Latest Odisha News

BREAKING NEWS

ମୋଦିଙ୍କର ରାଜସ୍ଥାନ ଦରକାର!

ଭୁବନେଶ୍ୱର: ରାଜସ୍ଥାନ ଉପରେ ବିଜେପିର ନଜର। ରାଜସ୍ଥାନରେ କଂଗ୍ରେସ ସରକାର ଥିବାବେଳେ ଆଗକୁ ନିର୍ବାଚନ ଅଛି। କିନ୍ତୁ ସେଠାରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀଵ୍ର ହେବାରେ ଲାଗିଛି।

ମୁଖ୍ୟମନ୍ତ୍ରୀ ଗେହଲଟ ଓ କଂଗ୍ରେସ ନେତା ପାଇଲଟଙ୍କ ଲଢେଇ ଲାଗି ରହିଛି। ଏଭଳି ସ୍ଥିତିରେ ବିଜେପି ସେଠାରେ ବିଜୟ ବାନା ଉଡେଇବା ପାଇଁ ଯୋଜନା କରୁଛି। ସେଥିପାଇଁ ଚଳିତ ମାସ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଆଜମେର ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ।

ରାଜସ୍ଥାନ ବିଜେପି ସଭାପତି ଏ ନେଇ ସୂଚନା ଦେଇଛନ୍ତି। ମୋଦୀଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ବିଜେପି ବହୁ କାର୍ଯ୍ୟକ୍ରମ କରୁଛି। ତେଣୁ ରାଜସ୍ଥାନରେ ନିର୍ବାଚନ ଥିବାରୁ ମୋଦି ସେଠାରେ ହେବାକୁ ଥିବା ସଭାରେ ଯୋଗ ଦେବେ।

କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତା, କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ କହିବେ ପ୍ରଧାନମନ୍ତ୍ରୀ। ଏପରିକି ଏହିଠାରୁ ହିଁ ବିଜେପି ନିଜେ ମାସେବ୍ୟାପି ହେବାକୁ ଥିବା ମହା ଜନସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବ।

ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ ମୋଦି ଏହି ରାଜ୍ୟକୁ ଫୋକସ କରୁଛନ୍ତି। ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ଯିବା ସହ ବହୁ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ। ଏହି ଅବସରରେ କଂଗ୍ରେସ ଉପରେ ସେ ବର୍ଷିଥିଲେ।

ସେପଟେ ରାଜସ୍ଥାନରେ କଂଗ୍ରେସର ଅନ୍ତଃକନ୍ଦଳ ତୀଵ୍ର ହୋଇଥିବା ବେଳେ ମୋଦିଙ୍କ ପ୍ରଚାର ବେଶ ଗୁରୁତ୍ୱ ରଖୁଛି। ଏପରିକି ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବା ଟ୍ରେଣ୍ଡ ଥିବାରୁ କୌଣସି ସୁଯୋଗ କୁ ବିଜେପି ହାତଛଡା କରିବାକୁ ଚାହୁଁନି ବୋଲି ଆଲୋଚନା ହେଉଛି।

ସେପଟେ ବିଜେପି ହାତରୁ କଂଗ୍ରେସ ପ୍ରଥମେ ହିମାଚଳ ପ୍ରଦେଶ ଓ ପରେ କର୍ଣ୍ଣାଟକ ଛଡାଇ ନେଇ ଥିବାରୁ ରାଜସ୍ଥାନରେ ଜିତି ବିଜେପି ଏହାର ଜବାଵ ଦେବାକୁ ଚାହୁଁଥିବା କୁହାଯାଉଛି।

Leave A Reply

Your email address will not be published.