Latest Odisha News

BREAKING NEWS

ନୂଆ ମୁଖିଆ ନାଁ ଘୋଷଣା କଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍

ଭୁବନେଶ୍ୱର: ବିଶ୍ୱର ସବୁଠୁ ଘାତକ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଓରଫ ଆଇଏସ୍‌ଆଇଏସ୍ । ଏହି ସଙ୍ଗଠନ ଜରିଆରେ ସାରା ବିଶ୍ୱକୁ ଥରହର କରିଥିଲା ନୃଶଂସ ଅବୁ-ବକ୍ର-ଅଲ୍‌-ବାଗ୍‌ଦାଦୀ । ତେବେ ୨୦୧୯, ଅକ୍ଟୋବର ୨୭ରେ ଏହି ଆତଙ୍କବାଦୀ ନିହତ ହେବା ଖବର ସାରା ବିଶ୍ୱକୁ ଆଶ୍ୱସ୍ତ କରିଥିଲା । ଶୁଣିବାକୁ ମିଳିଛି ନିକଟରେ କୁଆଡେ ଇସଲାମିକ୍ ଷ୍ଟେଟ ନିଜ ନୂଆ ମୁଖିଆର ନାଁ ଘୋଷଣା କରିଛି ।

ଇସଲାମିକ୍ ଷ୍ଟେଟ୍‌ର ନୂଆ ମୁଖିଆ ସାଜିଲା ମୃତ ବାଗଦାଦୀର ବଡ ଭାଇ ଅବୁ-ଅଲ୍‌-ହସନ-ଅଲ୍‌-ହସେମି-ଅଲ୍‌-କୁରେସି । ଏ ନେଇ ଇସଲାମିକ୍ ଷ୍ଟେଟ୍ ଅନଲାଇନ୍‌ରେ ଏକ ଅଡିଓ କ୍ଲିପ୍ ଜାରି କରି ଘୋଷାଣା କରିଛି । ପୂର୍ବରୁ ଅବୁ-ଅଲ୍‌-ହସନ୍ ଖୋଦ ନିଜ ଭାଇ ବାଗଦାଦୀ ନିକଟରେ ପରାମର୍ଶଦାତା ତଥା ବାର୍ତ୍ତାବାହକ ଭାବେ ଇସଲାମିକ୍ ଷ୍ଟେଟ୍‌ରେ ସକ୍ରିୟ ଥିଲା ।

ବାଗଦାଦୀର ମୃତ୍ୟୁ ପରେ ଉତ୍ତରାଧିକାରୀ ଭାବେ ୨୦୧୯ରେ ଅବୁ-ଇବ୍ରାହିମ୍‌-ଅଲ୍‌-କୁରେସିକୁ ଦାୟିତ୍ୱ ମିଳିଥିଲା । ହେଲେ ଗତମାସରେ ଅବୁ-ଇବ୍ରାହିମ୍ ସୁଇସାଇଡ୍ ବମ୍ବର୍ ଭାବେ ପ୍ରାଣ ହରାଇବା ପରେ ଇସଲାମିକ୍ ଷ୍ଟେଟ୍‌ର ନୂଆ ନୂଆ ମୁଖିଆ ଭାବେ ବାଗଦାଦୀର ବଡ ଭାଇକୁ ଚୟନ କରାଯାଇଛି ।

ଅନ୍ୟପଟେ ଇରାକ ସୁରକ୍ଷା ବାହିନୀ ଦାବି କରିଛି ବାଗଦାଦୀର ବଡ ଭାଇର ପ୍ରକୃତ ନାମ ଅବୁ-ଅଲ୍‌-ହସନ୍‌-ଅଲ୍‌-ହସେମି-ଅଲ୍‌-କୁରେସି ନୁହେଁ ବରଂ ଜୁମା-ଅୱାଦ୍‌-ଅଲ୍‌-ବଦ୍ରୀ । ସେପଟେ ନିଜ ନୂଆ ମୁଖିଆକୁ ସମଗ୍ର ବିଶ୍ୱ ଆଗରେ ପରିଚିତ କରାଇବା ଲାଗି ଇସଲାମିକ୍ ଷ୍ଟେଟ୍ ସୋସିଆଲ୍ ମିଡିଆରେ ଫଟୋ ସେୟାର କରିବାରେ ଲାଗିପଡିଛନ୍ତି ।

ଜିହାଦୋସ୍କୋପ୍ ନାମକ ଏକ କମ୍ପାନୀ ନିୟମିତ ଭାବେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ । ଇରାକର କିର୍କୁକ୍‌ରେ ଇସଲାମିକ ଷ୍ଟେଟ୍ ସକ୍ରିୟ ଥିବା ନେଇ ଏହି କମ୍ପାନୀ ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଛି । ସେହିଭଳି ଦ୍ୱିତୀୟ ଟୁଇଟରେ ଆଇଏସ୍ ଆତଙ୍କବାଦୀମାନେ ନିଜ ହତିଆରକୁ ଆକାଶ ମୁହାଁ କରାଇ କଳାପତାକା ଧରିବାରେ ଦେଖିବାକୁ ମିଳିଛି । ଏହି ସମସ୍ତ ତଥ୍ୟ ସ୍ପଷ୍ଟ କରିଛି ଯେ, ନିଶ୍ଚିତ ଭାବେ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ଏହି ଖବରରେ କିଛିନା କିଛି ସତ୍ୟତା ରହିଛି ।

Comments are closed, but trackbacks and pingbacks are open.