Latest Odisha News

୩ ବର୍ଷରେ ଜଗନ୍ନାଥ ମନ୍ଦିରକୁ ମିଳିଛି ୧୧୩ କୋଟି

ଭୁବନେଶ୍ବର: ବିଧାନସଭା ଶୀତକାଳନୀ ଅଧିବେଶନରେ ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ଆୟ ସମ୍ପର୍କରେ ମିଳିଛି ସୂଚନା। ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି। ଗତ ୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାନ ଭାବରେ ଭକ୍ତ ୧୧୩ କୋଟି ଦେଇଛନ୍ତି। ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ହୁଣ୍ଡି ଓ ବିଭିନ୍ନ ସୂତ୍ରରୁ କେତେ ଟଙ୍କା ଆଦାୟ ହୋଇଛି ବୋଲି ବିଧାୟକ ସନାତନ ମହାକୁଡ ପ୍ରଶ୍ନ କରିଥିଲେ। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ୍‌ ମନ୍ତ୍ରୀ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି। ୨୦୨୧ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ୧୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା ଆସିଛି। କେବଳ ହୁଣ୍ଡିରୁ ୨୦୨୧-୨୨ରେ ୮କୋଟି ୨୩ ଲକ୍ଷ ୧୩ ହଜାର ମିଳିଥିବା ବେଳେ, ୨୦୨୨-୨୩ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ଏବଂ ୨୦୨୩-୨୪ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ଟଙ୍କା ମିଳିଛି।

ଜଗନ୍ନାଥ ମନ୍ଦିର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୨୦୨୧-୨୨ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଥିବା ବେଳେ, ୨୦୨୨-୨୩ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ଓ ୨୦୨୩-୨୪ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ଟଙ୍କା ମିଳିଛି। ସେହିପରି ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ରେ ୨ କୋଟି ୨୫ ଲକ୍ଷ ୩୧ ହଜାର, ୨୦୨୨-୨୩ରେ ୪ କୋଟି ୬୨ ଲକ୍ଷ ଏବଂ ୨୦୨୩-୨୪ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ଟଙ୍କା ମିଳିଛି ବୋଲି ଆଇନ ମନ୍ତ୍ରୀ ଲିଖିତ ଭାବେ ସୂଚନା ଦେଇଛନ୍ତି।

Comments are closed.