ଯାଜପୁର: ବହୁଚର୍ଚ୍ଚିତ ତଥା ରହସ୍ୟଘେରା ପିହୁ ନିଖୋଜ ମାମଲାକୁ ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ । ପୋଲିସ ଏବଂ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଏବେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ନବନିର୍ବାଚିତ ଯାଜପୁର ଲୋକସଭା ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ପିହୁ ନିଖୋଜ ମାମଲାର ସତ୍ୟାସତ୍ୟ ଉନ୍ମୋଚନ ଏବଂ ପରିବାରକୁ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେ ରାଜ୍ୟ ସରକାରଙ୍କୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକଙ୍କ ଦୁଇ ବର୍ଷର ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ‘ପିହୁ’ ଘର ବାହାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲେ। ଝିଅକୁ ଫେରିପାଇବା ଆଶାରେ ପିହୁଙ୍କ ମାଆ ମୋନାଲିସା ନାୟକ ଗତ ୬ ବର୍ଷ ଧରି ନ୍ୟାୟ ପାଇଁ ଦ୍ୱାର ଦ୍ୱାର ବୁଲୁଛନ୍ତି। ଥାନାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ୍, ମାନବାଧିକାର କମିଶନ ଏବଂ ରାଜଧାନୀରେ ଧାରଣା ଦେବା ସହ ଏପରିକି ଗତ ନିର୍ବାଚନ ମଧ୍ୟ ବର୍ଜନ କରିଥିଲେ। ତଥାପି ପୋଲିସ ହାତ ଏପର୍ଯ୍ୟନ୍ତ ଖାଲି ରହିଛି ।
ସ୍ଥାନୀୟ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ପିହୁଙ୍କ ସନ୍ଧାନ ଦେଲେ ନଗଦ ଅର୍ଥରାଶି ପୁରସ୍କାର ଘୋଷଣା କରିଥିଲା, କିନ୍ତୁ ତଦନ୍ତ ଆଗେଇ ପାରିନଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶିଶୁ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ସାଂସଦ ରବିନ୍ଦ୍ର ବେହେରା ପିହୁଙ୍କ ପରିବାରର ଦୁଃଖକୁ ହୃଦୟଙ୍ଗମ କରି ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ସେ କହିଛନ୍ତି ଯେ, ଏକ କୁନି ଝିଅ ଦୀର୍ଘ ବର୍ଷ ଧରି ନିଖୋଜ ରହିବା ଏବଂ ପୋଲିସ ତାକୁ ଖୋଜି ନପାଇବା ପ୍ରଶାସନିକ ବିଫଳତାକୁ ଦର୍ଶାଉଛି । ତେଣୁ ଏହି ସମ୍ବେଦନଶୀଳ ମାମଲାର ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନିୟୋଜିତ ହେବା ଆବଶ୍ୟକ ।


Comments are closed.