Latest Odisha News

BREAKING NEWS

ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଜ୍ୟାକି ଶ୍ରଫ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଆକ୍ଟର ଜ୍ୟାକି ଶ୍ରଫ୍ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଯାଇଥାନ୍ତି । ତାଙ୍କର ଷ୍ଟାଇଲ୍ ଓ କଥାବାର୍ତ୍ତା କରିବାର ଅନ୍ଦାଜ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କ ଠାରୁ ଭିନ୍ନ କରିଥାଏ । ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ ନିଶ୍ଚିତ ଭାବରେ ଭିଡୁ ଶବ୍ଦ ବ୍ୟବହାର କରନ୍ତି । ହେଲେ ଏହି ଶବ୍ଦ ପାଇଁ ଏବେ ଜ୍ୟାକି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କାରଣ ସମସ୍ତେ ଜ୍ୟାକି ଶ୍ରଫଙ୍କ ଏହି ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି । ଯାହା ତାଙ୍କୁ ଆଦୌ ପସନ୍ତ ଆସୁନାହିଁ ।

ଏନେଇ ଜ୍ୟାକି ଶ୍ରଫ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ସେ ତାଙ୍କର ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରିଛନ୍ତି । ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ ନାଁ, ଫୋଟୋ, ସ୍ବର ଏବଂ ‘ଭିଡୁ’ ଶବ୍ଦ ବ୍ୟବହାର କରୁଥିବା ସଂସ୍ଥା ଗୁଡିକ ବିରୋଧରେ ଏକ ମକୋଦ୍ଦମା ଦାୟର କରିଛନ୍ତି ।

ଜ୍ୟାକି ଶ୍ରଫ କହିଛନ୍ତି ଯେ, ‘ସୋସିଆଲ ମିଡିଆ ଏବଂ ଏଆଇ ଆପ୍ ବ୍ୟତୀତ ଅନ୍ୟ କୌଣସି ପ୍ଲାଟଫର୍ମରେ ତାଙ୍କ ସ୍ୱର, ଫୋଟୋ କିମ୍ବା ତାଙ୍କ ସହ ଜଡିତ କିଛି ବ୍ୟବହାର କରିବା ପୂର୍ବରୁ ତାଙ୍କଠାରୁ ଅନୁମତି ନିଆଯିବା ଉଚିତ୍ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ଉଚିତ୍ । ତାଙ୍କ ଅନୁମତି ବିନା ଏସବୁର ବ୍ୟବହାର ନକରିବାକୁ ଜ୍ୟାକି କହିଛନ୍ତି ।

ବର୍ତ୍ତମାନ ଏହି ମାମଲାର ସମ୍ପୂର୍ଣ୍ଣ ଶୁଣାଣି ଆସନ୍ତାକାଲି ଅର୍ଥାତ୍ ମେ’ ୧୫ ରେ ହେବ ।

ତେବେ ଏପରି ଅଭିଯୋଗ ଆଣି ମକୋଦ୍ଦମା ଦାୟର କରିବାରେ ଜ୍ୟାକି ଶ୍ରଫ୍ ପ୍ରଥମ ଅଭିନେତା ନୁହଁନ୍ତି । ଏହାପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଅଧିକାର ସମ୍ପର୍କରେ ଏକ ପିଟିସନ ଦାଖଲ କରିଛନ୍ତି । ସେ ୨୦୨୨ ମସିହାରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ତାଙ୍କ ଅନୁମତି ବିନା ତାଙ୍କ ଫୋଟୋ, ନାଁ, ସ୍ୱର ଏବଂ ଚରିତ୍ର ବ୍ୟବହାର ନକରିବାକୁ ସେ ଦାବି କରିଥିଲେ ।

Leave A Reply

Your email address will not be published.