Latest Odisha News

BREAKING NEWS

ସେନା ବନାମ ପୋଲିସ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ନେଇ ବିବାଦ ବଢୁଥିବା ବେଳେ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ଏହି ପ୍ରସଙ୍ଗର ପର୍ଦ୍ଦାଫାସ କରିବାକୁ ଏହି ପରି ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣାପଡ଼ିଛି।

ତିନି ଦିନିଆ କେନ୍ଦୁଝର ଗସ୍ତରୁ ଫେରିବାର କିଛି ସମୟ ପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଘୋଷଣା କରିଛନ୍ତି ଯେ ୬୦ ଦିନ ମଧ୍ୟରେ କମିଶନ ରିପୋର୍ଟ ଦେବେ। ସମାନ୍ତରାଳ ଭାବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି, ଯାହାର ତଦାରଖ ଏବେ ହାଇକୋର୍ଟ ର ଜଣେ ବିଚାରପତି କରିବେ, ଯାହାର ଲକ୍ଷ୍ୟ ହେଉଛି ଦ୍ରୁତ ଓ ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଅଭିଯୋଗର ଏସଆଇଟି ତଦନ୍ତ ଓ ନ୍ୟାୟିକ ତଦନ୍ତ ପାଇଁ ଦାବି କରିବା ପରେ ରାଜ୍ୟ ସରକାର ମଧ୍ୟ ଏହି ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ମେଜରଙ୍କ ବାନ୍ଧବୀଙ୍କ ପ୍ରତି ଘୋର ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସେପ୍ଟେମ୍ବର ୨୪ରେ ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମେଜର ଏବଂ ତାଙ୍କ ବାନ୍ଧବୀ ଥାନାରେ ପୁଲିସ ଅଧିକାରୀଙ୍କ ସହ ମୁହାଁମୁହିଁ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଙ୍କ କହିବାନୁଯାୟୀ, ମହିଳା ଜଣକ ଆକ୍ରମଣାତ୍ମକ ଥିଲେ, ନିଶାଗ୍ରସ୍ତ ଦେଖାଯାଉଥିଲେ ଏବଂ ଗିରଫଦାରୀକୁ ବିରୋଧ କରିଥିଲେ।

ଅସଦାଚରଣ ନେଇ ପୁଲିସ ଅଭିଯୋଗ କରିବା ସତ୍ତ୍ୱେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣ ଓ ବିଭିନ୍ନ ଅଧିକାର ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏସବୁ ଭିତରେ ବିଜେଡିର ବନ୍ଦ ଡାକରା ନିଆଁରେ ଘିଅ ଢାଳି ଦେଇଛି। ଯାହା ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.