Latest Odisha News

ଓୟୁଏଟିରେ ବ୍ୟାପୁଛି ଜଣ୍ଡିସ୍, କର୍ତ୍ତୃପକ୍ଷଙ୍କୁ କଡା ତାଗିଦ କଲେ ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ। ଏକାଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ଔଷଧ ଖାଇ ଭଲ ହୋଇଥିବା ବେଳେ ଆଉ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଓୟୁଏଟିର କର୍ମଚାରୀ ପିଇବା ପାଣି ଓ ଖାଦ୍ୟ ଦୋଷ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ବିଶ୍ଵବିଦ୍ୟାଳୟ ଅଧିକାରୀ ଗ୍ରୁପରେ ମେସେଜ ମଧ୍ୟ କରି ସୁରକ୍ଷା ଦୃଷ୍ଟିରୁ ଘରକୁ ଯାଇପାର ବୋଲି ପରାମର୍ଶ ଦେଉଛନ୍ତି। ବିଶେଷ କରି ହଷ୍ଟେଲର ଛାତ୍ରଛାତ୍ରୀମାନେ ପ୍ରଭାବିତ ହୋଇଥିବା ଜାଣିବାକୁ ମିଳିଛି।

ଓୟୁଏଟିରେ ୮ ଛତ୍ରାବାସ ଓ ୯ଟି ଛାତ୍ରୀ ନିବାସ ରହିଛି। ସେଥିରୁ ଦୁଇଟି ହଷ୍ଟେଲରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ପାଖାପାଖି ୧୨ ରୁ ଅଧିକ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ସମସ୍ତ ବିଶ୍ଵବିଦ୍ୟାଳୟ ପରିବେଶ ଖାଁ ଖାଁ ରହିଛି। ସେପଟେ ନିରୀକ୍ଷଣ ସମୟରେ ଏହାକୁ ଏଡାଇ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ। ୨୪ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ମିଛ ବୋଲି ସେ କହିଛନ୍ତି।

ଏହି ଘଟଣାରେ ଓୟୁଏଟି କର୍ତୃପକ୍ଷଙ୍କୁ କଡା ତାଗିଦ କରିଛନ୍ତି ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି। ସେ କହିଛନ୍ତି, ହଷ୍ଟେଲରେ ଜଣ୍ଡିସ ଘଟଣାକୁ ଆଦୌ ଚପାନ୍ତୁ ନାହିଁ। ଏମିତି ହେଲେ ଏହା ଆହୁରି ବ୍ୟାପିବ। ଘଟଣା ଜାଣିଲେ ହିଁ ତା’ର ନିରାକରଣ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ଓୟୁଏଟିରୁ ୧୨ ଜଣ ଜଣ୍ଡିସ ଆକ୍ରାନ୍ତଙ୍କ ଖବର ପାଇଛୁ। ଆମ ଟିମ ସେଠାରେ ପହାଞ୍ଚି ଯାଞ୍ଚ କରୁଛନ୍ତି ବୋଲି ଡାକ୍ତର ସେନାପତି କହିଛନ୍ତି।

ସେ ଆହୁରି କହିଛନ୍ତି, ୪ ଜଣ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଓୟୁଏଟି କହୁଛି। ହଷ୍ଟେଲର ପ୍ରତି ରୁମ ଯାଞ୍ଚ ହେବା ସହ ଏପିଡେମୋଲୋଜିଷ୍ଟ ଓ ମାଇକ୍ରୋ ବାୟୋଲୋଜିଷ୍ଟ ବିଶ୍ଵବିଦ୍ୟାଳୟ ପରିସରରେ ନିରୀକ୍ଷଣ କରିବେ। ପାଣି ପରୀକ୍ଷା ପାଇଁ ବିଭାଗୀୟ ସ୍ତରରେ ୱାଟକୋକୁ ଚିଠି କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୬ରେ ଭୁବନେଶ୍ବର ଗାଡକଣର ଏକ ଆପାର୍ଟମେଣ୍ଟରେ ଏକକାଳୀନ ୨୮ ଜଣଙ୍କୁ ଜଣ୍ଡିସ ହୋଇଥିଲା। ଦୂଷିତ ପାଣି ଯୋଗୁଁ ସେଠାରେ ଜଣ୍ଡିସ ବ୍ୟାପିଥିବା ବେଳେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି।

Comments are closed.