Latest Odisha News

ଜାକ୍‌ଲିନ୍‌ଙ୍କୁ ମିଳିଲା ବିଦେଶ ଗସ୍ତ ଅନୁମତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକ୍‌ଲିନ୍ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଗସ୍ତ ଲାଗି ମିଳିଛି ଅନୁମତି । ସେ ମେ ୨୫ରୁ ଜୁନ୍ ୧୨ ତାରିଖ ମଧ୍ୟରେ ବିଦେଶ ଯାଇପାରିବେ ବୋଲି ଦିଲ୍ଲୀର ଏକ ଅଦାଲତ ଏହି ଅନୁମତି ଦେଇଛନ୍ତି ।

ଆବୁଧାବୀରେ ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ । ସେ ମେ’ ୨୫ରୁ ୨୭ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆବୁଧାବୀ ଯିବା ନିମନ୍ତେ ଆବେଦନ କରିଥିଲେ । ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ ଏଥିପାଇଁ ତାଙ୍କୁ ଅନୁମତି ଦେଇଛନ୍ତି । ସେ ମେ ୨୫ରୁ ଜୁନ୍ ୧୨ ତାରିଖ ଯାଏ ବିଦେଶ ଗସ୍ତ କରିପାରିବେ । ଏଥିସହିତ ଏକ ଫିଲ୍ମ ସୁଟିଂ ନିମନ୍ତେ ମେ’ ୨୮ରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଇଟାଲୀ ଗସ୍ତ ଲାଗି ତାଙ୍କୁ ଅନୁମତି ମଧ୍ୟ ମିଳିଛି ।

ମହାଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସାଜିଛନ୍ତି ବଲିଉଡ୍ ଅଭିନେତ୍ରୀ ଜାକ୍‌ଲିନ୍ ଫର୍ନାଣ୍ଡିସ୍ । ଗତବର୍ଷ ନଭେମ୍ବର ୧୫ ତାରିଖରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ରେଲିଗେୟାର ଏଣ୍ଟରପ୍ରାଇସେସ୍‌ର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କଠାରୁ ଚନ୍ଦ୍ରଶେଖର ବହୁକୋଟି ଟଙ୍କା ଠକିନେବା ଘଟଣାରେ ଦିଲ୍ଲୀ ପୋଲିସର ଇଓଡବ୍ଲ୍ୟୁ ପକ୍ଷରୁ ଦାଏର ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା । ଜାକ୍‌ଲିନ୍ ଉକ୍ତ ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.