Latest Odisha News

BREAKING NEWS

ଧୋକା ଦେଲେ ଶରଦ !

ଭୁବନେଶ୍ୱର: ବିରୋଧୀଙ୍କୁ ଏବେ ଶରଦ ଅଡୁଆ । ମୋଦି ଆଦାନୀ ସଂପର୍କକୁ ନେଇ ସାରା ଦେଶରେ ଏକ ବାତାବରଣ ତିଆରି ହୋଇଥିବାବେଳେ ବିରୋଧୀ ଏହାକୁ ଅସ୍ତ୍ର କରି ସରକାରକୁ ଘେରି ଆସିଛନ୍ତି । ଏପରିକି ସଂସଦର ବଜେଟ ଅଧିବେସନରେ ସବୁ ବିରୋଧୀ ଏକାଠି ହୋଇ ଏ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଥିବାବେଳେ କେନ୍ଦ୍ର ମଧ୍ୟ ଅଡୁଆରେ ପଡିଛି । ଏପରିକି ଠିକ ଏହି ଘଟଣା ପରେ ପରେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ବିରୋଧୀଙ୍କ ସପକ୍ଷରେ ଏକ ମାହୋଲ ତିଆରି କରିବାରେ ସମର୍ଥ ହୋଇଛି ।

କିନ୍ତୁ ଏ ପ୍ରସଙ୍ଗରେ ବିରୋଧୀ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ତଦନ୍ତ ପାଇଁ ଦାବି କରୁଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାର ଏହାକୁ ଗ୍ରହଣ କରି ନାହାନ୍ତି। ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନି ଗ୍ରୁପ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟ କମିଟି କରୁଥିବା ବେଳେ ଜେପିସି ତଦନ୍ତର ମୂଲ୍ୟ କିଛି ନାହିଁ ବୋଲି କହିଛନ୍ତି ଶରଦ ।

ଯାହାକି ବିରୋଧୀଙ୍କୁ ଅଡୁଆରେ ପକାଇଥିବାବେଳେ ତାଙ୍କର ଏଭଳି ମତ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପାଇଁ ବଡ ଝଟକା ହୋଇଛି। ବିଜେପି ମଧ୍ୟ ଏହି ସୁଯୋଗରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀଙ୍କୁ ସିଧା ଟାର୍ଗେଟ କରିଛି । ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ ବସକୁ ତଳକୁ ଫୋପାଡି ଦେଇଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ସୁପ୍ରିମକୋର୍ଟ ଆଦାନି ପ୍ରସଙ୍ଗରେ ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି। ଏହାପରେ ମଧ୍ୟ ଜେପିସି ତଦନ୍ତ ପାଇଁ ଦାବି କରିବା ଅଯୌକ୍ତିକ କଥା ବୋଲି କୁହାଯାଇଛି। ଏହାର ଅର୍ଥ କଂଗ୍ରେସର ସହଯୋଗୀ ମଧ୍ୟ ରାହୁଲ ଗାନ୍ଧିଙ୍କ ଚିନ୍ତାଧାରାକୁ ଗ୍ରହଣ କରୁନାହାନ୍ତି ବୋଲି ବିଜେପି କହିଛି ।

ପୂର୍ବରୁ ସଭରକରଙ୍କ ବିରୋଧରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀ ମଧ୍ୟ ବିରୋଧ କରିଥିଲେ । ଏବେ ଶରଦ ପାୱାର ବିରୋଧୀଙ୍କ ପ୍ରମୁଖ ମୁଦ୍ଦାକୁ ନେଇ ଏ କଥା କହିବା ପରେ ଚର୍ଚା ଆହୁରି ବଢିଛି । ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ଏବଂ ଆଦାନୀ ପ୍ରସଙ୍ଗକୁ ନେଇ ଦେଶର ବହୁ ବିରୋଧୀ ଏକ ହୋଇଛନ୍ତି । ଯାହାକି ବିଜେପିକୁ ଅଡୁଆରେ ପକାଇଛି । କିନ୍ତୁ ଏବେ ଶରଦଙ୍କ ମନ୍ତବ୍ୟ ବିରୋଧୀଙ୍କୁ ଅସୁବିଧାରେ ପକାଇଛି ।

Leave A Reply

Your email address will not be published.