Latest Odisha News

ଗାନ୍ଧୀଙ୍କୁ ବୁଝିବା ସହଜ, ଭୁଲିବା କଷ୍ଟ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

ବ୍ୟକ୍ତିରୁ ବିଚାରରେ ରୂପାନ୍ତରିତ ହୋଇସାରିଥିବା ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବିଚାର କିନ୍ତୁ ବ୍ୟାପିବାରେ ଲାଗିଛି । ଗାନ୍ଧୀ ବିଚାରକୁ ମାରିବା ପାଇଁ ଯେତେ ଉଦ୍ୟମ ହେଲେ ବି ତାହା ଅଧିକରୁ ଅଧିକ ପରିମାଣରେ ପ୍ରସାରିତ ହେବାରେ ଲାଗିଛି । ଏହି ବିଚାର ଏବେ ଭାରତର ସୀମା ସରହଦ ମଧ୍ୟରେ ସୀମିତ ନ ରହି ବିଶ୍ୱର ବାୟୁମଣ୍ଡଳରେ ଏମିତି ଖେଳାଇ ହୋଇଯାଇଛି ଯେ ବିଭିନ୍ନ ସମସ୍ୟାରୁ ମୁକୁଳିବା ପାଇଁ ଗାନ୍ଧୀ ବିଚାରକୁ ବିକଳ୍ପ ଭାବେ ଅର୍ଥନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ, ସମାଜଶାସ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଗ୍ରହଣ କରୁଛନ୍ତି । ଯେଉଁମାନେ ଗାନ୍ଧୀ ହତ୍ୟାକୁ ଯଥାର୍ଥ ବୋଲି ବିତଣ୍ଡା ଯୁକ୍ତି ବାଢ଼ିବା ସହିତ ଗାନ୍ଧୀ ବିଚାରକୁ ମୋଡିମକଚି ନଷ୍ଟ କରିଦେବାକୁ ବର୍ଷ ବର୍ଷ ଧରି ବିଫଳ ଉଦ୍ୟମ କରୁଛନ୍ତି ସେମାନେ ମଧ୍ୟ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ମଥାନତ କରିବାକୁ ବାଧ୍ୟ ହେଉଛନ୍ତି ।

ଏସିଆ, ଆଫ୍ରିକା ଓ ୟୁରୋପ ମହାଦେଶରେ ଗାନ୍ଧୀଜୀଙ୍କ ଜୀବନ ଓ କାମ ସୀମିତ ଥିବାବେଳେ କିନ୍ତୁ ତାଙ୍କ ବିଚାର ସମଗ୍ର ବିଶ୍ୱରେ ବ୍ୟାପ୍ତ ହୋଇଛି । ଆନ୍ତର୍ଜାତିକ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ସମଗ୍ର ବିଶ୍ୱରେ ଦୁଇଜଣଙ୍କ ଉପରେ ସର୍ବାଧିକ ସାହିତ୍ୟ ରଚନା କରାଯାଇଛି । ଏମାନେ ହେଲେ ଯୀଶୁ ଓ ଗାନ୍ଧୀ । ବିଶ୍ୱର ପ୍ରାୟ ସବୁ ଭାଷାରେ ଗାନ୍ଧୀ ସାହିତ୍ୟ ଉପଲବ୍ଧ । ବିଶିଷ୍ଟ ଲେଖକ ଡୋକ୍‍ ଦକ୍ଷିଣ ଆଫ୍ରିକାରେଗାନ୍ଧୀଜୀଙ୍କର ପ୍ରଥମ ଜୀବନୀ ଲେଖିଥିଲେ ।  ଏହାପରେ ନୋବେଲ ପୁରସ୍କାର ବିଜେତା ରୋମାରୋଲାଁ ଗାନ୍ଧୀଜୀଙ୍କ ଜୀବନକୁ ନେଇ ଯେଉଁ ଚମତ୍କାର ପୁସ୍ତକ ଲେଖିଲେ ତାହା ଦେଶବିଦେଶରେ ଚର୍ଚ୍ଚିତ ହେଲା । ଲୁଇ ଫିସରଙ୍କଠାରୁ ଲାରି କଲିନ୍ସଙ୍କ ପର୍ଯ୍ୟନ୍ତ ବହୁ ବିଦେଶୀ ଲେଖକ ଗାନ୍ଧୀଜୀଙ୍କ ଉପରେ ଶହ ଶହ ବହି ଲେଖିଛନ୍ତି । ଗାନ୍ଧୀଜୀ ତାଙ୍କ ଆତ୍ମଜୀବନୀ ସତ୍ୟର ପରଖ ଲେଖିଥିଲେ ମାତୃଭାଷା ଗୁଜରାଟୀରେ । ପରେ ଏହା ଦେଶବିଦେଶର ବହୁ ଭାଷାରେ ଅନୁଦିତ ହୋଇଛି ।

ଭାରତ ସରକାର ଛାପିଥିବା ୧୦୦ ଖଣ୍ଡର ‘କଲେକ୍ଟେଡ ୱାର୍କସ ଅଫ୍‍ ମହାତ୍ମା ଗାନ୍ଧୀ’ ତ ପ୍ରାୟ ୫୦ ହଜାର ପୃଷ୍ଠାର । ବୁଦ୍ଧ, ସକ୍ରେଟିସ୍‍, ଯୀଶୁଙ୍କ ଜୀବନୀ ସହ ଗାନ୍ଧୀଜୀଙ୍କ କାମ ଓ ବିଚାରକୁ ଅନେକ ଖ୍ୟାତନାମା ଐତିହାସିକ ଓ ସାହିତ୍ୟିକ ନୂଆ ଦିଗ ଦେଇଛନ୍ତି । ତାଙ୍କ
ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ବିଚାର ଉପରେ ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ରରେ ମାନସ ମନ୍ଥନ ଚାଲିବା ସହ ଅନେକ ଉପାଦେୟ
ପୁସ୍ତକ ଲେଖାଗଲାଣି । ସେହିଭଳି ସତ୍ୟର ଧାତୁରେ ଅହିଂସାର ଶାଣ ଦେଇ ଗାନ୍ଧୀଜୀ ଯେଉଁ ସତ୍ୟାଗ୍ରହ ଅସ୍ତ୍ରର ଉଦ୍ଭାବନ କଲେ ତାହା ବିଶ୍ୱ ଶାନ୍ତି ପାଇଁ ଏକମାତ୍ର ବିକଳ୍ପ ଭାବେ ବିବେଚନା କରି ଜାତିସଂଘର ନିଷ୍ପତ୍ତିକ୍ରମେ ସମଗ୍ର ବିଶ୍ୱ ତାଙ୍କ ଜନ୍ମଦିନକୁ ପାଳେ ଆନ୍ତର୍ଜାତିକ ଅଂହିସା ଦିବସ ଭାବେ ।

ଦକ୍ଷିଣ ଆଫ୍ରିକାରେ ଯେଉଁମାନେ ଗାନ୍ଧୀଜୀଙ୍କୁ ରେଳଗାଡିରୁ ପ୍ଲାଟଫର୍ମ ଉପରକୁ ଫୋପାଡି ଦେଇଥିଲେ, ରାସ୍ତାଘାଟରେ ମାଡ ମାରିଥିଲେ, ତାଙ୍କ ମୁଣ୍ଡ ଫଟାଇଥିଲେ, ଗିରଫ କରୁଥିଲେ, ସହକର୍ମୀଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର କଲେ ସେମାନେ ଗାନ୍ଧୀଙ୍କୁ ଭୁଲିବା ପରିବର୍ତ୍ତେ ଅଧିକରୁ ଅଧିକ ମନେ ପକାଇଲେ । ଜେନେରାଲ ସ୍ମର୍ଟସ୍‍ଙ୍କ ଭଳି ଦକ୍ଷିଣ ଆଫ୍ରିକାର ଅତ୍ୟାଚାରୀ ଶାସକ ଯିଏ ବିଶ୍ୱାସଘାତକତା କରି ଗାନ୍ଧୀଙ୍କୁ ଜେଲରେ ପୁରାଇଥିଲେ, ତାଙ୍କରି ଗୋଡ ମାପରେ ହଳେ ଚପଲ ନିଜ ହାତରେ ତିଆରି କରି ଜେଲରୁ ମୁକୁଳିବା ପରେ ଗାନ୍ଧୀ ତାଙ୍କୁ ଭେଟି ଦେଇଥିଲେ । ଏ ପ୍ରସଙ୍ଗ ନିଜେ ସ୍ମର୍ଟସ୍‍ ଅନୁତାପର ସହ ଉପସ୍ଥାପନ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀ ଯେଉଁ ସତ୍ୟାଗ୍ରହ ମଞ୍ଜି ବୁଣି ଆସିଥିଲେ ତାହାକୁ ନେଲସନ ମଣ୍ଡେଲାଙ୍କ ଭଳି ସଂଗ୍ରାମୀମାନେ ପାଣି ଛିଞ୍ଚି ବଡକରି ସେ ଦେଶର ମୁକ୍ତି ସଂଗ୍ରାମରେ ସଫଳତା ଆଣିଥିଲେ । ମଣ୍ଡେଲା ବହୁବାର କହିଛନ୍ତି ଯେ ଭାରତ ଗାନ୍ଧୀଙ୍କ ଭଳି ଜଣେ ୨୪ ବର୍ଷୀୟ କୁଲି ବାରିଷ୍ଟରଙ୍କୁ ଆଫ୍ରିକା ପଠାଇଥିଲା, କିନ୍ତୁ ୨୧ବର୍ଷର ସାଧନା ପରେ ଦକ୍ଷିଣ ଆଫ୍ରିକା ସେହି ଗିରିମିଟିଆଙ୍କୁ ମହାତ୍ମାରେ ରୂପାନ୍ତରିତ କରି ଭାରତକୁ ଭେଟିଦେଲା ଓ ସେହି ମହାତ୍ମାଙ୍କ ଯୋଗୁଁ ଭାରତ ସ୍ୱାଧୀନ ହେଲା । ଏବେବି ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ଅଭୁଲା ହୋଇ ରହିଛନ୍ତି ।

ବ୍ରିଟିଶ ପାର୍ଲିଆମେଣ୍ଟକୁ ଏକଦା ଗାନ୍ଧୀଜୀ ବାରବନିତାଙ୍କ ସଭା ବୋଲି ଉଲ୍ଲେଖ କରି ଅତି କଟୁ ସମାଲୋଚନା କରିଥିଲେ । ସେଥିପାଇଁ ତାଙ୍କ ପୁସ୍ତକ ହିନ୍ଦ୍‍ ସ୍ୱରାଜକୁ ଇଂରେଜ ସରକାର ନିଷିଦ୍ଧ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ବେଳେ ଗାନ୍ଧୀଜୀଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ରିଟିଶ ସରକାର ପୋଲିସ ଲଗାଇ ଓ କୂଟନୀତି ପ୍ରୟୋଗ କରି ଭୟଙ୍କର ବିରୋଧ କରୁଥିଲା ା ଏମିତିକି ଗାନ୍ଧୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁକରି ବାରମ୍ବାର ଜେଲ୍‍ରେ ଠୁଙ୍କିଥିଲା ।

ଜୀବନକାଳ ମଧ୍ୟରେ ଗାନ୍ଧୀଜୀ ୨୩୩୯ ଦିନ କାରାଗାରରେ କାଟିଥିଲା ବେଳେ ବିଭିନ୍ନ ସମୟରେ ୬ ମାସରୁ ଊର୍ଦ୍ଧ୍ୱ ଦିନ ଅନଶନ କରିଛନ୍ତି ା ତାଙ୍କ ସମ୍ପାଦିତ ଖବରକାଗଜକୁ ବନ୍ଦ କରାଯିବା ସହ ଆଶ୍ରମ ବି ସିଲ୍‍ ହୋଇଛି । ବହୁ ସ୍ଥାନରେ ସ୍ୱାଧୀନତା ସଂଗ୍ରାମର ପୂଣ୍ୟପୀଠଗୁଡିକୁ ଭଙ୍ଗାରୁଜା ସହ ଜବତ କରାଯାଇଛି । ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ବାରମ୍ବାର ଲାଠି, ଗୁଳି ବର୍ଷିଛି । ଏମିତିକି ଅହଂକାରର ଶୀର୍ଷକୁ ଯାଇ କିଛି ଇଂରେଜ ନେତା ଗାନ୍ଧୀଜୀଙ୍କୁ ଅଧା ଲଙ୍ଗଳା ଫକୀର, ଭଣ୍ଡ ମହାତ୍ମା ଆଦି କହି ସମାଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ବ୍ରିଟିଶ୍‍ ନୌସେନା ଅଧ୍ୟକ୍ଷଙ୍କ ଝିଅ ମିସ୍‍ ମେଡଲିନ୍‍ ସ୍ଲେଡ୍‍ ଗାନ୍ଧୀଜୀଙ୍କ ସଂସ୍ପର୍ଶରେ ଆସି ସ୍ୱାଧୀନତା ସଂଗ୍ରାମୀ ମୀରା
ବେନ୍‍ରେ ପରିଣତ ହୋଇଛନ୍ତି । ସିଏଫ୍‍ ଆଣ୍ଡ୍ର‌୍ୟୁଜ୍‍, ରେଜିନାଲ୍ଡ ଡୋନାଲ୍ଡଙ୍କ ପରି ବହୁ ବିଦେଶୀ ଗାନ୍ଧୀଜୀଙ୍କ ସହକର୍ମୀ ସାଜିଛନ୍ତି ।
ଏଭଳି ସ୍ଥିତିରେ ଇଂରେଜ ସରକାର ଚାହିଁଲେ ବି ଗାନ୍ଧୀଙ୍କ ଜନମାନସରୁ ଦୂରେଇ ପାରିନଥିଲା । ଯେଉଁ ଗାନ୍ଧୀଙ୍କ ଯୋଗୁଁ ଭାରତରେ ବ୍ରିଟିଶ ସାମ୍ରାଜ୍ୟର ସୂର୍ଯ୍ୟାସ୍ତ ହୋଇଥିଲା, ସେହି ବ୍ରିଟିଶ ଜାତି ସେମାନଙ୍କ ପାର୍ଲିଆମେଣ୍ଟ ସମ୍ମୁଖରେ ଗାନ୍ଧୀଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ରଖି ମଥାନତ କରୁଛି । ଇଂରାଜୀ ଭାଷାରେ ଗାନ୍ଧୀଜୀଙ୍କ ଉପରେ ସର୍ବାଧିକ ପୁସ୍ତକ ରଚିତ ହୋଇଛି ।

କେବଳ ସେତିକି ନୁହେଁ, ଇଂରାଜୀରେ ରଚାର୍ଡ ଆଟେନବରୋ ଯେଉଁ ଗାନ୍ଧୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ତାହା ଆଜିର ଦିନରେ ବି
ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି । ଏଭଳି ଏକ ଚଳଚ୍ଚିତ୍ର ଭାରତରେ ଏଯାବତ୍‍ ନିର୍ମିତ ହୋଇପାରି ନାହିଁ । ଆମ ସ୍ୱାଧୀନତା ସଂଗ୍ରାମର ସଫଳ ସେନାପତି ଗାନ୍ଧୀଙ୍କୁ ସ୍ୱାଧୀନତା ପ୍ରାପ୍ତିର ୬ ମାସ ନ ପୁରୁଣୁ କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ହତ୍ୟା କରାଗଲା । ଯେଉଁମାନେ ବ୍ରିଟିଶ ସରକାର ନିକଟରେ ମୁଚାଲିକା ଲେଖି ଫାଇଦା ନେବା ସହ ବ୍ରିଟିଶମାନଙ୍କୁ ସମର୍ଥନ ଦେଉଥିଲେ ଓ ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ, ସେମାନେ ଗାନ୍ଧୀଙ୍କୁ ବିରୋଧ କରିବା ସ୍ୱାଭାବିକ । ବୈଚାରିକ କ୍ଷେତ୍ରରେ ଦୁର୍ବଳ ଏହି ଗୋଷ୍ଠୀ ୧୯୩୪ ମସିହାରୁ ଗାନ୍ଧୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚଳାଇ ୧୪ବର୍ଷ ପରେ ସଫଳ ହେଲେ ା କିନ୍ତୁ ହତ୍ୟାକାରୀମାନଙ୍କ ଏହି ସଫଳତା ବିଫଳତାରେ ପରିଣତ ହେଲା ।

ହିନ୍ଦୁ ଧର୍ମର ବଡ କଳଙ୍କ ଅସ୍ପୃଶ୍ୟତାକୁ ଦୂର କରିବା ସହ ଆଧ୍ୟାତ୍ମିକ, ସାମାଜିକ, ଆର୍ଥିକ ଓ ନୈତିକ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଜୀବନ ପଣକରି ଗାନ୍ଧୀ ଲଢ଼ୁଥିଲେ, ତାଙ୍କୁ କିଛି ହିନ୍ଦୁ ମୌଳବାଦୀ ବିରୋଧ କରୁଥିଲେ । ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଦଙ୍ଗାର ନିଆଁ ମଧ୍ୟକୁ ଯେଉଁ ଗାନ୍ଧୀ ଲମ୍ଫ ପ୍ରଦାନ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନରକ୍ଷା କରିଥିଲେ ସେହି ଗାନ୍ଧୀଙ୍କୁ ଉଭୟ ହିନ୍ଦୁ
ମହାସଭା ଓ ମୁସଲିମ ଲିଗ୍‍ ବ୍ରିଟିଶ୍‍ ସରକାରର କ୍ରୀଡାପୁତ୍ତଳିକା ହୋଇ ବିରୋଧ କରୁଥିଲେ । ଏମାନଙ୍କ ଦୁଇରାଷ୍ଟ୍ର ତତ୍ତ୍ୱରୁ ଧର୍ମ ଭିତ୍ତିରେ ଜନ୍ମ ନେଲା ପାକିସ୍ତାନ ଏବଂ ସ୍ୱାଧୀନତା ସହ ଭାରତର ଆସିଲା ବିଭାଜନ । ଦେଶ ବିଭାଜନ ଏଡାଇବା ପାଇଁ ଗାନ୍ଧୀ ବୁଢ଼ାଙ୍କ ଧାରାରେ ଚାଲିବା ଲାଗି ସେତେବେଳେ କ୍ଷମତା ପାଗଳ ନେତାମାନେ ଅରାଜି ଥିବାରୁ ଦେଶକୁ ବିଭାଜନ ଓ ଦଙ୍ଗା ଭଳି ଅବସ୍ଥା ଦେଖିବାକୁ ପଡିଲା ।

ନେହେରୁ, ପଟେଲ, ମୌଲାନାଙ୍କ ଭଳି ତାଙ୍କ ହାତଗଢ଼ା ନେତାମାନେ ଦେଶ ବିଭାଜନର ଚକ୍ରବ୍ୟୁହରେ କ୍ଷମତା ପାଇଁ ଫସିଗଲେ ।
ଏମାନେ ୧୯୪୭ ଅଗଷ୍ଟ ୧୫ର ସ୍ୱାଧୀନତାକୁ ଜାକଜମକରେ ପାଳନ କରୁଥିବା ବେଳେ ଗାନ୍ଧୀ ଦିଲ୍ଲୀଠାରୁ ବହୁ ଦୂରରେ ରକ୍ତସ୍ନାତ
କଲିକତାର ବେଲିଆଘାଟ ଅଞ୍ଚଳରେ ଏକ ଦଙ୍ଗା ବିଧ୍ୱସ୍ତ ଛୋଟ ସନ୍ତସନ୍ତିଆ ଘରେ ଉପବାସ ଓ ଗଭୀର ମନସ୍ତାପ ଭିତରେ କାଟିଥିଲେ
ବିନିଦ୍ର ରଜନୀ । ସେତେବେଳେ ଗାନ୍ଧୀଜୀ ଚେତାଇ ଦେଇଥିଲେ ଯେ ମିଳିଥିବା ସ୍ୱାଧୀନତା ବାସ୍ତବ ସ୍ୱରାଜ ନୁହେଁ । ଗୋରା ବଦଳରେ
କଳା ଲୋକ ଶାସନ ଗାଦିରେ ବସିଗଲେ ଶୋଷକର ଚରିତ୍ର ବଦଳିବ ନାହିଁ । ଏଥିଲାଗି ପୁଣି ଲମ୍ବା ଲଢ଼େଇ ଲଢ଼ିବା ପାଇଁ ଗାନ୍ଧୀଜୀ
ଯେଉଁ ନିବେଦନ କରୁଥିଲେ ତାହାର ପ୍ରାସଙ୍ଗିକତା ଏବେ ଅଧିକ । ଗାନ୍ଧୀଜୀଙ୍କ ନାମ ବିକି ଅନେକ ବିଭିନ୍ନ କ୍ଷେତ୍ରରେ ଢ଼େର ଫାଇଦା ଉଠାଇଲେ । ଡଃ ରାମ ମନୋହର ଲୋହିଆଙ୍କ ଭାଷାରେ ଦେଶରେ ତିନି ପ୍ରକାର ଗାନ୍ଧୀବାଦୀ ହେଲେ- ମଠି, ସରକାରୀ ଓ
କୁଜାତ ଗାନ୍ଧୀବାଦୀ । କିଏ ସଂସ୍ଥା ଗଢ଼ି ସାମାଜିକ କ୍ଷେତ୍ରରେ ନିଜର ନାଁ କମାଇବା ପାଇଁ ସାମ୍ରାଜ୍ୟ ସୃଷ୍ଟିକଲା ତ ଆଉ କିଏ ସରକାରୀ ପଦପଦବୀରେ ରହିଲା । ଗାନ୍ଧୀ ନାଁ ବିକି ଦେଶ ବିଦେଶରୁ ଓ ସରକାରୀ-ବେସରକାରୀ ସଂସ୍ଥାରୁ ଅନେକ ପ୍ରଚୁର ମୁନାଫା ଉଠାଇଲେ

ଏମାନେ ଗାନ୍ଧୀଜୀଙ୍କ ନୀତି ଆଦର୍ଶ ଭୁଲିଯାଇ ନିତିନିତି ବଦଳୁଥିବା ନୀତିକୁ ଶ୍ରେଷ୍ଠ ରାଜନୀତି ଭାବେ ଗ୍ରହଣ କରିନେଇ ତାହା ପାଖରେ ଆତ୍ମସମର୍ପଣ କରି ଗାନ୍ଧୀବାଦର ମୂଳପିଣ୍ଡକୁ ପ୍ରକାରାନ୍ତରେ ଭୁଲି ଯିବାକୁ ଚାହୁଁଥିଲେ । ହିଟଲରଙ୍କ ସହଯୋଗୀ ଗୋଏବଲସଙ୍କ ନୀତି ଆପଣାଇ କେତେକ ଗାନ୍ଧୀଙ୍କ ନାଁରେ ବାରମ୍ବାର ମିଛ ଦୋହରାଇ ଚାଲିଥିଲେ ବି ଗାନ୍ଧୀ ଦର୍ଶନ କିନ୍ତୁ ଏଥିରେ ମରୁନାହିଁ । ଯେପର୍ଯ୍ୟନ୍ତ ହିଂସା, ମିଥ୍ୟାଚାର, ଦୁର୍ନୀତି, ଭ୍ରଷ୍ଟାଚାର, ଶୋଷଣ, ପକ୍ଷପାତିତା, ଅନ୍ୟାୟ, ଅତ୍ୟାଚାର ଆଦି ରହିଥିବ ସେପର୍ଯ୍ୟନ୍ତ ଏଥିରୁ ମୁକ୍ତି ଲାଗି ଲୋକେ କେବଳ ଗାନ୍ଧୀଙ୍କୁ ହିଁ ଖୋଜୁଥିବେ । ଆଜିର ଦିନରେ ବି ଦାବି ହାସଲ ଓ ନ୍ୟାୟ ପାଇଁ ଗାନ୍ଧୀଜୀଙ୍କ ଫଟୋ ଖୋଜାପଡେ । ଗାନ୍ଧୀ ବିଚାର ହେଉଛି ଅନ୍ୟ ଜୀବନକୁ ଉନ୍ନତ କରିବାରେ ନିଜ ଜୀବନର ଯଥାର୍ଥତା ପ୍ରତିପାଦନ କରିବା । ଅନ୍ତୋଦୟରୁ ସର୍ବୋଦୟ ପର୍ଯ୍ୟନ୍ତ ମହାଯାତ୍ରା ଲାଗି ଆବଶ୍ୟକ ପଡୁଛି ପୁଣି ସ୍ୱଦେଶୀ, ସ୍ୱାବଲମ୍ବନ, ସାର୍ବଭୌମତ୍ୱ, ସମତା ଆଦି ବିଚାରକୁ ପୁଞ୍ଜିକରି ଗାନ୍ଧୀ ବାଟରେ ବ୍ୟକ୍ତି,
ପରିବାର, ସମାଜ, ରାଷ୍ଟ୍ର ଓ ବିଶ୍ୱକୁ ସୁଦୃଢ଼ ପାଇଁ ସଂଗ୍ରାମ କରିବା । ଗାନ୍ଧୀ ଓ ତାଙ୍କ ଉପରକୁ କେତେ କିଏ ହିଂସା, ଦ୍ୱେଷ, ଈର୍ଷା, ଭୟ, ଲୋଭ, ଘୃଣା, ସ୍ୱାର୍ଥପରତା ଆଦିର ଇଟା ଫିଙ୍ଗିଛନ୍ତି । ଗାନ୍ଧୀ କିନ୍ତୁ ଇଟାର ଜବାବ ପଥରରେ ନ ଦେଇ ସେଗୁଡିକରେ ସ୍ନେହ, ପ୍ରେମ, କରୁଣା, ସତ୍ୟ, ଅହିଂସା, ଅପରିଗ୍ରହ, ସ୍ୱଦେଶୀ, ସ୍ୱାଭିମାନ, ଦୃଢ଼ତା, ଦେଶାତ୍ମବୋଧ ଆଦିର ଅମୃତ ମିଶାଇ ଦିଗହରା ମଣିଷ ସମାଜ ପାଇଁ ନିର୍ମାଣ କରିଛନ୍ତି ବତିଘର । ଗାନ୍ଧୀଙ୍କୁ ଭୁଲିବା ପାଇଁ ଉପକ୍ରମ ତାଙ୍କୁ ଅଧିକ ମନେ ପକାଇବାକୁ ବାଧ୍ୟ କରୁଛି । ତେଣୁ ଗାନ୍ଧୀ ଓ ତାଙ୍କ ବିଚାରକୁ ଭୁଲିବାର ଅପଚେଷ୍ଟା କରି କ୍ଲାନ୍ତ ଓ ନିନ୍ଦିତ ହେବା ପରିବର୍ତ୍ତେ ଏଥିରେ ସମୟୋପଯୋଗୀ ପରିବର୍ତ୍ତନ ଆଣି ସକାରାତ୍ମକ
ପ୍ରୟୋଗ ବଳରେ ମାନବ ସମାଜର ବିକାଶ କରିହେବ ।

E-mail: prahalladsinha@gmail.com
୯୪୩୭୦୧୭୩୯

Comments are closed.