Latest Odisha News

BREAKING NEWS

ନବୀନଙ୍କୁ ଭେଟିଲେ, ବିଜୁବାବୁଙ୍କ କଥା ମନେ ପକାଇଲେ…

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ସାକ୍ଷାତ, ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ମମତା ଓଡ଼ିଶା ଆସିଥିବାରୁ ସେ ଖୁସି ।

ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାର ଉତ୍ତମ ସମ୍ପର୍କ ରହିଛି । ପଶ୍ଚିମବଙ୍ଗ ଓ ମମତାଙ୍କ ସହ ବନ୍ଧୁତା ବେଶ୍ ପୁରୁଣା ବୋଲି କହିଛନ୍ତି ନବୀନ । ତେବେ ସାକ୍ଷାତ ଆଲୋଚନାରେ କୌଣସି ରାଜନୈତିକ ଚର୍ଚ୍ଚା ହୋଇନାହିଁ । ସାକ୍ଷାତ ସମ୍ପୂର୍ଣ୍ଣ ସୌଜନ୍ୟତାମୂଳକ ବୋଲି ନବୀନ ଗଣମାଧ୍ୟମକୁ କହିଛନ୍ତି ।

ନବୀନଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଶ୍ ପ୍ରଶଂସା କରିଛନ୍ତି । ବିଜୁବାବୁଙ୍କ କଥା ମନେ ପକାଇ ମମତା କହିଛନ୍ତି, ମୁଁ ଯେତେବେଳେ ପ୍ରଥମ ଥର ସାଂସଦ ହୋଇଥିଲି ସେତେବେଳେ ବିଜୁବାବୁ ମୋତେ ଓଡ଼ିଶା ଡାକିଥିଲେ, ଆସିଥିଲି । ଏହା ପରେ ବହୁତଥର ଓଡ଼ିଶା ଆସିଛି । ଏଥର ଆତିଥ୍ୟ ତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା କହିଛନ୍ତି ମମତା ।

ନବୀନଙ୍କ ସହ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ମମତା ପ୍ରଶଂସା କରିଛନ୍ତି । ପୁରୀରେ ପୂଜାରୁ ନେଇ ରହଣୀ ଏବଂ ନବୀନଙ୍କ ସହ ସାକ୍ଷାତ ସବୁକିଛି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ବହୁତ ଭଲରେ ହୋଇଛି । ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ନବୀନ ବାବୁଙ୍କୁ ପଶ୍ଚିମବଙ୍ଗ ଆସିବା ଲାଗି ନିମନ୍ତ୍ରଣ କରିଥିବା ମମତା ବାନାର୍ଜୀ କହିଛନ୍ତି ।

ଦୁଇ ରାଜ୍ୟର ସମ୍ପର୍କ ନେଇ ମମତା କହିଛନ୍ତି, ଓଡ଼ିଶାରେ ବାତ୍ୟା ଆସିଲେ ପଶ୍ଚିମବଙ୍ଗରେ ଆସେ । ୨ ରାଜ୍ୟ ମଧ୍ୟରେ ଥିବା ସୁ-ସମ୍ପର୍କ ବାତ୍ୟା ସୁପରିଚାଳନାକୁ ସହଜ କରିଛି । ଓଡ଼ିଶାରେ ଅଧିକ ଲୁହାପଥର ଉତ୍ପାଦନ ହେଉଥିବାରୁ ଉଭୟ ରାଜ୍ୟ ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ କରିଡର ଆବଶ୍ୟକତା କଥା ମମତା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ । ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ଉପହାର ଦେଇଥିଲେ ନବୀନ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନବୀନଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ । ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋରେ ଜାମଦାନି ଶାଢ଼ି ଦେଇ ଶ୍ରଦ୍ଧା  ନିବେଦନ କରିଥିଲେ ।

Leave A Reply

Your email address will not be published.