Latest Odisha News

BREAKING NEWS

ବିଜେପିର ନୂଆ ଫଣ୍ଡା, ଆନୁଗତ୍ୟ ନୁହେଁ ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ସଜାଡି ହେଉଛି ବିଜେପି। ସୁନୀଲ ବଂଶଲ ବିଜେପିର କ୍ଷେତ୍ରିୟ ପ୍ରଭାରୀ ଦାୟୀତ୍ୱ ନେବା ସହ ଜୟନାରାୟଣ ବିରୋଧୀ ଦଳ ନେତା ପଦ ସମ୍ଭାଳିଛନ୍ତି। ଏବେ ଆଉ ଜଣେ ପୁରୁଖା ଅନୁଭବୀ ନେତା ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ପଦ ମଣ୍ଡନ କରିଛନ୍ତି। ବଂଶଲ ପ୍ରଭାରୀ ଦାୟୀତ୍ୱ ନେବା ପରେ ତୃଣମୂଳ ସ୍ତରକୁ ନିଜେ ଗସ୍ତ କରିବା ସହ ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ଏପରିକି ଦଳୀୟ ନେତାଙ୍କୁ ବୁଥ ସ୍ତରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଛନ୍ତି ବଂଶଲ।

ଏଥିସହିତ ପ୍ରଦର୍ଶନକୁ ଭିତ୍ତି କରି ପ୍ରମୁଖ ପଦପଦବୀ ମଧ୍ୟ ଦିଆଯାଉଛି। ତେଣୁ ବିଜେପି ରାଜ୍ୟରେ କାମଚଳା ରାଜନୀତି ବଦଳରେ ନିର୍ଣ୍ଣାୟକ ରାଜନୀତି କରିବାକୁ ଚାହୁଁଥିବା କୁହାଯାଉଛି। ଆଗକୁ ନିର୍ବାଚନ ଥିବାରୁ ହାର୍ଡକୋର ନେତାଙ୍କୁ ଦାଇତ୍ୱ ଦିଆଯାଉଥିବ ଆଲୋଚନା ହେଉଛି। ଗତ କିଛି ବର୍ଷ ଧରି ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସର୍ବମାନ୍ୟ ନେତା ଭାବେ ଗଣାଯାଏ। ଯିଏ ଯେଉଁ ପଦରେ ଥାଉ ନା କାହିଁକି ଧର୍ମେନ୍ଦ୍ରଙ୍କ କଥା ଅନୁଯାୟୀ ରାଜ୍ୟ ବିଜେପି କାର୍ଯ୍ୟ କରେ ବୋଲି କୁହାଯାଏ। ଏପରିକି ଦଳୀୟ ନେତାମାନେ ଖୋଲାଖୋଲି ଭାବେ ଏ କଥା କୁହନ୍ତି।

୨୦୧୯ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ସିଧା ପ୍ରଭାବ ଦେଖିବାକୁ ମିଳିଥିଲା ଏବଂ ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଦଳ ଅନ୍ୟ ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ କଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ତା ପରେ ଜୟନାରାୟଣ ବିରୋଧୀ ଦଳ ନେତା ଦାୟୀତ୍ୱ ନେବା ପରେ ଶାସକ ଦଳକୁ ଲଗାତର ଘେରି ଚାଲିଛନ୍ତି।

ଦୀର୍ଘ ଦିନ ଧରି ରାଜ୍ୟ ବିଜେପି ସଭାପତି ପଦ ସମ୍ଭାଳିଥିବା ସମୀର ମହାନ୍ତି ଧର୍ମେନ୍ଦ୍ରଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଏ। ସମୀରଙ୍କ ନେତୃତ୍ୱରେ ହିଁ ରାଜ୍ୟ ବିଜେପି ଆଗକୁ ବଢିବ ବୋଲି କିଛି ମାସ ତଳେ ବିଜେପି ନେତାମାନେ କହିଥିଲେ। କିନ୍ତୁ ହଠାତ ମାନମୋହନଙ୍କୁ ସଭାପତି କରାଯିବା ପରେ ଚିତ୍ର ହଠାତ ବଦଳି ଯାଇଛି। ବଂଶଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ କରାଯିବା ସହ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ଓ ଏବେ ମନମୋହନଙ୍କୁ ରାଜ୍ୟ ବିଜେପି ସଭାପତି କରାଯିବା ପରେ ବିଜେପି ଆଗାମୀ ନିର୍ବାଚନରେ ଭିନ୍ନ କିଛି ଯୋଜନା କରୁଥିବା କୁହାଯାଉଛି।

ଏପରିକି ଏଥର ନେତୃତ୍ୱ କେବଳ ଆନୁଗତ୍ୟକୁ ଦେଖି ନୁହେଁ ପାରିବାପାଣିଆକୁ ଦେଖି ଦିଆଯିବ ବୋଲି ବାର୍ତ୍ତା ଦେଇଛି ଦଳ। ରାଜ୍ୟ ସଭାପତି ଭାବେ ଘୋଷଣା ହୋଇଥିବା ମନମୋହନ ସାମଲ ପୂର୍ବରୁ ରାଜ୍ୟ ବିଜେପି ସଭାପତି ଦାୟୀତ୍ୱ ତୁଲାଇଥିବା ବେଳେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଗତ ଧାମନଗର ବିଧାନସଭା ଉପନିର୍ବାଚନରେ ମନମୋହନଙ୍କ ରଣନୀତି ଓ ଗୋଟିଚାଳନା ଯୋଗୁ ବିଜେପି ଶାସକ ଦଳକୁ ମାତ ଦେଇ ଜିତିବାକୁ ସମର୍ଥ ହୋଇଥିଲା ବୋଲି ଦଳୀୟ ମହଲରେ ଆଲୋଚନା ହୁଏ।

ତେଣୁ ଏହାଦ୍ୱାରା ନିଜ ପାରିବାପଣିଆର ପରିଚୟ ଦେଇଥିବା ମାନମୋହନଙ୍କୁ ଏହା ପରୋକ୍ଷରେ ପୁରସ୍କାର ବୋଲି ଚର୍ଚ୍ଚା ହେଉଛି। ମନମୋହନ ଜଣେ ରାଜ୍ୟସ୍ତରୀୟ ଚେହେରା ହେବା ସହ ନିର୍ବାଚନ ପରିଚାଳନାରେ ସାମର୍ଥ୍ୟ ଓ ଦକ୍ଷତା ରଖନ୍ତି। ଅନ୍ୟପଟେ ରାଜ୍ୟ ବିଜେପିରେ ଗୋଷ୍ଠୀକନ୍ଦଳ ବ୍ୟାପକ ରୂପ ନେଉଥିବା କୁହାଯାଏ। ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀର ଲଢ଼େଇକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ। ସେହିପରି ପ୍ରତାପ ଷଡଙ୍ଗୀ, କେଭି ସିଂଦେଓ,ଜୁଏଲ ଓରାମ ପ୍ରମୁଖ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ନେଇ ସେତେଟା ସନ୍ତୁଷ୍ଟ ନ ଥିବା ଆଲୋଚନା ହୁଏ। ଏପରିକି ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର ପ୍ରମୁଖ ବିଜେପି ନେତା ରାଜ୍ୟରେ ଅଣଦେଖାର ଶିକାର ହେଉଥିବା କୁହାଯାଏ।

ପୂର୍ବ ସଭାପତି ସମୀର ମହାନ୍ତି ଏ ସବୁ ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସମ୍ଭବ ହେଉ ନ ଥିଲା। କିନ୍ତୁ ଜୟନାରାୟଣ ଓ ମନମୋହନ ସାମଲ ବହୁ ବରିଷ୍ଠ ହୋଇଥିବାରୁ ସମସ୍ତଙ୍କୁ ନେଇ ଚାଲିପରିବେ ବୋଲି ଆଲୋଚନା ହେଉଛି। ଏପରିକି ମନମୋହନ ସାମଲ ରାଜ୍ୟ ସଂଗଠନ, ଜାତୀୟ ନେତୃତ୍ୱ ସମେତ ସଂଘ ପରିବାର ସହ ମଧ୍ୟ ସମନ୍ୱୟ ରଖିପାରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କିନ୍ତୁ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଯେଉଁ ଦବଦବା ଥିଲା ତାହା କେତେଦୂର ଆଗକୁ ରହିପାରିବ ତାକୁ ନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି। କାରଣ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ହାର୍ଡକୋର ଓ ନିଜ ଅନ୍ଦାଜରେ ଚାଲୁଥିବା ନେତା। ସେପଟେ ମନମୋହନ ମଧ୍ୟ ବହୁ ପୁରୁଖା ନେତା। ତେଣୁ ସେମାନେ ଧର୍ମେନ୍ଦ୍ରଙ୍କ କଥାକୁ କେତେ ମାନିବେ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ ଆନୁଗତ୍ୟ ନୁହେଁ ବରଂ ସାମର୍ଥ୍ୟକୁ ଦେଖି ଦଳୀୟ ଟିକେଟ ଦିଆଯିବ ବୋଲି ଦଳ ପକ୍ଷରୁ ବାର୍ତା ଦିଆଯାଇଥିବା ଆଲୋଚନା ହେଉଛି। ବିଭିନ୍ନ ପ୍ରଦେଶ ନିର୍ବାଚନରେ ସଫଳ ହୋଇଥିବା କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲଙ୍କର ଏ ସବୁ ନିଷ୍ପତ୍ତି ପଛରେ ପ୍ରମୁଖ ହାତ ରହିଛି ବୋଲି କୁହାଯାଉଛି।

କାରଣ ଗତ କିଛି ବର୍ଷ ଧରି ବିଜେପିର ବହୁ ବରିଷ୍ଠ ନେତା ଅଲୋଡ଼ା ହୋଇପଡିଥିବା ଦେଖାଯାଏ। ଏପରିକି ଖୋଦ ମନମୋହନ ସାମଲଙ୍କୁ ମଧ୍ୟ ଦଳର ପ୍ରମୁଖ କାର୍ଯ୍ୟକ୍ରମ କିମ୍ବା ନିଷ୍ପତ୍ତିରେ ଦେଖିବାକୁ ମିଳୁ ନ ଥିଲା। କିନ୍ତୁ ଧାମନଗର ଉପନିର୍ବାଚନର ସଫଳତା ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ଆଣିଥିଲା। ଆଗାମୀ ନିର୍ବାଚନରେ ରାଜ୍ୟରେ ଶାସନକୁ ଆସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏବେ ନୂଆ ଷ୍ଟ୍ରଟେଜିରେ କାମ ଆରମ୍ଭ କରିଥିବାରୁ ରାଜ୍ୟ ବିଜେପିକୁ ଏହା କେତେ ଶକ୍ତିଶାଳୀ କରିପାରିବ ତା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.