ନୂଆଦିଲ୍ଲୀ: ଗରମରେ ବେହାଲ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ହାଲ୍…
କହିଲେ, ସହିହେଉନି ଏତେ ଗରମ!
ଦେଶ ସାରା ଏବେ ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ସହ ଜଳୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ଏହି ସମୟରେ ପ୍ରଥମ ଥର ପାଇଁ ଭାରତ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ଏହି ଗରମରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଦିଲ୍ଲୀର ଗରମ ସହ୍ୟ କରିପାରୁ ନାହାଁନ୍ତି। ଗରମ ଏବଂ ପ୍ରବଳ ଗୁଳୁଗୁଳି ତାଙ୍କୁ ଏତେ ଅତିଷ୍ଠ କରିପକାଇଛି ଯେ, ସେ ମଞ୍ଚକୁ ଚଢୁ ଚଢୁ ମଜାଳିଆ ଢଙ୍ଗରେ ଏହାକୁ କଟାକ୍ଷ କରିଥିଲେ ।
ଶନିବାର ଦିଲ୍ଲୀରେ ନୂତନ ଆମେରିକୀୟ କନସୁଲେଟ୍ କାର୍ଯ୍ୟାଳୟର ଉଦଘାଟନ ସମୟରେ, ସେ ଦିଲ୍ଲୀର ପ୍ରଚଣ୍ଡ ଗରମ ଉପରେ ଏପରି ଏକ ହାସ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ଯେ ଯେଉଁଥିରେ ଦର୍ଶକମାନେ ହସି ଉଠିଥିଲେ। ଯାହା ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି । ମଞ୍ଚକୁ ଚଢିବା ମାତ୍ରେ ମାର୍କୋ ରୁବିଓ ଟିକେ ସ୍ମିତହାସ୍ୟ ଦେଇ କହିଥିଲେ, “ଆଜି ଏଠାରେ ଆସିବା ପ୍ରକୃତରେ ସମ୍ମାନର କଥା। ହେଲେ ମୁଁ ମୋର ଭାଷଣ ସଂକ୍ଷିପ୍ତ ରଖିବାକୁ ଚାହୁଁଛି, କାରଣ ଏଠାରେ ବହୁତ ଗରମ ହେଉଛି। ଏହା ପ୍ରକୃତରେ ପ୍ରବଳ ଗରମ।” ଏଥିସହିତ ତାଙ୍କ ଜନ୍ମସ୍ଥାନ ବିଷୟରେ ଉଲ୍ଲେଖ କରି ସେ ଆହୁରି କହିଥିଲେ ଯେ, “ତଥାପି, ଏଠାରେ ମିଆମି ପରି ଆର୍ଦ୍ରତା ନାହିଁ। ମୁଁ ମିଆମିରୁ ଆସିଛି, ତେଣୁ ମୁଁ ଆର୍ଦ୍ରତା ଗରମ ଏବଂ ପ୍ରଚଣ୍ଡ ଗରମ ମଧ୍ୟରେ ପାର୍ଥକ୍ୟ ଜାଣେ। ବର୍ତ୍ତମାନ ସମୟ କ’ଣ ବୋଲି ପଚାରି ରୁବିଓ କହିପକାଇ ଥିଲେ ଏବେ ସୁଦ୍ଧା ପାଗ ଟିକେ ଥଣ୍ଡା ହୋଇଯିବା ଉଚିତ। ତେଣୁ ମୁଁ ଆପଣଙ୍କୁ ଏଠାରେ ଅଧିକ ସମୟ ପାଇଁ ରଖିବାକୁ ଚାହୁଁନାହିଁ ।” ତାଙ୍କ ଏହି କେଇପଦ କଥା ପରେ ସେଠାରେ ଉପସ୍ଥିତ ଲୋକମାନେ ହସିବାକୁ ଆରମ୍ଭ କରିଥିଲେ ।
ଭାରତ ସହ ସଂପର୍କ ନେଇ କ’ଣ କହିଲେ ରୁବିଓ?
ତେବେ ବିଦେଶ ସଚିବ ହେବା ପରେ ଏହା ମାର୍କୋ ରୁବିଓଙ୍କର ପ୍ରଥମ ଭାରତ ଗସ୍ତ। ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିଲେ, ଯେଉଁଠାରେ ସେମାନେ ସୁରକ୍ଷା, ବାଣିଜ୍ୟ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଥିଲେ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ପରେ ଏହା ପ୍ରଥମ ପ୍ରମୁଖ ଉଚ୍ଚସ୍ତରୀୟ ବୈଠକ ଥିଲା।
ମାର୍କୋ ରୁବିଓ ତାଙ୍କ ସଂକ୍ଷିପ୍ତ ଭାଷଣରେ ଭାରତ-ଆମେରିକୀୟ ସମ୍ପର୍କକୁ ନିରନ୍ତର ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,”ଏହା ଆମ ଏବଂ ଭାରତ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସହଭାଗୀର ମୂଳଦୁଆ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ସେଥିପାଇଁ ମୁଁ ଏହି ସମ୍ପର୍କକୁ ପୁନଃନିର୍ଦ୍ଦିଷ୍ଟ ଏବଂ ଆହୁରି ମଜବୁତ କରିବା ପାଇଁ ଭାରତ ଆସିଛି।” ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ନିଶ୍ଚିତ ଯେ ଆଗାମୀ ମାସ ଗୁଡ଼ିକରେ ଆମେ ଆମର ସମ୍ପର୍କର ବିକାଶ ଏବଂ ମଜବୁତ କରିବା ସମ୍ପର୍କରେ ଆହୁରି ଅନେକ ନୂତନ ଏବଂ ଉତ୍ସାହଜନକ ଘୋଷଣା କରିବୁ।”

Comments are closed.