରରୁ ଗତବର୍ଷ ଡିସେମ୍ବର ୨୩ରୁ ପ୍ରଗତି ଯାତ୍ରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଦୁଇମାସ ଧରି ଚାଲିଥିବା ଯାତ୍ରା ଫେବ୍ରୁଆରୀ ୨୧ତାରିଖରେ ପାଟନାରେ ଶେଷ ହୋଇଛି । ପ୍ରଗତି ଯାତ୍ରାରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ସହ ଚାଲିଥିବା ଜନକଲ୍ୟାଣକାରୀ ଯୋଜନା ନେଇ ସମୀକ୍ଷା କରିଛନ୍ତି ନୀତିଶ । ଜିଲ୍ଲାର ଦାବି ଅନୁସାରେ ଯୋଜନା ବି ଘୋଷଣା କରିଛନ୍ତି । ଏସବୁ ଯୋଜନାକୁ ବିଧିବଦ୍ଧ କ୍ୟାବିନେଟ୍ ମଂଜୁରୀ ମିଳିଛି । ସରକାରୀ ଅର୍ଥରେ ନୀତିଶ ନିର୍ବାଚନୀ ଲାଭ ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ତେବେ ଆଗୁଆ ନିର୍ବାଚନ ନେଇ ନୀତିଶଙ୍କ ପ୍ରଗତି ଯାତ୍ରା ସଙ୍କେତ ଦେଉଥିବା କୁହାଯାଉଛି ।

ଏନଡିଏ ନେତାଙ୍କ ମିଳିତ ଗସ୍ତ

ନୀତିଶଙ୍କ ପ୍ରଗତି ଯାତ୍ରା ସହ ଏନଡିଏର ଅନ୍ୟ ସହଯୋଗୀ ଦଳର ନେତା ବି ବିହାରର ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି । ଜେଡିୟୁ, ବିଜେପି, ହମ୍, ଆରଏଲଏମ ଓ ଏଲଜେପି ନେତା ଏଥିରେ ସାମିଲ ହୋଇଛନ୍ତି । ୧୦ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସମୟରେ କର୍ମକର୍ତ୍ତାଙ୍କୁ ଏକଜୁଟ୍ ରହିବାକୁ ଆହ୍ବାନ ଦେଇଛନ୍ତି । ଗତ ଲୋକସଭା ନିର୍ବାଚନରେ ଏନଡିଏରେ ଏକତାର ଅଭାବ ଦେଖା ଦେଇଥିଲା । ତେଣୁ ଏଥର ଏକତା ଉପରେ ଜୋର୍ ଦିଆଯାଉଛି । ଆଗାମୀ ବିଧାନସଭା ନିର୍ବାଚନରେ ୨୨୫ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି । ଏହାପୂର୍ବରୁ ୨୦୧୦ରେ ଏନଡିଏ ୨୦୦ରୁ ଅଧିକ ସିଟ୍ ଜିତିଥିଲା । ଏନଡିଏର ଏହି ପ୍ରସ୍ତୁତିକୁ ବି ଆଗୁଆ ନିର୍ବାଚନ ନେଇ ସଙ୍କେତ ଭାବେ ଦେଖାଯାଉଛି ।

ମୋଦିଙ୍କ ଗସ୍ତ ନିର୍ବାଚନୀ ଶଙ୍ଖନାଦ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଗଲପୁର ଗସ୍ତକୁ ବି ନିର୍ବାଚନୀ ଶଙ୍ଖନାଦ ଭାବେ ଦେଖାଯାଉଛି । ତାଙ୍କ ଗସ୍ତ ପୂର୍ବରୁ ଦୁଇ ଦୁଇ ଥର ବିହାର ଗସ୍ତ କରିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ଚୌହାନ । ବିହାରର ମଖାନା ଚାଷୀଙ୍କ ସହ ମିଶି ପାଣିକୁ ଓହ୍ଲାଇ ମଖାନା ରୋଇଥିଲେ ଶିବରାଜ । ସେହିପରି ଭାଗଲପୁରରୁ ମୋଦି କିସାନ ସମ୍ମାନ ନିଧିର କିସ୍ତି ଜାରି କରିଥିଲେ । ଏହାମଧ୍ୟରେ ନୀତିଶଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ଜେଡିୟୁ ନେତା ବିଜୟ ଚୌଧରୀଙ୍କ ବୟାନ ଆଗୁଆ ନିର୍ବାଚନ ଚର୍ଚ୍ଚା ବଢାଇଛି । ଆଗୁଆ ନିର୍ବାଚନ ହେଲେ ବି ଏନଡିଏ ଏଥିପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।

ତେଜସ୍ବୀଙ୍କ ଟାର୍ଗେଟ୍

ବିହାରରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଭିତରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ କଠପୁତଳୀ ଭଳି କାମ କରୁଛନ୍ତି । ନିର୍ବାଚନ ଯେବେ ହେଲେ ବି, ଏଥିପାଇଁ ମହାଗଠବନ୍ଧନ ପ୍ରସ୍ତୁତ ଥିବା ତେଜସ୍ବୀ କହିଛନ୍ତି । ଲଗାତର ବିହାରର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ତେଜସ୍ବୀ । ପ୍ରାର୍ଥୀଙ୍କୁ ନେଇ ବି ସର୍ଭେ କରାଇଛନ୍ତି । ଆଗୁଆ ନିର୍ବାଚନ ହେଲେ, ଏନେଇ ବିଧାନସଭାର ବଜେଟ୍ ଅଧିବେଶନ ପରେ ଘୋଷଣା ହୋଇପାରେ । ଅନ୍ୟ ରାଜ୍ୟ ଭଳି ବଜେଟରେ ନିର୍ବାଚନକୁ ଆଖିରେ ରଖି ଅନେକ ଘୋଷଣା କରିପାରନ୍ତି ନୀତିଶ । ଏପରିକି କିଛି ଯୋଜନା ଆଗୁଆ ଲାଗୁ କରି ନିର୍ବାଚନ ପୂର୍ବରୁ ହିଁ କିସ୍ତି ବାଣ୍ଟିବା ନେଇ ପ୍ରସ୍ତୁତି କରାଯାଉଥିବା କୁହାଯାଉଛି ।

Comments are closed.