ଇଣ୍ଡିଆ ବ୍ଲକ୍ର ବୈଠକ ପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ୍ଗେ, କହିଲେ ଏସସି ଓ ଏସଟିଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନି
ନୂଆଦିଲ୍ଲୀ:ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ବ୍ଲକ୍ (INDIA bloc) ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ‘ପରିସୀମନ ବିଲ୍’ (Delimitation Bill) ବିରୋଧରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଏବଂ ଏହାକୁ ଗଣତନ୍ତ୍ର ଶେଷ କରିବାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, SC ଓ ST ପାଇଁ ସଂରକ୍ଷିତ ଆସନ ସେମାନଙ୍କ ସଂଖ୍ୟା ଅନୁପାତରେ ହେବା ଦରକାର। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ପାଇଁ ଉପଯୁକ୍ତ ପ୍ରତିନିଧିତ୍ବ ବ୍ୟବସ୍ଥା ନାହିଁ। ସେହି ରାଜ୍ୟ ମଧ୍ୟରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସମାନୁପାତିକ ଦରକାର, କିନ୍ତୁ ପ୍ରସ୍ତାବିତ ସଂଶୋଧନରେ ଏହା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି କହିଲେ ଖଡ୍ଗେ।
ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଖଡଗେଙ୍କ ବାସଭବନରେ ବିରୋଧୀ ଦଳର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କିଛି ପ୍ରସଙ୍ଗକୁ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜେପି ଏବଂ ଆରଏସଏସ ଦେଶରେ ଗଣତନ୍ତ୍ରକୁ ଶେଷ କରି ସବୁଦିନ ପାଇଁ କ୍ଷମତାରେ ରହିବାକୁ ଚାହୁଁଛନ୍ତି ବୋଲି ଖଡଗେ ଅଭିଯୋଗ କରିଛନ୍ତି। ଏହି ନୂଆ ବିଲ୍ରେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ବର୍ଗଙ୍କ ଜନସଂଖ୍ୟା ବୃଦ୍ଧି ଅନୁପାତରେ ସେମାନଙ୍କ ଆସନ ସଂଖ୍ୟା ବଢ଼ାଯାଇ ନାହିଁ, ଯାହା ସେମାନଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ସେ କହିଛନ୍ତି।
ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ‘୪୦୦ ପାର୍’ର ନାରା ଦେଇଥିଲେ, କିନ୍ତୁ ବର୍ତ୍ତମାନ ଏହି ବିଲ୍ ପାରିତ କରି ଲୋକସଭା ଆସନ ସଂଖ୍ୟା ବଢ଼ାଇ ‘୮୦୦ ପାର୍’ ହାସଲ କରିବାକୁ ଏବଂ ସମ୍ବିଧାନ ବଦଳାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ ଦାବି କରିଛନ୍ତି। ସଂସଦରେ ଏହି ସମ୍ବିଧାନ ସଂଶୋଧନ ବିଲ୍କୁ ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଏକଜୁଟ ହୋଇ ବିରୋଧ କରିବେ ବୋଲି ଖଡଗେ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ଏହି ବୈଠକରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଟିଏମସି ନେତା ଅଭିଷେକ ବାନାର୍ଜୀ, କପିଲ ସିବଲ, ଆରଜେଡି ନେତା ମନୋଜ ଝାଙ୍କ ସମେତ ଅନ୍ୟ ବିରୋଧୀ ନେତାମାନେ ଉପସ୍ଥିତ ଥିଲେ। ତେବେ ନିମନ୍ତ୍ରଣ ସତ୍ତ୍ୱେ ଡିଏମକେ (DMK), ଆପ୍ (AAP) ଏବଂ ବିଜେଡି (BJD) ଏହି ବୈଠକରୁ ଦୂରେଇ ରହିଥିଲେ।
