ମୁମ୍ବାଇ: ବିଦେଶ ମାଟିରେ ପୁଣି ଚମକିବ ଭାରତର ଗୌରବ। ଭାରତର ମହାନ ବୀର ଯୋଦ୍ଧା ତଥା ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ମୃତିରେ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶ ଇସ୍ରାଏଲ୍।
ହିନ୍ଦୁ ସାମ୍ରାଜ୍ୟ ଦିବସ ବା ‘ଶିବ ରାଜ୍ୟାଭିଷେକ ଦିବସ’ ଅବସରରେ ମୁମ୍ବାଇରେ ଥିବା ଇସ୍ରାଏଲ୍ର କନସୁଲ୍ ଜେନେରାଲ୍ ୟାନିଭ୍ ରେଭାଚ୍ ଏହି ବଡ଼ ଘୋଷଣା କରିଛନ୍ତି। ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏହି ଦୀର୍ଘକାଳୀନ ପ୍ରକଳ୍ପ ହାତକୁ ନିଆଯାଇଛି।
ଏଣିକି ଇସ୍ରାଏଲ୍ ମାଟିରେ ଶୋଭା ପାଇବେ ବୀର ମରାଠା ଛତ୍ରପତି ଶିବାଜୀ ମହାରାଜ। ଭାରତର ସବୁଠାରୁ ଶକ୍ତିଶାଳୀ ବନ୍ଧୁ ରାଷ୍ଟ୍ର ଇସ୍ରାଏଲ୍ ନିଜର ଏକ ପ୍ରମୁଖ ସହରରେ ଶିବାଜୀ ମହାରାଜଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରିବ। ଇସ୍ରାଏଲ୍ର କନସୁଲ୍ ଜେନେରାଲ୍ କହିଛନ୍ତି ଯେ, ଭାରତ ପାଇଁ ଛତ୍ରପତି ଶିବାଜୀ ମହାରାଜ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କର ପ୍ରଭାବ କେତେ ବ୍ୟାପକ, ତାହା ଇସ୍ରାଏଲ୍ ଭଲ ଭାବେ ବୁଝିଛି। ଏହି ପ୍ରତିମୂର୍ତ୍ତି କେବଳ ଏକ ସ୍ମାରକୀ ନୁହେଁ, ବରଂ ଏହା ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱର ସେତୁ ସଦୃଶ କାମ କରିବ। ଘଟିବାକୁ ଯାଉଛି ନା
ଏହି ପ୍ରକଳ୍ପ ନେଇ ଇସ୍ରାଏଲ୍ କୂଟନୀତିଜ୍ଞ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ସେ ଦର୍ଶାଇଛନ୍ତି ଯେ, ମହାରାଷ୍ଟ୍ର ଏବଂ ଭାରତୀୟ ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ଏକ ସୁଦୃଢ଼ ଐତିହାସିକ ସମ୍ପର୍କ ରହିଛି। ଆଜି ସେହି ସମ୍ପ୍ରଦାୟର ବହୁ ବଂଶଧର ଇସ୍ରାଏଲ୍ ସମାଜରେ ବଡ଼ ଯୋଗଦାନ ଦେଉଛନ୍ତି।
ଏହି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବକୁ ସମ୍ମାନ ଜଣାଇ ମୁମ୍ବାଇ ସ୍ଥିତ ଇସ୍ରାଏଲ୍ କନସୁଲେଟ୍ ପକ୍ଷରୁ ଭାରତରେ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇ ଇସ୍ରାଏଲ୍ ପଠାଯିବ। ଏହି ଦୀର୍ଘକାଳୀନ ସାଂସ୍କୃତିକ ପ୍ରକଳ୍ପ ଦ୍ୱାରା ଆଗାମୀ ଦିନରେ ଭାରତ-ଇସ୍ରାଏଲ୍ ସମ୍ପର୍କ ଏକ ନୂଆ ଶିଖର ଛୁଇଁବ ବୋଲି ଆଶା କରାଯାଉଛି।
ଛତ୍ରପତି ଶିବାଜୀ ମହାରାଜଙ୍କ ଯୁଦ୍ଧ କୌଶଳ ଓ ସୁଶାସନର ଚର୍ଚ୍ଚା କେବଳ ଭାରତରେ ନୁହେଁ, ବରଂ ବିଶ୍ୱର ଅନେକ ଦେଶରେ ପଢ଼ାଯାଏ। ଏବେ ଇସ୍ରାଏଲ୍ ଭଳି ଏକ ସାହସୀ ଦେଶ ନିଜ ମାଟିରେ ଶିବାଜୀ ମହାରାଜଙ୍କୁ ଏହି ବଡ଼ ସମ୍ମାନ ଦେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ।