Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଓ ଅଚଳାବସ୍ଥା ଦୁଇଜଣ ମନ୍ତ୍ରୀଙ୍କ ଦ୍ୱାରା ପ୍ରାୟୋଜିତ: ବିଜେପି

ଭୁବନେଶ୍ୱର: ଶୁକ୍ରବାର ସକାଳେ ଶ୍ରୀମନ୍ଦିର ଦ୍ୱାର ନଖୋଳିବା, ଶ୍ରୀଜୀଉଙ୍କ ନୀତିକାନ୍ତି ବନ୍ଦ ରହିବା ଏବଂ ମହାପ୍ରଭୃଙ୍କ ଦର୍ଶନ ପାଇବାରୁ ହଜାର ହଜାର ଭକ୍ତ ବଂଚିତ ହେବା ଏହା ପ୍ରାୟୋଜିତ ବିଶୃଙ୍ଖଳା । ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଓ ଅଚଳାବସ୍ଥା ତଥା ୧୦ ଘଣ୍ଟା ବିଳମ୍ବରେ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲାଯିବା ଘଟଣା ଦୁଇଜଣ ମନ୍ତ୍ରୀଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ପିପିଲି ଦୁଷ୍କର୍ମ ଘଟଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ବିରୁଦ୍ଧରେ ସାରା ରାଜ୍ୟରେ ଗଢି ଉଠିଥିବା ବିରୁଦ୍ଧାଭାଷକୁ ଅତି ଚତୁରତାର ସହ ଏଡାଇବା ପାଇଁ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଓ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମିଳିତ ଉଦ୍ୟମରେ ଏହି ବିଭ୍ରାଟକୁ ରଚନା କରାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗତ ଗୁରୁବାର ଠାରୁ ଶୁକ୍ରବାର ସଂନ୍ଧ୍ୟା ପର୍ଯ୍ୟନ୍ତ ସାଢେ ୪ କୋଟି ଓଡିଆଙ୍କ ଆରାଧ୍ୟ ଦେବତାଙ୍କୁ ଉପାସରେ ରଖାଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଶୁକ୍ରବାର ଦିନ ଦୀର୍ଘ ସମୟ ଧରି ଶ୍ରୀଜୀଉଙ୍କୁ ଉପାସରେ ରଖି ଭକ୍ତମାନଙ୍କୁ ଦର୍ଶନରୁ ବଂଚିତ କରି ପୋଲିସ ପ୍ରଶାସନ ଦ୍ୱରା ବିଦୃପ କରାଯାଇଥିଲା ତେଣୁ ଏହା ଏକ ସୁଚିନ୍ତିତ ଓ ପ୍ରାୟୋଜିତ ବିଶୃଙ୍ଖଳା ବୋଲି ଗଣମାଧ୍ୟମ ଆଗରେ ସେ ବିଷୋଦଗାର କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି, ପୁରୀ ଏସପିଙ୍କ ଅଶାଳୀନ ବକ୍ତବ୍ୟ ଏହି ଘଟଣାରେ ଘଟା ଘା’ରେ ଚୂନ ସଦୃଶ ଏବଂ ଏହି ଘଟଣାକୁ ରାଜ୍ୟ ଆଇନ ମନ୍ତ୍ରୀ ଗୁରୁତ୍ୱର ସହ ବିଚାର ନକରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ଏହି ଘଟଣାରେ ଓଡିଶାବାସୀ କଦାପି କ୍ଷମା ଦେବେନି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Leave A Reply

Your email address will not be published.