Latest Odisha News

ଗତବର୍ଷର ଅଘଟଣ ପାଇଁ ଚଳିତ ବର୍ଷ ହୋଲିରେ ଗାଁ ପାଲଟିଛି ରଙ୍ଗହୀନ

ଯାଜପୁର : ରଙ୍ଗର ପର୍ବ ହେଉଛି ହୋଲି ପର୍ବ । ଯେଉଁ ହୋଲି ରଙ୍ଗ ରେ ରଙ୍ଗିନ ହେଉଥିଲା ପୁରା ଗାଁ , ଆଜି ସେହି ଗାଁ ପାଲଟିଛି ସମ୍ପୂର୍ଣ୍ଣ ରଙ୍ଗହୀନ । ସମସ୍ତଙ୍କ ଆଖିରେ ଲୁହ ଆଉ ମନରେ କୋହ । ଗାଁରେ କେବଳ ଗୋଟିଏ ଚର୍ଚ୍ଚା, ଗୋଟିଏ ଦିନରେ ଆରପାରିକୁ ଚାଲିଗଲେ ୬ ଭାଇ  ।

ଆମେ କହୁଛୁ ବନ୍ଧମୁଣ୍ଡା ଗାଁର କଥା  । ଯେଉଁଠି ଗତବର୍ଷ ହୋଲି ଖେଳିସାରି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ୬ ଭାଇ, ଆଉ ଅଳ୍ପକେ ରକ୍ଷା ପାଇଯାଇଥିଲେ ଦୁଇ ଭାଇ । ସେଥିପାଇଁ ଆଜି ଗାଁରେ ନାଁ ରଂଗ ଖେଳ ହେଉଛି ନାଁ କାହାରି ମନରେ ଖୁସି ଅଛି । କିଏ ହରାଇଛି ପୁଅକୁ ତ ଆଉ କିଏ ହରାଇଛି ଭାଇକୁ । ସେଦିନର ସେହି କଳା ମୁହୂର୍ତ୍ତକୁ ଭାବିଲା ବେଳକୁ କୋହକୁ ଅଟକାଇ ପାରୁନାହାଁନ୍ତି ପରିବାର ଓ ଆତ୍ମୀୟ ସ୍ୱଜନ ।

ତେବେ  ପ୍ରତିବର୍ଷ ଭଳି ଗତବର୍ଷ ବନ୍ଧ ମୁଣ୍ଡା ଗାଁରେ ସଂକିର୍ତ୍ତନ ପର ଦିନ ଅର୍ଥାତ୍ ଆଜିର ଦିନରେ ଦୋଳପୂର୍ଣ୍ଣିମା ଦିନ ହୋଲି ପାଳନ କରାଯାଏ । ସେଥିପାଇଁ ହୋଲି ଖେଳି ସାରି ଗାଁର ଯୁବକ ମାନେ ଗାଧେଇବାକୁ ପାଖ ଖରସ୍ରୋତା ନଦୀର ମଙ୍ଗଳା ଘାଟକୁ ଯାଇଥିଲେ । ସେଠି ଜଣକ ପରେ ଜଣେ ନଦୀର ପ୍ରଖର ସ୍ରୋତରେ ଏକାସାଙ୍ଗେ ୬ ଜଣ ଭାସିଯାଇଥିଲେ ।

ସେହି ହୃଦୟ ବିଦାରକ ଦୃଶ୍ୟ ସେଦିନ ସମଗ୍ର ରାଜ୍ୟକୁ ଚହଲାଇ ଦେଇଥିଲା । ସେହି ୬ ଭାଇଙ୍କ ସ୍ମୃତିରେ ଗାଁ ମୁଣ୍ଡରେ ନିର୍ମାଣ କରାଯାଇଛି ସ୍ମୃତି ମଣ୍ଡପ । ଯେଉଁଥିରେ ୬ ଭାଇଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଆଉ ରିଷ୍ଟ ଖଣ୍ଡନ ପାଇଁ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ପ୍ରତିମୂର୍ତିକୁ ପୂଜାର୍ଚ୍ଚନା କରିବା ବେଳେ ପରିବାର ଲୋକଙ୍କ ବୁକୁଫଟା କାନ୍ଦରେ ଫାଟିପଡୁଥିଲା ପୂରା ପରିବେଶ । ଗତବର୍ଷ ଏହି ଗାଁକୁ ଯେଉଁଭଳି ଦୁଃଖ ଆସିଥିଲା ସେହି ଭଳି ଦୁଃଖ ଆଉ ନ ଆସୁ ବୋଲି କାମନା କରିଛନ୍ତି ଗ୍ରାମବାସୀ ।

Comments are closed.