Jaipur School Tragedy: ‘ମାମ୍…ମୋ କଥା ଥରେ ଶୁଣ!’ ବାରମ୍ବାର ଶିକ୍ଷୟିତ୍ରୀଙ୍କୁ ଗୁହାରି କରିଥିଲା ୯ ବର୍ଷର ଅମାଇରା, CCTV ସାମ୍ନାକୁ ଆଣିଲା ହୃଦୟବିଦାରକ ଦୃଶ୍ୟ
ଜୟପୁର: ୧୮ ମାସ ଧରି ବୁଲିଂ, ଶେଷ ଦିନରେ ବି ମିଳିଲାନି ସାହାଯ୍ୟ, ଚତୁର୍ଥ ମହଲାରୁ ଡେଇଁପଡ଼ିଲା ୯ ବର୍ଷର ନାବାଳିକା । ନୂଆ CCTV ଫୁଟେଜ୍ ସାମ୍ନାକୁ ଆସିଲା ପରେ ଉଠିଲା ଅନେକ ପ୍ରଶ୍ନ ।
ମାତ୍ର ୯ ବର୍ଷର କଅଁଳ ବୟସ। ମନରେ ଅସୁମାରୀ ଆଶା ନେଇ ସ୍କୁଲକୁ ଯାଇଥିଲା ପାଠ ପଢ଼ିବାକୁ, କିନ୍ତୁ ଫେରିଲା ମୃତଦେହ। ରାଜସ୍ଥାନର ଜୟପୁର ସ୍ଥିତ ନୀରଜା ମୋଦି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ଅମାଇରା ମୀଣାଙ୍କ ମୃତ୍ୟୁ ମାମଲା ଏବେ ସମସ୍ତଙ୍କୁ ପୁଣି ଥରେ ସ୍ତବ୍ଧ କରିଦେଇଛି। ପରିବାର ପକ୍ଷରୁ ପ୍ରକାଶ କରାଯାଇଥିବା ନୂଆ CCTV ଫୁଟେଜ୍ ଘଟଣା ପୂର୍ବର ଶେଷ କିଛି ମିନିଟ୍କୁ ସାମ୍ନାକୁ ଆଣିଛି। ପରିବାରର ଅଭିଯୋଗ, ଝିଅ ବାରମ୍ବାର ସାହାଯ୍ୟ ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ।
ଗତ ୨୦୨୫ ନଭେମ୍ବର ୧ ତାରିଖରେ ଅମାଇରା ସାଧାରଣ ଭାବେ ସ୍କୁଲକୁ ଯାଇଥିଲା। CCTVରେ ଦେଖାଯାଉଛି, ସେ ସାଙ୍ଗମାନଙ୍କ ସହ କଥା ହେଉଛି ଏବଂ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଉଛି। କିଛି ସମୟ ପରେ କିଛି ଛାତ୍ରଛାତ୍ରୀ ଏକ ଡିଜିଟାଲ ସ୍ଲେଟ୍ ତାଙ୍କୁ ବାରମ୍ବାର ଦେଖାଉଥିଲେ। ପରିବାରର ଦାବି, ଏହା ପରେ ଅମାଇରା ଭୟଭୀତ ଓ ଅସହଜ ହୋଇପଡ଼ିଥିଲା। ଭିଡିଓରେ ସେ ବାରମ୍ବାର ଶ୍ରେଣୀ ଶିକ୍ଷୟିତ୍ରୀ ପୁନୀତା ଶର୍ମାଙ୍କ ପାଖକୁ ଯାଇ ନିଜ କଥା କହିବାକୁ ଚେଷ୍ଟା କରୁଛି। ହାତ ଯୋଡ଼ୁଛି, ମୁହଁ ଓ ମୁଣ୍ଡ ଧରି ଅସହାୟ ଭାବରେ ଠିଆ ହୋଇଛି। କିନ୍ତୁ ପରିବାରର ଅଭିଯୋଗ, ତାଙ୍କୁ ଅଲଗା କରି କଥା ଶୁଣିବା ପରିବର୍ତ୍ତେ ଅନ୍ୟ ପିଲାମାନଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।
ପରିବାରର କହିବା ଅନୁସାରେ, ଶିକ୍ଷୟିତ୍ରୀଙ୍କ ବ୍ୟବହାର ପରେ ଅମାଇରା କ୍ଲାସରୁ ଏକାକୀ ଦୌଡ଼ି ବାହାରିଯାଇଥିଲା। କୌଣସି ଶିକ୍ଷକ କିମ୍ବା କର୍ମଚାରୀ ତାଙ୍କ ପଛରେ ଯାଇନଥିଲେ। ସେ ଗ୍ରାଉଣ୍ଡ ଫ୍ଲୋରରୁ ଚତୁର୍ଥ ମହଲାକୁ ଯାଇ ପ୍ରାୟ ୪୮ ଫୁଟ୍ ଉଚ୍ଚରୁ ଡେଇଁପଡ଼ିଥିଲେ। ହସ୍ପିଟାଲକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅମାଇରାଙ୍କ ମା’ ଶିବାନୀ କହିଛନ୍ତି, ତାଙ୍କ ଝିଅ ଉଚ୍ଚତାକୁ ବହୁତ ଡରୁଥିଲା। “ଦୁଇ ଫୁଟ୍ ଉଚ୍ଚ ବେଞ୍ଚ ଉପରେ ମଧ୍ୟ ସେ ଚଢ଼ିବାକୁ ଡରୁଥିଲା। ତାହେଲେ ସେ କେତେ ଅସହାୟ ଓ ମାନସିକ ଚାପରେ ଥିଲା, ଯେ ଏତେ ବଡ଼ ପଦକ୍ଷେପ ନେଲା, ତାହା କଳ୍ପନା କରନ୍ତୁ।” ସେ ଅଭିଯୋଗ କରିଛନ୍ତି ଯେ, ସ୍କୁଲରେ ପ୍ରାୟ ୧୮ ମାସ ଧରି ବୁଲିଂ ଚାଲିଥିଲା, କିନ୍ତୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନଥିଲା।
ପରିବାର ଅଭିଯୋଗ କରିଛି ଯେ, ଆଠ ମାସରେ ତିନିଜଣ ତଦନ୍ତକାରୀ ଅଧିକାରୀ (IO) ବଦଳିଛନ୍ତି। ସେମାନଙ୍କ ମତରେ ତଦନ୍ତ ଅଧାରେ ରହିଛି ଏବଂ ଦୋଷୀଙ୍କ ବିରୋଧରେ କଠୋର ଧାରା ଲଗାଯାଇନାହିଁ। ପରିବାର ଜୁଭେନାଇଲ୍ ଜଷ୍ଟିସ୍ ଆଇନ ଅନୁଯାୟୀ ସ୍କୁଲ ପ୍ରଶାସନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପୋଲିସ ପୂର୍ବରୁ ସ୍କୁଲର ମାଲିକ ସୌରଭ ମୋଦି, ପ୍ରିନ୍ସିପାଲ ଇନ୍ଦୁ ଦୁବେ ଏବଂ ଶ୍ରେଣୀ ଶିକ୍ଷୟିତ୍ରୀ ପୁନୀତା ଶର୍ମାଙ୍କ ନାମରେ ଅବହେଳା ସମ୍ପର୍କିତ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି।
ଏପଟେ CBSE ଯାଞ୍ଚରେ ସ୍କୁଲରେ ଗୁରୁତର ସୁରକ୍ଷା ତ୍ରୁଟି ଧରାପଡ଼ିଥିଲା। ସେଥିରେ ସୁରକ୍ଷା କମିଟିର ଅଭାବ, CCTVର ଯଥେଷ୍ଟ ନିରୀକ୍ଷଣ ନହେବା, ଉପର ମହଲାରେ ସୁରକ୍ଷା ଜାଲ କିମ୍ବା ସୁରକ୍ଷିତ ରେଲିଂ ନଥିବା ଏବଂ ବୁଲିଂ ଅଭିଯୋଗ ଉପରେ ଠିକ୍ ପଦକ୍ଷେପ ନ ନେବା ଭଳି ଅନେକ ତ୍ରୁଟି ଉଲ୍ଲେଖ କରାଯାଇଥିଲା।