Latest Odisha News

‘ନବ ଦାସ ହତ୍ୟା ଗୁମର ଖୋଲିବାରୁ ବିଜେଡି ମୋ ବିରୋଧରେ ଏପରି ଷଡଯନ୍ତ୍ର ରଚିଛି’

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେଡି ଗର୍ଜୁଥିବାବେଳେ ବିଜେଡି ତଥା ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ଜୟନାରାୟଣ ମିଶ୍ର । ଏସବୁ ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ଜୟନାରାୟଣ ମିଶ୍ର । ଆଗାମୀ ବିଧାନସଭା ଅଧିବେଶନରେ ନବଦାସ ହତ୍ୟାକାଣ୍ଡର ଗୁମର ଖୋଲିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି  ବିରୋଧୀ ଦଳ ନେତା ।

ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ପଛରେ ଅନେକ ରହସ୍ୟ ଲୁଚି ରହିଛି । ହେଲେ ପୋଲିସ   ଅଭିଯୁକ୍ତକୁ ଖସେଇ ଦେବାକୁ ଚେଷ୍ଟା କରୁଛି । ଏହି ଗୁମର ସେ ଖୋଲୁଥିବାରୁ ବିଜେଡି ଭୟଭୀତ ହୋଇ ତାଙ୍କ ବିରୋଧରେ ଏପରି ଷଡଯନ୍ତ୍ର ରଚନା କରିଛି । ମୋତେ ମ୍ୟାନେଜ କରି ନ ପାରିବାରୁ ବିଜେଡି ଷଡଯନ୍ତ୍ର କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଜୟନାରାୟଣ ।

ସେ ବିଜେଡି ସରକାରକୁ ଚାଲେଞ୍ଜ ଦେଇ କହିଛନ୍ତି, ତାଙ୍କ ବିରୋଧରେ ଯାହା ଅଭିଯୋଗ ଆସିଛି ସେ ସବୁ ବିଷୟରେ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ଏପରିକି ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି ।

ସୂଚନାଥାଉ କି, ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଥିବାବେଳେ ସମ୍ବଲପୁରରେ   ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ ଧକ୍କା ମାରୁଥିବା କ୍ୟାମେରାରେ କଏଦ ହୋଇଥିଲା ଯାହା ପରେ ଭାଇରାଲ ହୋଇଥିଲା ।

ଏହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ବିଜେଡି । ଜୟନାରାୟଣଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏପରିକି ଜୟ ନାରାୟଣଙ୍କ ଘର ଆଗରେ ମହିଳାଙ୍କ ଦ୍ୱାରା ବିକ୍ଷୋଭ ଦେଖିବାକୁ ମିଳିଥିଲା ।  ବିଜେଡିର ପ୍ରତିକ୍ରିୟା ଦେଖିବା ପରେ ଜୟନାରାୟଣ ନିଜର ପ୍ରତିକ୍ରିୟା ରଖି ଏପରି କହିଥିଲେ ।

ଅନ୍ୟପକ୍ଷେ ଜୟନାରାୟଣଙ୍କ ପ୍ରତିକ୍ରିୟାର ଜବାବ ଦେଇ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, ବିଧାନସଭାରେ ବିରୋଧୀ ଯାହା ଉଠାଇବେ, ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ରାଜନୀତିରେ ଶାଳୀନତା ରହିବା ଦରକାର ।

Leave A Reply

Your email address will not be published.