Latest Odisha News

BREAKING NEWS

ଭାଷା ଭାଗବତ : ଶ-ଷ-ସ ସହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୬ 

ଅଂଶ ଦଂଶ ଓ ବଂଶ ଭ୍ରଂଶ
କଂସ ହଂସ ଓ ଧ୍ବଂସ ମାଂସ
କେତେକାଂଶ ଓ ଅଧିକାଂଶ
ଶବ୍ଦରେ ଶ ଓ ସ ନିବାସ

କରୁଁ ନ କରୁଁ ଉଚ୍ଚାରଣ
ଲିଖନ ଧାରା ବହମାନ
ତହିଁରେ ଖଂଜିଦେଲେ ବାଧା
ହେବ ବିବିଧ ଅସୁବିଧା

କର୍କଶ ଉତ୍କର୍ଷ ବୀଭତ୍ସ
ଆଦର୍ଶ ଦୁର୍ଧର୍ଷ ବିଧ୍ବଂସ
ଅବଶ୍ଯ ବିମର୍ଷ ସର୍ବସ୍ୱ
କରିବା ଶବ୍ଦଂକୁ ନିଜସ୍ବ

ଯଶ ହସ ଓ ଫଳରସ
ଆକାଶ ସଂଘର୍ଷ ଆଳସ୍ୟ
ତିନି ପ୍ରକାର ଶ, ଷ ଓ ସ
ସ୍ମୃତିରେ କରଂତୁ ପ୍ରବେଶ

ଘାସ ଚାଷ ଓ ଗ୍ରାସ ନାଶ
ସମସ୍ତ ଶବ୍ଦ ତ ଭାଷାଂଶ
ସବୁର ଯଥାର୍ଥ ବନାନ
ପ୍ରତି ଦେବାକୁ ପଡ଼େ ଧ୍ୟାନ

ସୁବାସ ସୁଭାଷ ଭିନ୍ନତା
ବୁଝିଲେ ବନାନ ଶୁଦ୍ଧତା
କରିପାରିବା ଆମେ ରକ୍ଷା
କରିବା ନିଜକୁ ସମୀକ୍ଷା

ପାଶ ଉଲ୍ଲାସ ଅଭିଳାଷ
ମନରେ ରଖିବା ପ୍ରୟାସ
ଆମେ ହିଁ କରିବା ସଂଭବ
ଏ ଭାଷା ଦୀର୍ଘଜୀବୀ ହେବ

ନିଶ ବିଷ ଓ ନିଃସ୍ବ ବିଶ୍ବ
ଅହର୍ନିଶ ଓ ନିର୍ନିମେଷ
ଗିରିଶ ସୋରିଷ ଆଶିଷ
ବିଶେଷ ଆଉ ସବିଶେଷ

ଅଦୃଶ୍ୟ ପୀୟୂଷ ଆୟୁଷ
ଆଦେଶ ଉଦ୍ଦେଶ୍ଯ ବିଦ୍ବେଷ
ସୁରେଶ ରମେଶ ଗଣେଶ
ବୁଝି ସମସ୍ୟା କରୁଁ ଶେଷ

ଆକ୍ରୋଶ ନିର୍ଦୋଷ ସଂତୋଷ
ଶବ୍ଦକୋଷ ଓ ପଂଚକୋଶ
କଶାଘାତ ଓ କଷାମାଂସ
କରଂତି ଭାଷାକୁ ସରସ

ପ୍ରତ୍ୟାଶା ସ୍ବଭାଷା ଲାଳସା
ଅନିଶା ଜିଗୀଷା ଜିଜ୍ଞାସା
ଓଡ଼ିଶା ମନୀଷା ପିପାସା
ସଂଭାଳି ରଖିଛି ସ୍ବଭାଷା

ଶୁଶ୍ରୂଷା ମଉସା ଅନ୍ବେଷା
ବେଶଭୂଷା ଓ କେଶ ଘଷା
ଆଂବକଷି ଓ ତାରକସି
ବିନାଶୀ ସ୍ବଭାଷୀ ତପସ୍ବୀ

ଶ-ଷ-ସ ସହ କଲେ ବାସ
ହୋଇବ ଭାବନା ପ୍ରକାଶ
ମନରେ ବଢ଼ିବ ସାହସ
ଏ ଭାଷା କରିବାନି ନାଶ

Comments are closed, but trackbacks and pingbacks are open.