Latest Odisha News

BREAKING NEWS

କର୍ଣ୍ଣାଟକରୁ ବାର୍ତ୍ତା, ହାତ କରିବନି ହତାଦର

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ସବୁ କ୍ଷେତ୍ରରେ ଅତି ମାପିଚୁପି ନିଷ୍ପତ୍ତି ନେଉଛି କଂଗ୍ରେସ। ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଚୟନଠୁ ଆରମ୍ଭ କରି ଡି କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା।

ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିଲେ ମଧ୍ୟ ତାଙ୍କୁ ମନାଇବାରେ ସଫଳ ହେବା ସହ ଅନ୍ୟ ପ୍ରମୁଖ ବରିଷ୍ଠ ଓ ବିଭିନ୍ନ ବର୍ଗର ନେତାଙ୍କୁ ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀମଣ୍ଡଳରେ ସାମିଲ କରିବା।

ପ୍ରତିଶ୍ରୁତି ମୁତାବକ କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପାଞ୍ଚଟି ଗ୍ୟାରେଣ୍ଟିକୁ ତୁରନ୍ତ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଆଦି ସବୁ ପଦକ୍ଷେପକୁ ଦେଖିଲେ ଏହା କଂଗ୍ରେସର ସୁଚିନ୍ତିତ ଯୋଜନା ବୋଲି ଚର୍ଚ୍ଚା ହେଉଛି। ଆଗକୁ ବହୁ ପ୍ରମୁଖ ରାଜ୍ୟର ନିର୍ବାଚନ ସହ ଦେଶର ସାଧାରଣ ନିର୍ବାଚନ ହେବ।

ତେଣୁ ଏ ସବୁ ନିର୍ବାଚନରେ କଂଗ୍ରେସକୁ ବିଜୟ ହାସଲ କରିବାକୁ ହେଲେ କର୍ଣ୍ଣାଟକକୁ ଏକ ରୋଲ ମଡେଲ ହିସାବରେ ନେଇ ବାର୍ତ୍ତା ଦେବାକୁ ଦଳ ସବୁ ଯୋଜନା କରିଛି। ଏହି କ୍ରମରେ ଅନ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି ଦଳ।

କର୍ଣ୍ଣାଟକର ସ୍ୱଳ୍ପଭାଷୀ ଓ ଗ୍ରହଣୀୟ ମୁସଲମାନ ସମ୍ପ୍ରଦାୟର ଟାଣୁଆ ନେତା ୟୁ ଟି ଖାଦରଙ୍କୁ କର୍ଣ୍ଣାଟକର ବାଚସ୍ପତି ପଦରେ ବସାଇଛି କଂଗ୍ରେସ। କର୍ଣ୍ଣାଟକ ବିଧାନସଭାର ସମ୍ମାନଜନକ ବାଚସ୍ପତି ପଦରେ ବସିଥିବା ଖାଦର ହେଉଛନ୍ତି ପ୍ରଥମ ମୁସଲମାନ ସମ୍ପ୍ରଦାୟର ନେତା।

ଏହାଦ୍ୱାରା ସବୁ ଧର୍ମ ବର୍ଗ ଓ ଜାତିକୁ କଂଗ୍ରେସ ଯେ ସମ୍ମାନ ଓ ଗୁରୁତ୍ୱ ଦିଏ ଏ ବାର୍ତା ଦେବାକୁ ଚାହିଁଛି ଦଳ। ଏପରିକି କର୍ଣ୍ଣାଟକ ନିର୍ବାଚନରେ ମୁସଲମାନ ସମ୍ପ୍ରଦାୟର ୧୩ ପ୍ରତିଶତ ଭୋଟର ସିଂହଭାଗ କଂଗ୍ରେସକୁ ଯିବାରୁ ଦଳ ବିପୁଳ ବିଜୟ ହାସଲ କରିଥିବା କୁହାଯାଉଛି।

ଯେଉଁଥିପାଇଁ କଂଗ୍ରେସ ନିଜ ଇସ୍ତାହାରରେ ବଜରଙ୍ଗ ଦଳ ବ୍ୟାନ ସମ୍ପର୍କିତ ଏକ ବଡ଼ କାର୍ଡ ଖେଳିଥିଲା ବୋଲି ଆଲୋଚନା ହେଉଛି। ସେପଟେ କର୍ଣ୍ଣାଟକରେ ଗୁରୁତ୍ୱ ବହନ କରୁଥିବା ଲିଙ୍ଗାୟତ, ଭୋକାଲିଗା, ଦଳିତ ଓ ଅନ୍ୟାନ୍ୟ ବର୍ଗଙ୍କୁ ବିଭିନ୍ନ ମାଧ୍ୟମରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଖାଦରଙ୍କୁ ବାଚସ୍ପତି ପଦରେ ବସାଇ ମୁସଲମାନ ସମ୍ପ୍ରଦାୟକୁ ଏକ ସମ୍ମାନ ଦିଆଗଲା ବୋଲି କୁହାଯାଉଛି।

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଖାଦର ଉପକୂଳ କର୍ଣ୍ଣାଟକରେ ଜଣେ ଟାଣୁଆ ନେତା। ମାଙ୍ଗାଲୁରୁ ଆସନରୁ ଲଗାତର ବିଧାୟକ ଭାବେ ସେ ଜିତୁଛନ୍ତି। ଉପକୂଳ କର୍ଣ୍ଣାଟକକୁ ବିଜେପିର ଗଡ଼ ବୋଲି କୁହାଯାଏ। ଉପକୂଳ କର୍ଣ୍ଣାଟକର ତିନୋଟି ଜିଲ୍ଲା ଉଡୁପି, ଦକ୍ଷିଣ କନ୍ନଡ଼ ଓ ଉତ୍ତର କନ୍ନଡ଼ ରେ ୧୯ ଟି ବିଧାନସଭା ସିଟ ରହିଛି। କଂଗ୍ରେସ ଏଥର ସବୁଠୁ ଭଲ ପ୍ରଦର୍ଶନ କରି ମଧ୍ୟ ସେଠାରେ ମାତ୍ର ୬ ଟି ସିଟ ଜିତିଛି।

ବିଜେପି ସର୍ବାଧିକ ସିଟ ଜିତିବାକୁ ସମର୍ଥ ହୋଇଛି। ଏ ସବୁ ଅଞ୍ଚଳରେ ହିନ୍ଦୁତ୍ୱ ପ୍ରସଙ୍ଗ ବେଶ କାମ କରେ ବୋଲି କୁହାଯାଏ। ତେଣୁ ସେହି ଅଞ୍ଚଳରୁ ଏକମାତ୍ର ମୁସଲମାନ ବିଧାୟକ ଭାବେ ଖାଦର ଜିତିଛନ୍ତି।

ତେଣୁ ତାଙ୍କୁ ପ୍ରମୁଖ ପଦରେ ବସାଇ କଂଗ୍ରେସ କର୍ଣ୍ଣାଟକ ସମେତ ମୁସଲମାନ ସମ୍ପ୍ରଦାୟକୁ ଖୁସି କରିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଏପରିକି ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳରେ ସବୁ ବର୍ଗକୁ ଗୁରୁତ୍ୱ ଦେବାକୁ ଦଳ ଯୋଜନା କରିଛି।

ଯେଭଳି କେହି ବି ଅସନ୍ତୁଷ୍ଟ ନ ହେବେ ଓ ଦେଶବ୍ୟାପୀ ଭିନ୍ନ ବାର୍ତା ଯିବ ତାକୁ ନେଇ ସବୁ ଉଦ୍ୟମ କରୁଛି କଂଗ୍ରେସ। ଆଗକୁ ଥିବା ନିର୍ବାଚନ ଗୁଡିକରେ କଂଗ୍ରେସ ଯେ ଯାହା କୁହେ ତାହା କରେ ଓ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ ଓ ଗୁରୁତ୍ୱ ଦିଏ ବୋଲି ବାର୍ତା ଯିବା ସହ ଏହା ଦଳକୁ ଲାଭଦାୟୀ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.