Latest Odisha News

BREAKING NEWS

ଝଡ଼ର ଇଗଲ୍‌: ତାଲିମ୍ ନେଉ ନେଉ…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍‌’ର ଏହା ହେଉଛି ୯ମ କଡ଼ି ।)

ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍‌ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।

ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।

ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।

ତାଲିମ୍ ନେଉ ନେଉ…

ପାଇଲଟ୍ ଟ୍ରେନିଂ ବେଳର ଆଉ ଗୋଟିଏ ଘଟଣା ।

ଦୁଇଦିନ ଆଗରୁ ବିଜୁ, ମାଆଙ୍କ ପାଖକୁ ଚିଠି ଲେଖିଥିଲେ । ନିଜ ବିଷୟରେ ବେଶି କିଛି ନଥିଲା ସେଥିରେ । ଖାଲି ଏତିକି – “ମୋ ଦେହ ପା’ ଭଲ ଅଛି । ଟ୍ରେନିଂ ଠିକ୍ ଚାଲିଛି । ସୁବିଧା ହେଲେ ଆର ମାସରେ ମୁଁ ଘରକୁ ଯାଇପାରେ । ବାସ୍ ତିନି ଧାଡ଼ିର ଚିଠି ।”

ମାଆ ଜାଣନ୍ତି ସେ ସବୁବେଳେ ସେମିତି । ନିଜର ସୁବିଧା ଅସୁବିଧା କାହାକୁ ଜଣେଇବନି କେବେ । ସେ ଚିଠି ଆସିବାର ଠିକ୍ ଦୁଇଦିନ ପରେ ଘରେ ଆସି ଟେଲିଗ୍ରାମ୍ ପହଞ୍ଚିଲା । ପୁଣି ବିଜୁଙ୍କର ଉଡ଼ାଜାହାଜ ଟ୍ରେନିଂ ସେଣ୍ଟରରୁ ।

ଘରେ ସମସ୍ତେ ବିଚଳିତ ହୋଇପଡ଼ିଲେ । ପୁଣି କ’ଣ ଅଘଟଣ ହେଲା?
ଟେଲିଗ୍ରାମରେ ଲେଖାଥିଲା – “ଆପଣଙ୍କ ପୁଅ ଦିନ ଗୋଟାଏରେ ବିମାନ ଉଡ଼ାଣ ଆରମ୍ଭ କରି ଆଉ ଫେରିନାହିଁ ।”

ଘରେ ଦୁଃଖର ଛାୟା ଖେଳିଗଲା । କ’ଣ ହେଲା କିଏ କହିବ? ହଠାତ୍ ଦିଲ୍ଲୀ ଯାଇ କ’ଣ ଘଟିଛି ଜାଣିବା ସମ୍ଭବ ନୁହେଁ । ମାଆ ମନ । ଆଶାଲତା ଦେବୀଙ୍କ ଆଖିରୁ ଅବିଶ୍ରାନ୍ତ ଲୁହ ଝରିଲା । ପଥର ପରି ଚୁପ୍ ହୋଇଗଲେ ଲକ୍ଷ୍ମୀ ନାରାୟଣ । ସାରା ଘରେ ଶ୍ମଶାନର ନୀରବତା । ପୁଅକୁ ପାଇଲଟ୍ ଟ୍ରେନିଂ ସକାଶେ ସମ୍ମତି ପ୍ରଦାନ କରିଛି ସାରା ପରିବାର । ଏବେ ଘରର ପ୍ରତିଟି ବ୍ୟକ୍ତି ଭାଇ, ଭଉଣୀ ନିଜକୁ ହିଁ ଦୋଷ ଦେଲେ । “ଆଉ ଫେରିନାହିଁର ଅର୍ଥ କ’ଣ?”

ପୁଣି ତିନିଦିନ ପରେ ଟେଲିଗ୍ରାମ ଆସିଲା । ସେଥିରେ ବି ସେଇ କଥା – “ଆପଣଙ୍କ ପୁଅ ଫେରିନାହିଁ ।” ଫେରିନାହିଁ କ’ଣ ଚାରିଦିନ ହେବ ସେ ସେମିତି ଆକାଶରେ ଉଡୁଛି? ନିଶ୍ଚୟ ଦୁର୍ଘଟଣା ଘଟିଛି । ବିମାନ ଦୁର୍ଘଟଣାର ଭୟାବହତାକୁ ଅନୁମାନ କରି ଥରି ଉଠିଲେ ସମସ୍ତେ । ଓଃ ବିଜୁ!”

ପୁଣି ତିନିଦିନ ପରେ ଆଉ ଗୋଟିଏ ଟେଲିଗ୍ରାମ ଆସିଲା । ଏଥର ଭୟରେ କେହି ଖୋଲିଲେନି ଟେଲିଗ୍ରାମକୁ । କ’ଣ ଖବର ଥିବ । କିଏ ଜାଣେ? ହାତ ଗଲାନି କାହାର ।

ଶେଷକୁ ନିଜେ ଆଶାଲତା ଦେବୀ ଖୋଲିଥିଲେ ଟେଲିଗ୍ରାମ୍ । ଥରଥର ଥରୁଥାଏ ହାତ । ସେଥିରେ ଲେଖାଥିଲା – “ତୁମ ପୁଅ ବିଜୟାନନ୍ଦ ସୁସ୍ଥ ଅଛି । ସେ ଚଳାଇ ଯାଇଥିବା ଉଡ଼ାଯାହାଜଟି କିନ୍ତୁ ଖଣ୍ଡ ବିଖଣ୍ଡ ହୋଇଯାଇଛି ।”

ଆଶାଲତାଙ୍କ ପାଟିରୁ ବାହାରିପଡ଼ିଲା, “ଆମର ସେ ପାଇଲଟ୍ ଟ୍ରେନିଂ, ଫ୍ରେନିଂ ଦରକାର ନାହିଁ । ବିଜୁକୁ ଚିଠି ଦିଅ ସେ ଫେରିଆସୁ । ଯାହା ପଇସା ଖର୍ଚ୍ଚ ହେଲା ହେଲା, ମୋ ପୁଅର ଜୀବନ ବଡ଼ କଥା । ”

ଲକ୍ଷ୍ମୀନାରାୟଣ ଉତ୍ତର ନ ଦେଇ ଚୁପ୍‌ଚାପ୍ ବସିଥିଲେ ଗମ୍ଭୀର ହୋଇ । ବାହାରଟା ନୀରବ ମାତ୍ର ତାଙ୍କ ଭିତରେ ସୃଷ୍ଟି ହୋଇଥିଲା ଏକ ଅସମ୍ଭବ ଝଡ଼ ।

ଦିଲ୍ଲୀସ୍ଥିତ ଫ୍ଲାଇଟ୍ ଟ୍ରେନିଂ ସେଣ୍ଟରକୁ ଚିଠି ଲେଖିଲେ ସେ । କ’ଣ ଘଟିଥିଲା ତା’ର ସବିଶେଷ ବିବରଣୀ ଜାଣିବାପାଇଁ ।

ଉତ୍ତର ଆସିବାକୁ ଆଠଦିନ ଲାଗିଗଲା । ସେ ପର୍ଯ୍ୟନ୍ତ ବିଜୁ, କିଛି ଲେଖିନଥିଲେ ଘରକୁ । ଚିନ୍ତାରେ ଆଶାଲତାଙ୍କର ଦିନରାତି ଏକ ହୋଇଯାଇଥିଲା ସେଇ କେତେ ଦିନ ।

ଟ୍ରେନିଂ ସେଣ୍ଟରରୁ ଚିଠି ଆସିବାପରେ ଜଣାପଡ଼ିଲା ସବୁକଥା ।

ଜୁନ୍ ଚାରି ତାରିଖ ୧୯୩୬ରେ ପ୍ରାୟ ଦିନ ଗୋଟାଏ ବେଳେ ବିଜୁ ଉଡ଼ାଜାହାଜ ଧରି ଉଠିଥିଲେ ଉପରକୁ । ଖୋଲା କକ୍‌ପିଟ୍ । ହଳଦିଆ ରଙ୍ଗର ଡାକୋଟା ବିମାନ । ପ୍ରାୟ ଶହେ ମାଇଲ୍ ଦୂରକୁ ଯାଇ ଫେରିଲାବେଳେ ଏକ ଅସମ୍ଭବ ଝଡ଼ତୋଫାନରେ ପଡ଼ିଗଲେ ସେ । ବିମାନକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହେଲା । ବାଧ୍ୟ ହୋଇ ଝଡ଼ ଉପରକୁ ଉଠି ପୁଣି କିଛି ଦୂରକୁ ପଳେଇ ଯାଇଥିଲେ ସେ । କେତେ ସମୟ ପରେ ଯାଇ ଝଡ଼ କମିଥିଲା । ପରିସ୍ଥିତି ଅନୁଧ୍ୟାନ କରି ଦିଲ୍ଲୀ ଆଡ଼କୁ ପ୍ରତ୍ୟାବର୍ତ୍ତନ କରିବାକୁ ସେ ଚେଷ୍ଟା କରିଥିଲେ । ମାତ୍ର ଆକାଶରେ ନଇଁ ଆସୁଥିଲା ସନ୍ଧ୍ୟା । ଦିଲ୍ଲୀରେ ପହଞ୍ଚିଲାବେଳକୁ ରାତି ହୋଇଯାଇପାରେ । ଉଡ଼ାଜାହାଜର ଇନ୍ଧନ ଦ୍ରୁତ ଗତିରେ କମିବାକୁ ଆରମ୍ଭ କରିଥିଲା । ଭୟାନକ ପରିସ୍ଥିତି । ଦୁର୍ଘଟଣା ନିଶ୍ଚିତ ଜାଣି ବିମାନଟିକୁ ତଳକୁ ଖସାଇଥିଲେ ସେ ।

ଅଧିକ ପଢନ୍ତୁ – ଝଡ଼ର ଇଗଲ୍‌: ମୁଁ ପାଇଲଟ୍ ହେବି

ମାତ୍ର ସମତଳ ଅଞ୍ଚଳ କାହିଁ ଯେ ଓହ୍ଲେଇବ? ଓବୁ ଆଡ଼େ ଜଙ୍ଗଲ, ଗଛ ଆଉ ଗଛ । ଗୋଟିଏ ସ୍ଥାନରେ ଗୋଟିଏ ଛୋଟ ଖାଲଢିପ ଖୋଲା ଅଞ୍ଚଳ ଦେଖିବାକୁ ପାଇଥିଲେ । ଶୀଘ୍ର ଉଡ଼ାଜାହାଜଟିକୁ ସେଠି ଓହ୍ଲେଇ ନ ପାରିଲେ ସରିଗଲା କଥା । ଅସୀମ ଧୈର୍ଯ୍ୟ ଓ ସାହସ ଦେଖାଇ ସେ ଅବତରଣ କରାଇଥିଲେ ବିମାନ । ପ୍ରବଳ କ୍ଷତିଗ୍ରସ୍ତ ହୋଇଥିଲା ଉଡ଼ାଜାହାଜଟି । କେବଳ କକ୍‌ପିଟଟିକୁ ଛାଡ଼ିଦେଲେ ଡ଼େଣା, ଚକ ଓ ଲାଞ୍ଜ ଭାଙ୍ଗି ଚରୁମାର୍ ହୋଇଯାଇଥିଲା । ଭାଗ୍ୟ ଭଲ ନିଆଁ ଲାଗିନଥିଲା ଇଞ୍ଜିନରେ । ନ ହେଲେ ସର୍ବନାଶ ସୁନିଶ୍ଚିତ ଥିଲା ।

ଅନ୍ଧାର ମାଡ଼ି ଆସିଲା । କେହି କୁଆଡ଼େ ନାହିଁ । ଭୀଷଣ ଜଙ୍ଗଲ ।

ରାତିସାରା ଗୋଟିଏ ଗଛରେ ଚଢି ରହିଲେ ସେ । ଆଖି ମୁଦି ହୋଇଗଲେ ସରିଲା କଥା । ସେ ଭଳି ଚରମ ବିପଦରେ ବି ଧୈର୍ଯ୍ୟହରା ହୋଇନଥିଲେ ବିଜୁ । ବାପାଙ୍କ କଥା ମନେପଡ଼ିଥିଲା – “ବିପଦକୁ ସାମନା କଲେ ତାହା ଆପେ ଟଳିଯିବ ।”
ଜଙ୍ଗଲ ଅଞ୍ଚଳଟି ଥିଲା ମୁର୍ଶିଦାବାଦ୍ ଇଲାକା ଭିତରେ ।
କେତେବେଳେ ଟିକେ ଦୂରରେ ଦୁଇଚାରିଜଣ ଲୋକ ଢେଙ୍ଗାବାଡ଼ି ଧରି ପହଞ୍ଚି ଯାଇଥିଲେ ଭାଙ୍ଗିଯାଇଥିବା ଉଡ଼ାଜାହାଜ ପାଖରେ । ତାଙ୍କର ସନ୍ଦେହ କେହି ଶତ୍ରୁପକ୍ଷ ଆକ୍ରମଣକାରୀ କୋଉଠୁ ଆସି ଓହ୍ଲେଇଛି ସେଠି । ବିଜୁ ସେମାନଙ୍କୁ ବସାଇ ନିଜର ଅସୁବିଧା କଥା ବୁଝାଇ କହିଥିଲେ ।

ସକାଳ ପାହିଲା । ଧନ୍ୟ କହିବ, କେହି ସାପ କି ଅନ୍ୟ ସରୀସୃପ ଉଠିନାହାନ୍ତି ଗଛ ଉପରକୁ ।

କେତେବେଳେ ଟିକେ ଦୂରରେ ଦୁଇ ଚାରିଜଣ ଲୋକ ଠେଙ୍ଗାବାଡ଼ି ଧରି ପହଞ୍ଚି ଯାଇଥିଲେ ଭାଙ୍ଗିଯାଇଥିବା ଉଡ଼ାଜାହାଜ ପାଖରେ । ତାଙ୍କର ସନ୍ଦେହ କେହି ଶତ୍ରୁପକ୍ଷ ଆକ୍ରମଣକାରୀ କୋଉଠୁ ଆସି ଓହ୍ଲେଇଛି ସେଠି । ବିଜୁ ସେମାନଙ୍କୁ ବସାଇ ନିଜର ଅସୁବିଧା କଥା ବୁଝାଇ କହିଥିଲେ ।

ଜଙ୍ଗଲ ଅଞ୍ଚଳଟି ଥିଲା ମୁର୍ଶିଦାବାଦ୍ ଇଲାକା ଭିତରେ ।

(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

Leave A Reply

Your email address will not be published.