Latest Odisha News

BREAKING NEWS

ଯଦି କେବେ ନାରୀ ହୋଇଯିବି

ଯଦି କେବେ ନାରୀ ହୋଇଯିବି

ରାଜେଂଦ୍ର କିଶୋର ପଂଡା

ସୁନା ଖଡ଼ିକାରେ ଲହୁଣୀ ଲାଗିବ
ମନରେ ଅୟୁତ ଡେଣା
ସବୁ ଫୁଲ ସବୁ ଫେଣାରୁ ଠୁଳେଇ
ଓଠୁ ହୃଦୁ ମହୁକଣା

ମୟୂର ପୁଚ୍ଛର ବେହରଣ ନେବି
ସରୁ ମୃଣାଳର କାଚ
ଛୁଇଁ ଛୁଇଁ ସବୁ ଜୀଆଁଇ ଜୀଆଁଇ
ହେଉଥିବି ନାଚନାଚ

ଦୂରୁ ବହୁଦୂରୁ ଅଜଣା ଶିଖର
ସିଦ୍ଧ ମହାପୁରୁଷକୁ
ଉତାରି ଆଣିବି ମାଟି ଓ ଆକାଶ
ଗୋଳାଇ ମଂତୁରିବାକୁ

ଓଢ଼ଣା ଟାଣିବି ପୁଣି ଖୋଲିଦେବି
ଛାତିକି ଛାଟିବି ବେଣୀ
ମେଲାଣି ବେଳକୁ ଦେଖାଇଦେବି ମୋ’
ଆଡ଼ଚାହାଣିର ଠାଣି

ନାଗଫେଣୀ ଦେହେ ଘଷି ହୋଇଯିବି
ଛାଇକି ମାରିବି ନାତ
ସିଂହଛୁଆକୁ ମୁଁ କ୍ଷୀରପାନ ଦେବି
ମୃଗୁଣୀକୁ ଦେବି ନେତ୍ର

ପଥର ଉପରେ ପାଣିଗାର କାଟି
ଖୋଦିଯିବି ମୋର ନାଆଁ
ମହାକାଂତାରରେ ବଣା ବାଟୋଇକୁ
ମିଳିଯିବ ‘ପ୍ରୀତି’ – ଗାଆଁ

ମନ୍ମନ ଧ୍ୱନିରେ ପୂର୍ଣ କରିଦେବି
ଏ ସକଳ ଚରାଚର
ମୀରା ପରି ଏଣେ ଖୋଜି ହେଉଥିବି
କାହିଁ ସେଇ ଗିରିଧର

ତିଳତିଳ କରି ବାଂଟିଦେବି ମୋର
ତିଳୋତ୍ତମା ରୂପଗୁଣ
କାମିନୀ ଭିତରେ ମୋହିନୀ, ମୋହିନୀ
ଭିତରେ ଯୋଗିନୀପଣ

ଠାକୁରଂକୁ ନେଇ ସାଜିବି ଜଗତ
ନିରୁତା ଶୋଭାର ଶିରୀ
କଷଣ ଦୂଷଣ ପୋଛି, ସମଭାଗେ
ନୀଳ କିରଣରେ ଭରି ।

Leave A Reply

Your email address will not be published.