Latest Odisha News

BREAKING NEWS

ଝଡ଼ର ଇଗଲ୍‌: ଉଡ଼ାଜାହାଜରେ ଉଡ଼ିବି

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍‌’ର ଏହା ହେଉଛି ୫ମ କଡ଼ି ।)

ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍‌ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।

ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।

ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।

ଉଡ଼ାଜାହାଜରେ ଉଡ଼ିବି

୧୯୩୧ ମସିହା ।
କଟକର କିଲ୍ଲାପଡ଼ିଆ । ସେଇ ପାଖକୁ ଅନତି ଦୂରରେ ବାଲିଯାତ୍ରା ପଡ଼ିଆ ।
ଦଶମ ଶ୍ରେଶୀ ପାଠପଢା ସାରି ଏକାଦଶ ଶ୍ରେଣୀରେ ସଦ୍ୟ ପ୍ରବେଶ କରିଥାନ୍ତି ବିଜୁ । ସ୍କୁଲର ପୂରାନାମ ବିଜୟାନନ୍ଦ ପଟ୍ଟନାୟକ । ମାତ୍ର ସାଙ୍ଗ ସାଥୀଙ୍କ ମୁହଁରେ ବିଜୁ, ବିଜୁ । ସାରା ଶ୍ରେଣୀରେ ସେ ଥିଲେ ସବୁଠାରୁ ଡେଙ୍ଗା । ଶିକ୍ଷକମାନେ ସୁଦ୍ଧା ସାନ ଦିଶନ୍ତି ହାଇସ୍କୁଲ ସରି ନଥିବା ବାଳକ ବିଜୟାନନ୍ଦଙ୍କ ପାଖରେ ।

ହଠାତ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲରେ ରାଷ୍ଟ୍ର ହୋଇଗଲା ଯେ କିଲ୍ଲାପଡ଼ିଆରେ ଉଡ଼ାଜାହାଜ ଓହ୍ଲେଇଛି । ଦୁଇଟି ଉଡ଼ାଜାହାଜ । ଉଡ଼ାଜାହାଜକୁ ଶିକ୍ଷିତ ଲୋକେ ସେତେବେଳେ କହୁଥିଲେ ବ୍ୟୋମଯାନ । ଅଶିକ୍ଷିତଙ୍କ ମୁହଁରେ ବେମ୍‌ଜାନ୍ ।

ପ୍ରଥମ ବିଶ୍ୱଯୁଦ୍ଧବେଳେ ଉଡ଼ାଜାହାଜକୁ ସାରା ବିଶ୍ୱର ଅନେକ ଲୋକ ଆଖିରେ ଆଖିରେ ଦୂର ଆକାଶରେ ହିଁ ଭେଟିଥିଲେ । ଶୁଣିଥିଲେ କେହିକେହି । ପିଲାମାନଙ୍କ ଲାଗି ଉଡ଼ାଜାହାଜ ଥିଲା ଏକ ବିସ୍ମୟର କଥା । ପଢାବହିରୁ ସେମାନେ କେବଳ ପଢିଥିଲେ ଯେ ଆମେରିକାର ରାଇଟ୍ ଭାଦୃଦ୍ୱୟ ୧୯୦୫ ମସିହାରେ ଆକାଶମାର୍ଗରେ ଉଡ଼ାଜାହାଜ ଚଳାଇଥିଲେ । ମାତ୍ର କଟକ ପାଇଁ ଉଡ଼ାଜାହାଜ ସ୍ୱପ୍ନ ।

ପିଲା ମାତ୍ରେ କୌତୁହଳୀ । ସେଥିରେ କିଶୋର ବିଜୁ ସବୁଠାରୁ ଅଧିକ ଅନୁସନ୍ଧିତ୍ସୁ । କେବେ କେମିତି କାହିଁ କେତେ ଦୂରରେ ମେଘ ଡେଇଁ ଡେଇଁ ଉଡ଼ାଜାହାଜଟିଏ ଦେଖିଲେ ମନ ଚହଲିଯାଏ ତାଙ୍କର । ତା’ର ଭୁଁ ଭୁଁ ଶବ୍ଦ ରୋମାଞ୍ଚ ଖେଳାଇ ଦିଏ ଦେହରେ ।

ଥରେ ସିଏ ଉଡ଼ାଜାହାଜ ସମ୍ପର୍କରେ ବାପାଙ୍କୁ ପଚାରିଥିଲେ । ବାପାଙ୍କର ଉତ୍ତର ଥିଲା ଗାଡ଼ିକୁ ଡ୍ରାଇଭର୍ ଚଳାଇଲା ପରି ବ୍ୟୋମଯାନକୁ ଜଣେ ପାଇଲଟ୍ ଚଳାନ୍ତି । ଗାଡ଼ି ଚଳାଇବା ଶିଖିଲା ଭଳି, ଉଡ଼ାଜାହାଜ ଚଳାଇବା ସକାଶେ ବିଶେଷ ତାଲିମ୍ ନେବାପାଇଁ ପଡ଼େ । ସେଥିପାଇଁ ସାହସ ଦରକାର । ଆକାଶରେ ଦିଗ ନିର୍ଣ୍ଣୟ କରି ବ୍ୟୋମଯାନକୁ ଉଡ଼ାଇବା ଓ ତାକୁ ଅବତରଣ କରାଇବା ଏକ ଦୁର୍ଦ୍ଧର୍ଷ କାର୍ଯ୍ୟ ।

ସାହସ ଓ ଦୁର୍ଦ୍ଧର୍ଷପଣ ଏ ଦୁଇଟି ଶବ୍ଦ ପ୍ରତି ସେଇ କିଶୋର ବୟସରୁ ବିଜଙ୍କର ଥିଲା ଅସମ୍ଭବ ଦୁର୍ବଳତା । ସେ ଭାବିଥିଲେ ଯଦି ସାହସ ଥିଲେ ଜଣେ ଉଡ଼ାଜାହାଜ ଉଡ଼ାଇପାରିବ ତେବେ ମୁଁ ନିଶ୍ଚୟ ତା’କୁ ଉଡ଼ାଇପାରିିବି ।

କିଲ୍ଲା ପଡ଼ିଆରେ ବ୍ୟୋମଯାନ ଓହ୍ଲାଇଥିବା ଖବରରେ ସେ ଉଲ୍ଲସିତ ହୋଇପଡ଼ିଲେ । ତାଙ୍କ ଭଳି ଅନେକ ଧାଇଁ ଯାଇଥିଲେ ସେଠିକୁ ।

ହେଲେ ଏ କ’ଣ? ଉଡ଼ାଜାହାଜ ଚାରିପଟେ ଦଉଡ଼ି ଘେରାଇ ଦଳଦଳ ପୋଲିସ ଠିଆ ହୋଇଛନ୍ତି । ସାରା କଟକର ଲୋକ ସତେ ଯେମିତି ଉଠିଯାଇଛନ୍ତି ସେଠାକୁ । ଥାଟପଟାଳି ଭିଡ଼ । ପଡ଼ିଆ ମଝିରେ ଚକଗୋଡ଼ରେ ଭରାଦେଇ ଠିଆ ହୋଇଛନ୍ତି ବ୍ୟୋମଯାନ ଦୁଇଟି । ମନେହେଲା ସଂସ୍କୃତ ପଣ୍ଡିତଙ୍କ କଥା । ସେ ବ୍ୟୋମଯାନକୁ କହନ୍ତି – “କଳ ଚଢେଇ” ।

ଚଢେଇ ନୁହେଁ ତ ଆଉ କ’ଣ? ତାର ଡେଣା ଅଛି, ଲାଞ୍ଜ ଅଛି । ଗୋଡ଼ ଅଛି, ଆଖି ବି ଅଛି । ଗୋଟିଏ ଅଦ୍ଭୁତ ଆକର୍ଷଣ ଅନୁଭବ କଲେ ବିଜୁ । ସମସ୍ତେ ଠେଲା ପେଲା ହେଉଥାନ୍ତି ଆହୁରି ପାଖକୁ ଯାଇ କ’ଣ ସେ ଚିଜ, ଦେଖିବା ପାଇଁ । ମାତ୍ର ପୋଲିସ ଛାଡୁଛନ୍ତି କେତେକେ ! ସେଥିରେ ପୁଣି ଫିରିଙ୍ଗି ଶାସନ । ଗୋରା ହାକିମମାନଙ୍କର ଭାରତୀୟଙ୍କ ଉପରେ କଥା କଥାକେ ଜୁଲମ୍ । ହାତରେ ଲାଠି ଧରି ପଚାଶ କି ଷାଠିଏ ପୋଲିସ ଜଗିରହିଥାନ୍ତି ଉଡ଼ାଜାହାଜକୁ । ରାତିସାରା ଦୁଇଟି ଯାକ ଉଡ଼ାଜାହାଜ ସେଇଠି ରହିବ । କୁଆଡ଼େ ଇନ୍ଧନ ଭରିବା ଲାଗି ସେଠାରେ ଓହ୍ଲାଇଥିଲେ ଦୁଇଟି ଯାକ ।

ଅଧିକ ପଢନ୍ତୁ – ଝଡ଼ର ଇଗଲ୍‌: ସ୍ୱାଭିମାନ ହିଁ ଶେଷକଥା

ବିଜୁଙ୍କର ମନ ଉଡ଼ାଜାହାଜକୁ ଯାଇ ଛୁଅଁନ୍ତେ । ତା’ର ଇଞ୍ଜିନଟା କେମିତିକା ଦେଖନ୍ତେ ପାଖରୁ । ହୁଏତ ଆହୁରି ଅନେକଙ୍କର ସେମିତି ମନ ହେଉଥିବ । ହେଲେ ସାହସ କରୁଚି କିଏ ? କଲିଜିଏଟ୍ ସ୍କୁଲର ଆଉ ଜଣେ ଛାତ୍ର ଗୋପାଳଚନ୍ଦ୍ର ଛୋଟରାୟ ଠିଆ ହୋଇଥିଲେ ପାଖରେ ।

କ’ଣ ମନ ହେଲା ପୋଲିସର ଘେର ଡେଇଁ ଭିତରକୁ ପଶିଗଲେ ବିଜୁ । ତୀରବେଗରେ ଯାଇ ପହଞ୍ଚିଗଲେ ଉଡ଼ାଯାହାଜ ନିକଟରେ । ଇଞ୍ଜିନ୍ କୋଉ ଦିଶୁଚି ! ହାତଲଗେଇ ପରଖ କଲେ ତା’ର ଦେହ । ଡେଣାଆଡ଼କୁ ହାତ ବଢେଇଲା ବେଳେ ପାଞ୍ଚ ସାତ ଜଣ ପୋଲିସ ଦଉଡ଼ିଯାଇ ଧରିପକେଇଲେ ତାଙ୍କୁ ।

ଗର୍ଜି ଉଠିଲେ ପୋଲିସ ହାକିମ । “ଏଡ଼େ ସାହସ ! ଏତେ ବହପ ! ଏ ଦିନୁ ତ ଏମିତି ବଡ଼ ହେଲେ ଏ ଟୋକା ଦୁର୍ଦ୍ଦାନ୍ତ ପାଲଟିଯିବ । ଦେ’ ପାହାର ।” ଘୋଷାରି ଆଣି ସେମାନେ ଘେର ବାହାରକୁ ଠେଲି ଦେଲେ ବିଜୁଙ୍କୁ ।

ଲାଠି ପାହାରରେ ହୁଳାହୁଳା ପୋଡୁଥାଏ ଦେହ । ମାତ୍ର ସେଥିପ୍ରତି ଖାତର ନଥିଲା ତାଙ୍କର । ଅନୁଶୋଚନା ବି ନଥିଲା । ସେ ଉଡ଼ାଜାହାଜ ଛୁଇଁବାକୁ ଚାହିଁଲେ ଏବଂ ଛୁଇଁଲେ । ପୋଲିସ କ’ଣ ଅଟକାଇ ପାରିଲା?

ବାପା କହନ୍ତି, “ଯାହା କରିବାକୁ ଚାହିଁବ, ତାହା କରି ଦେଖେଇବ । କରି ପାରିବି ନାହିଁ ବୋଲି ଭାବି ତରିଯିବ ନାହିଁ କେଭେଁ ।”

ସେ ଦିନ ଉଡ଼ାଜାହାଜଟିକୁ ଛୁଇଁବା ପରେ ବିଜୁଙ୍କ ମନ ଭିତରେ ଗୋଟାଏ ଅଦମ୍ୟ ଉତ୍ସାହ ଜାଗି ଉଠିଲା । ପୋଲିସ ତାଙ୍କୁ ଠେଲି ଦେଇ କର୍ଡନ୍ ବାହାରକୁ ବାହାର କରିଦେବା ବେଳେ ସେ ପାଟି କରି କହିଥିଲେ – “ରହ ଦେଖିବ ! ବଡ଼ ହେଲେ ମୁଁ ନିଜେ ଉଡ଼ାଜାହାଜ ଚଳେଇ ଏ ପଡ଼ିଆକୁ ଆସିବି । ସେତେବେଳେ ଦେଖିବି କେଉଁ ପୋଲିସ ମତେ ଅଟକେଇବ ।”

ଉପସ୍ଥିତ ଲୋକ ବା ପୋଲିସଙ୍କ ପାଇଁ ଘଟଣାଟି ହୁଏତ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା, ମାତ୍ର ବିଜୁଙ୍କ ଜୀବନରେ ତାହା ପାଲଟିଥିଲା ଏକ ଦୁର୍ବାର ଶବଥବାଣୀ – “ବଡ଼ ହେଲେ ମୁଁ ଅଲ୍‌ବତ୍ ଉଡ଼ାଜାହାଜରେ ଉଡ଼ିବି ।”

(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.