Latest Odisha News

BREAKING NEWS

ଝଡ଼ର ଇଗଲ୍‌: ସ୍ୱାଭିମାନ ହିଁ ଶେଷକଥା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍‌’ର ଏହା ହେଉଛି ୪ର୍ଥ କଡ଼ି ।)

ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍‌ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।

ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।

ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।

ସ୍ୱାଭିମାନ ହିଁ ଶେଷକଥା

ଜୀବନରେ ସବୁକଥା ଗୋଟେ ପଟେ, ଅନ୍ୟ ପଟେ ସ୍ୱାଭିମାନ । ଏଇ ଭାବନାଟି ସ୍କୁଲରେ ପଢିବା ଦିନୁ ବିଜୁଙ୍କୁ ଆଚ୍ଛନ୍ନ କରି ରଖିଥିଲା । ସେ ବୁଝିଥିଲେ, ସ୍ୱାଭିମାନ ନ ଥିଲେ ସାହସ ଆସିବ ନାହିଁ । ସାହସ ନ ଥିଲେ ମଣିଷଟା ପନି ପରିବା ସହ ସମାନ । ସେତେବେଳକୁ ଷଷ୍ଠ ଶ୍ରେଣୀ । ଦୁଇ ଭାଇ, ଭଉଣୀଙ୍କ ସହ ଜୀବନ ଗଡ଼ି ଚାଲିଥାଏ ସୁରୁଖୁରୁରେ । ଜର୍ଜ, ବୁଢୀ, ବିଜୁ, ସିଜୁ । ସମସ୍ତଙ୍କ ଭିତରେ ବିଜୁ କିନ୍ତୁ ଚଞ୍ଚଳ ମନା । ଏଇଲେ ଏଇଠି ତ ପରମୂହୁର୍ତ୍ତରେ ଆଉ କେଉଁଠି । ମାଆ ଆଶାଲତା ମିଠା-ଆକଟ କରି କହନ୍ତି – ‘ତୋର ସେ ଦୁଇଟା ଗୋଡ଼, ନା ଦୁଇଟା ଡେଣା ?’ ସାଇକେଲ୍ ଖଣ୍ଡେ ପାଇଲେ ସେ ସାରା କଟକ ଚକ୍‌କର ମାରି ଚାଲି ଆସନ୍ତି ।

୧୯୨୭ ମସିହା । ସେଇ ବର୍ଷ ମିଶନ ସ୍କୁଲରୁ ଯାଇ ଯୋଗ ଦେଇଥାଆନ୍ତି କଟକର ରେଭେନ୍‌ସା କଲେଜିଏଟ୍ ସ୍କୁଲରେ । ନାଆଁକରା ବିଦ୍ୟାଳୟ । ପାଠପଢା ଯେମିତି ଶୃଙ୍ଖଳା ବି ସେମିତି । ସେଇ ସ୍କୁଲରେ ପାଠ ପଢିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଅବଶ୍ୟ ରେଭେନ୍‌ସା କଲେଜିଏଟ୍ ସ୍କୁଲର ନାଆଁ ସେତେବେଳେ ଥିଲା କଟକ ହାଇସ୍କୁଲ । ନୂଆ ନାଆଁ ବଦଳ ହୋଇଥିଲା ୧୮୬୮ରେ । ସେଇଠି ପାଠ ପଢିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ମାଟ୍ରିକ୍ ପାଶ୍ କରିଯାଇଥିଲେ ସେଇଠାରୁ । ସାରା ଦେଶରେ ସେତେବେଳକୁ ତାଙ୍କର ଖୁବ୍ ସୁନାମ । ଛାତ୍ରମାନେ ତାଙ୍କ ନାଆଁ ଶୁଣିଲେ ଠିଆ ହୋଇଯାଉଥିଲେ । ଅଦମ୍ୟ ସାହସର ପ୍ରତିମୂର୍ତ୍ତି ।

ସ୍ୱାଧିନତା ଆନ୍ଦୋଳନର ଡାକରାରେ ଉବୁଟୁବୁ ହେଉଥାଏ ଭାରତ । ମହାତ୍ମା ଗାନ୍ଧୀ ଧରିଥାଆନ୍ତି ଆନ୍ଦୋଳନର ମଙ୍ଗ । କି ଘର, କି ବିଦ୍ୟାଳୟ, କି କଲେଜ ସବୁଠି ଛାତ୍ରଛାତ୍ରୀଙ୍କ ଭିତରେ ଗାନ୍ଧୀଜୀ ପଶି ଯାଇଥାଆନ୍ତି । ସ୍ୱାଧୀନତାର ଅଗ୍ରଦୂତ ହୋଇ । ସ୍କୁଲ ପାଖରେ ସ୍ୱରାଜ୍ୟ ଆଶ୍ରମ । ସଂଗ୍ରାମୀମାନଙ୍କର ମିଳନସ୍ଥଳ । ସେଇ ପାଲଟିଥାଏ ସାରା ଓଡ଼ିଶା ପାଇଁ ସ୍ୱାଧୀନତା ସଂଗ୍ରାମର କେନ୍ଦ୍ରବିନ୍ଦୁ । ସେଇଠାକୁ ଆସୁଥାନ୍ତି ମହାତ୍ମାଗାନ୍ଧୀ ।

ଡିସେମ୍ବର ଅଠର ତାରିଖ । ଗାନ୍ଧୀ ଆସୁଛନ୍ତି, ବୋଲି ଚାରିଆଡ଼େ ହୁରି ।

ବିଜୁଙ୍କ ଭିତରେ ଗାନ୍ଧୀ ମହାତ୍ମାଙ୍କୁ ଦେଖିବାକୁ ବଡ଼ ଆଗ୍ରହ ଜାତ ହେଲା । ଗାନ୍ଧୀଜୀ କେମିତିକା ହେଇଥିବେ! କେତେ ସାହସ ତାଙ୍କର । ସମସ୍ତେ ବ୍ରିଟିଶ ସରକାରର ନାଆଁ ଶୁଣିଲେ ଥରହର ହେଉଛନ୍ତି । ହେଲେ ଏ ମହାତ୍ମା ମୋଟେ ଡରୁନାହାନ୍ତି । କହୁଛନ୍ତି ନ୍ୟାୟବଳ ଖଟେଇ ଆମେ ଲଢିବା ଫିରିଙ୍ଗି ସରକାର ସହିତ । ଅହିଂସା ଆମର ଅସ୍ତ୍ର, ସତ୍ୟ ଆମର ମାର୍ଗ ।

୧୯୨୧ ମାର୍ଚ୍ଚ ମାସରେ ପହିଲେ ଗାନ୍ଧୀଜୀ ଆସିଥିଲେ କଟକ । ସେତେବେଳେ ବିଜୁଙ୍କୁ ମୋଟେ ପାଞ୍ଚବର୍ଷ । ସ୍କୁଲରେ କେତେକଥା ଶୁଣିଛନ୍ତି ଗାନ୍ଧୀଜୀଙ୍କ ସମ୍ପର୍କରେ । ଏଥରକ କୁଆଡ଼େ ସିଏ ଆସିଛନ୍ତି ଖଦିର ପ୍ରସାର ପାଇଁ । ଗଞ୍ଜାମ ଜିଲ୍ଲା ଆଡୁ କାମ ସାରି ଆସୁଛନ୍ତି କଟକ, ସ୍ୱରାଜ୍ୟ ଭବନରେ ରହିବେ । ଗାନ୍ଧୀଜୀଙ୍କ ସମ୍ପର୍କରେ କେତେ କଥା କେତେ ଆଲୋଚନା । ବିଭିନ୍ନ ଆଡୁ ଆସୁଛନ୍ତି ଲୋକ । ଗାନ୍ଧୀଙ୍କୁ ଦେଖିବେ ।

ବିଜୁ ଯାଉ ପହଞ୍ଚିଗଲେ ସ୍ୱରାଜ ଆଶ୍ରମ ପାଖରେ । ଥାଟପଟାଳି ଭିଡ଼ । ପୋଲିସ ଜଗିଛନ୍ତି । ପଶିଯିବାକୁ ଚାରା ନାହିଁ । ଗାନ୍ଧୀଙ୍କୁ ଦେଖିବା ଅସମ୍ଭବ ।

ଗାନ୍ଧୀଜୀଙ୍କ ଦେହ ହଠାତ୍ ଅସୁସ୍ଥ ହୋଇଯାଇଥାଏ । ତେଣୁ ତାଙ୍କର ସବୁ କାର୍ଯ୍ୟକ୍ରମ ବାତିଲ ହୋଇଥାଏ । ବିଶ୍ରାମ ନେଉଥାନ୍ତି ସେ । ମାତ୍ର ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ, ମହାତ୍ମାଙ୍କୁ ଟିକେ ଦର୍ଶନ କରିବେ । ପୋଲିସର କଡ଼ା ନଜର । ଗେଟ୍ ଡେଇଁ ଭିତରକୁ ଯିବା ଅସମ୍ଭବ । ବିଜୁ ନଛୋଡ଼ବନ୍ଧା । ଭିତରକୁ ଯିବେ ହିଁ ଯିବେ । ପଶିଗଲେ ସେ ।

ସେଇଠି ଠିଆ ହୋଇଥିଲେ ପୋଲିସ ଏସପି ମିଷ୍ଟର୍ ହର୍‌ଗ୍ରିଭ୍ । ଗୋଟାଏ ବାଳକର ଏ ଭଳି ଦୁଃସାହସ ସହିପାରିଲେନି ସେ । ହାତରେ ଥିଲା ପିତଳ ଗୋବ ବସା ପୋଲିସ ଛଡ଼ି । ଦେଲେ ଏକ ଶକ୍ତ ପାହାର । ମୁଣ୍ଡଫାଟି କଣା । ଝରଝର ରକ୍ତ ବୋହି ଯାଉଥାଏ ମୁଣ୍ଡରୁ ପାଖ ଡ୍ରେନରେ ପଡ଼ିଗଲେ ବିଜୁ ।

ପୋଲିସ କନେଷ୍ଟବଳ ଦୁଇଜଣ ଘରେ ନେଇ ପହଞ୍ଚେଇଦେଲେ ଲହୁଲୁହାଣ ବିଜୁଙ୍କୁ । ଘରେ ଥିଲେ ଲକ୍ଷ୍ମୀନାରାୟଣ । ପୋଲିସ କହିଲା “ନିଅନ୍ତୁ, ଆପଣଙ୍କ ପୁଅକୁ ସମ୍ଭାଳନ୍ତୁ । ଆଜି ଗାନ୍ଧୀ କଟକ ଆସିଛନ୍ତି । ସେଠାରେ ଭିଡ଼ ଭିତରେ ପୋଲିସ କର୍ଡ଼ନ ଭାଙ୍ଗି ଝଗଡ଼ା କରି ଏ ପିଲା ପୋଲିସ ଅଫିସରକୁ ବାଡ଼େଇଛି । ତେଣୁ ପୋଲିସ୍ ଲାଠିମାଡ଼ରେ ତାର ଏପରି ଅବସ୍ଥା ହୋଇଛି ।”

ଲକ୍ଷ୍ମୀନାରାୟଣ ନିରବ । ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ବିଜୁଙ୍କର ଚିକିତ୍ସା କରାଇଲେ ।

ପୋଲିସ୍ କେଶ୍ କରିପାରେ । ଛୋଟ ପିଲା । କ୍ରିମିନାଲ୍ ରେକର୍ଡ଼ରେ ନାଆଁ ଉଠିବ । ସେ ତ ନିଜେ ମୁନ୍‌ସଫ୍ । ତେଣୁ ବିଜୁଙ୍କର ଭବିଷ୍ୟତ ପାଠପଢାକୁ ଆଖିରେ ରଖି ଚିଠି ଲେଖିଲେ କଲେକ୍ଟରଙ୍କୁ । ନିଜପୁଅର ଏଭଳି ଦୁଃସାହସ ପାଇଁ ଦୁଃଖ ପ୍ରକାଶ କଲେ ।

ଦୁଃଖ ପ୍ରକାଶ କଲେ ସିନା ପୁଅର ସାହସିକତାକୁ ମନେ ମନେ ପ୍ରଶଂସା କଲେ । ଏତେ ପୋଲିସ୍ ଜମା ହୋଇଥିଲେ ସେଠି । ଏ ପିଲା କର୍ଡ଼ନ ଭାଙ୍ଗିଲା କେମିତି? ପିଲାଟାକୁ ଆୟତ୍ତ ନକରି କ’ଣ ଏମିତି ଦରକାର ପଡ଼ିଲା ଯେ ଖୋଦ୍ ଏସପି ଆସି ମୁଣ୍ଡ ଫଟେଇବା ଆବଶ୍ୟକ ହେଲା । ପୋଲିସର ଏ ବର୍ବରତା ଗ୍ରହଣୀୟ ନୁହେଁ ।

ମାଆ ଆଶାଲତା ସବୁ କଥା ଶୁଣିଲେ । ପୋଲିସ୍ ପ୍ରକୃତରେ ସେଠି ଲୋକମାନଙ୍କୁ ପୋକମାଛି ପରି ବ୍ୟବହାର କରୁଥିଲା । ଅସଭ୍ୟ ନେଟିଭ୍ କହି ଗାଳି କରୁଥିଲେ ଏସପି । କଥାଟା ବାଧିଥିଲା ବାଳକ ବିଜୁଙ୍କୁ । ସେଇଥିପାଇଁ ସେ ମିଷ୍ଟର୍ ହର୍‌ଗ୍ରିଭଙ୍କ୍‌ୁ ସାମ୍‌ନା କରିଥିଲେ – “ଆପଣଙ୍କ କାମ ହେଲା ଜଗିବା । ଓଡ଼ିଆଙ୍କ୍‌ୁ ଅସଭ୍ୟ ନେଟିଭ୍ କହି ଗାଳି କରିବାକୁ ଆପଣ କିଏ? ମୁଁ ଅଲ୍‌ବତ୍ କର୍ଡ଼ନ୍ ଭାଙ୍ଗିବି ।”

ପୁଅର ମୁଣ୍ଡଫଟା ଦେଖି ଭାଙ୍ଗିପଡ଼ିଥିଲେ ଆଶାଲତା ଦେବୀ । ଏବେ ସବୁକଥା ଶୁଣିଲା ପରେ ସେ ଆଶ୍ୱସ୍ତ । ପୁଅ ତାଙ୍କର ଠିକ୍ କାମ କରିଛି । ଏ ବୟସରେ ଏଭଳି ସାହସିକତା ବିରଳ । ଈଶ୍ୱର ତା’କୁ ଆୟୁଷ ଦିଅନ୍ତୁ ।

ଆଶାଲତା ଥିଲେ ଚିଟାଗଙ୍ଗର ଅଧିବାସୀ । ମୂଳ ନାମ ଥିଲା ଆଶାଲତା ଗୁପ୍ତ । ତାଙ୍କର ପୂରା ବଂଶଟା ଥିଲେ ଇଂରେଜ-ବିରୋଧୀ । ତାଙ୍କ ଭିତରେ ବି ଇଂରେଜମାନଙ୍କ ସ୍ୱେଚ୍ଛାଚାରିତା ବିରୋଧରେ ଥିଲା ସଂଗ୍ରାମୀ ମନୋଭାବ ।

ଅଳ୍ପଦିନରେ ବିଜୁଙ୍କର ମୁଣ୍ଡ ଘାଆ ଭଲ ହୋଇ ଆସିଲା । କ୍ଷତ ହୋଇଥିବା ସ୍ଥାନରେ ବାଳ କଟା ହୋଇ ସିଲେଇ ପଡ଼ିଥିଲା । ଧୀରେ ସେ ଖଣ୍ଡକରେ ବାଳ ଉଠି ପୁଣି ସ୍ୱାଭାବିକ ହୋଇଗଲା । ମାତ୍ର ମନ ଭିତରୁ ଆଘାତ ଶୁଖିଲା ନାହିଁ । ଇଂରେଜମାନଙ୍କ ଏ ବର୍ବରତାର ଉତ୍ତର ସେ ଦେବେ ନିଶ୍ଚୟ । ଯିଏ ତାଙ୍କର ଓଡ଼ିଆ ସ୍ୱାଭିମାନକୁ ଗାଳି କରିଛି ତାକୁ ଦିନେ ଠିକଣା ଜବାବ ଦେବେ ।

ସାବଧାନ ମିଷ୍ଟର୍ ହର୍‌ଗ୍ରିଭ୍ !

(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.